ଇଣ୍ଡିଆସ ବେଷ୍ଟ ଡ୍ୟାନ୍ସର ସିଜିନ୍-୨: ଟପ୍-୫ରେ ପ୍ରବେଶ କଲେ ଓଡ଼ିଆ ଝିଅ ରୋଜା ରାଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ‘ସୋନି ଟିଭି’ରେ ପ୍ରସାରିତ ଡ୍ୟାନ୍ସ ରିଏଲିଟି ସୋ’ ‘ଇଣ୍ଡିଆଜ୍‌ ବେଷ୍ଟ ଡ୍ୟାନ୍ସର-୨’ରେ ନିଜର ଜଲୱା ଦେଖାଇଛନ୍ତି ରାଉରକେଲାର ରୋଜା ରାଣା । ରବିବାର ପ୍ରସାରିତ ସୋ’ରେ ହିନ୍ଦୀ ଚଳଚ୍ଚିତ୍ର ‘ପୁକାର୍’ର କ୍ୟା ସେରା.. ଗୀତରେ ରୋଜା ଓ ସନମ୍‌ ‌ଯୋଡିଙ୍କ ଚିତ୍ତାକର୍ଷକ ନୃତ୍ୟ ତାଙ୍କୁ ଟପ୍‌-୫ରେ ସ୍ଥାନକୁ ଉନ୍ନୀତ କରିଛି । ଟପ୍‌-୫ରେ ଅନ୍ୟମାନଙ୍କ ମଧ୍ୟରେ ରହିଛନ୍ତି ପୁନେର ସୌମ୍ୟା, କେରଳର ଜମୃଦ, ଆସାମର ରକ୍‌ତିମ୍‌ ଓ ରାଜସ୍ଥାନର ଗୌରବ । କିଛି ଦିନ ତଳେ ସେ ଶ୍ରେଷ୍ଠ -୧୨ତମ ସ୍ଥାନରେ ରହିଥିଲେ । ନିଷ୍ଠା ଓ ବଳିଷ୍ଠ ଉଦ୍ୟମ ତାଙ୍କୁ ସଫଳତାର ଗୋଟିଏ ପରେ ଗୋଟିଏ ପାହାଚ ଚଢ଼ିବାକୁ ବାଟ ଦେଖାଇଛି ।

ପୂର୍ବରୁ ଜି ଟିଭିରେ ପ୍ରସାରିତ ‘ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ’ରେ ବିଜୟ ମୁକୁଟ ପିନ୍ଧିଥିବା ରାଉରକେଲା ବାସନ୍ତୀ କଳୋନିର ରାଜସ୍ମିତା କରଙ୍କ ପରି ‘ଟପ୍‌-ୱାନ୍‌ରେ ସ୍ଥାନ ପାଇବାକୁ ଲକ୍ଷ୍ୟ ରଖିଛନ୍ତି ରୋଜା। ତାଙ୍କୁ ଅଧିକରୁ ଅଧିକ ଭୋଟ ଦେଇ ବିଜୟୀ କରିବାକୁ ସେ ରାଉରକେଲା ବିଶେଷ କରି ଓଡ଼ିଶାବାସୀଙ୍କୁ ନିବେଦନ କରିଛନ୍ତି । ମୋବାଇଲରେ ‘ସୋନିଲିଭ୍‌ ଆପ୍‌’ ‌ଡାଉନ୍‌ଲୋଡ କରି ଭୋଟିଂ କରିହେବ । ଗୋଟିଏ ମୋବାଇଲରେ ୧୦୦ ଜଣ ଭୋଟିଂ କରି ପାରିବେ ବୋଲି ସେ କହିଛନ୍ତି । ଆଗାମୀ ଦିନରେ ବଲିଉଡ଼ରେ ଜଣେ ପ୍ରତିଷ୍ଠିତ କୋରିଓଗ୍ରାଫ୍‌ର ସ୍ବପ୍ନକୁ ସାକାର କରିବାକୁ ସଂକଳ୍ପ ନେଇଛନ୍ତି। ରାଉରକେଲାର କୋଏଲନଗର ସି ବ୍ଲକରେ ସ୍ବର୍ଗତ ଅଶୋକ ରଣା ଓ ଶିବାନୀ ରଣାଙ୍କ ଏକ ମାତ୍ର ଝିଅ ହେଉଛନ୍ତି ରୋଜା ।