fbpx

ଗୋଲାପ ଜଳ ବ୍ୟବହାର କରି ସୁନ୍ଦର ଚେହେରା ପାଆନ୍ତୁ, ଉପାୟଗୁଡ଼ିକ ଜାଣି ରଖନ୍ତୁ ..

ତରୁଣୀମାନେ ନିଜର ଚେହେରା ସୁନ୍ଦର କରିବା ପାଇଁ ବହୁ ପଦକ୍ଷେପ ନେଇଥାନ୍ତି । କିନ୍ତୁ ବଜାରରେ ମିଳୁଥିବା କ୍ରିମ ଓ ଅନ୍ୟାନ୍ୟ ସବୁ ଫେସପ୍ୟାକ ଚେହେରା ପ୍ରତି କ୍ଷତିକାରକ ହେବା ସହ ପାଶ୍ୱପ୍ରତିକ୍ରିୟାର ଭୟ ମଧ୍ୟ ରହିଥାଏ । ତେବେ ଆସନ୍ତୁ ଜାଣି ରଖିବା ଘରୋଇ ଉପଚାରରେ ଆମେ କିପରି ଆମ ଚେହେରାର ଯତ୍ନ ନେବା ।
ଗୋଲାପ ଜଳ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଏକ ଉପକାରୀ ଜିନିଷ । ବଜାରରେ ମଧ୍ୟ ଏହା ସହଜରେ ଉପଲବ୍ଧ ହୋଇଥାଏ । ଆପଣ ଚାହିଁଲେ ଘରେ ମଧ୍ୟ ଏହାକୁ ସହଜରେ ପ୍ରସ୍ତୁତ କରିପାରିବେ । ଗୋଲାପ ପାଖୁଡ଼ାରୁ ପ୍ରସ୍ତୁତ ପାଣି ଶରୀର ପାଇଁ ବେଶ ଉପକାରୀ । ଘର ଅଗଣାରେ ହେଉ ଅବା ଫୁଲଦାନିରେ ଶୋଭା ପାଉଥିବା ଗୋଲାପ ଘରର ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଏ । ଏପରିକି ଗୋଲାପ ଫୁଲରୁ ରୋଜ ଅଏଲ ପ୍ରସ୍ତୁତ କରାଯାଇ ପରଫ୍ୟୁମରେ ବ୍ୟବହାର କରାଯାଏ । ଗୋଲାପ ଫୁଲରୁ ମଧ୍ୟ ଖାଦ୍ୟ ପ୍ରସ୍ତୁତ ଆବଶ୍ୟକ ସାମଗ୍ରୀ ରୂପେ ବ୍ୟବହାର କରାଯାଏ । ଗୋଲାପ ଜଳ ମୁହଁ, କେଶ ଓ ଶରୀର ପାଇଁ ଏକ ବରଦାନ ସଦୃଶ । ଏହି ଗୋଲାପ ଜଳକୁ ବ୍ୟବହାର କରି କିପରି ଆପଣ ନିଜର ଆଖି, କେଶ ଓ ଚର୍ମର ଯତ୍ନ ନେଇପାରିବେ ସେ ବିଷୟରେ ଆସନ୍ତୁ ଜାଣିବା…
ଗୋଲାପ ଜଳ ଏକ ପ୍ରାକୃତିକ ଟୋନର ଭଳି କାର୍ଯ୍ୟ କରିଥାଏ । ସେଥିପାଇଁ ୨-୪ ବୁନ୍ଦା ଗୋଲାପ ଜଳକୁ ଏକ ତୁଳାରେ ନେଇ ମୁହଁକୁ ପୋଛନ୍ତୁ । ଏହା ଦ୍ୱାରା ଜମି ରହିଥିବା ଧୂଳି ଓ ମଇଳା ବାହାରି ଯାଇଥାଏ । ମୁହଁ ପରିଷ୍କାର ମଧ୍ୟ ଦେଖା ଯାଇଥାଏ । ଏପରି ସବୁଦିନ ସକାଳେ ଓ ରାତିରେ କରିବା ଫଳରେ ମୁହଁରେ ଚମକ ଆସିଥାଏ ।
ମୁହଁ :

ସତେଜତା ଅନୁଭବ କରିବା ପାଇଁ ଏବଂ ଏକ ସୁନ୍ଦର ସୁଗନ୍ଧ ପାଇବା ପାଇଁ ଗାଧେଇବା ପାଣିରେ ୫-୬ ବୁନ୍ଦା ଗୋଲାପ ଜଳ ମିଶାନ୍ତୁ । ଏହା ଦ୍ୱାରା ଆପଣଙ୍କୁ ଆରାମ ଲାଗିବ ଓ ତ୍ୱଚାରେ ମଧ୍ୟ ଚମକ ଆସିବ ।
ତ୍ୱଚା କୁଣ୍ଡାଇ ହେଉଥିଲେ ବା ଲାଲ ଲାଲ ହୋଇ ଫଳି ଯାଉଥିଲେ ଗୋଲାପ ଜଳ ଲଗାଇଲେ କିଛି ସମୟ ପାଇଁ ଉପଶମ ମିଳିଥାଏ । ମୁହଁରେ ବ୍ରଣ ହେଉଥିଲେ ଗୋଲାପ ଜଳରେ ମୁହଁ ପୋଛନ୍ତୁ ।


କେଶ : 

କେବଳ ଚର୍ମ ପାଇଁ ନୁହେଁ କେଶରେ ମଧ୍ୟ ଗୋଲାପ ଜଳ ବ୍ୟବହାର କରିପାରିବେ । ଗୋଲାପ ଜଳରେ ମଶ୍ଚରାଇଜିଂ ଓ କଣ୍ଡିସନିଂ କରିବାର ପ୍ରାକୃତିକ ଉପାଦାନ ରହିଛି । ସେଥିପାଇଁ ଏହାକୁ ବ୍ୟବହାର କରି କେଶକୁ ମଶ୍ଚରାଇଜିଂ ଓ କଣ୍ଡିସନିଂ କରିପାରିବେ ।

କେଶ ଧୋଇବା ସମୟରେ ସାମ୍ପୁରେ ୨-୪ବୁନ୍ଦା ଗୋଲାପ ଜଳ ମିଶାଇ ମୁଣ୍ଡ ଧୁଅନ୍ତୁ । ଏହା ଦ୍ୱାରା କେଶ ନରମ ହେବା ସହ ଗୋଲାପ ଫୁଲର ସୁବାସ ଅଧିକ ସମୟ ଧରି ମଧ୍ୟ ରହିଥାଏ ।

କେଶକୁ ଜଲଦି ବଢ଼ାଇବା ପାଇଁ ମୁଣ୍ଡ ଧୋଇ ସାରିବା ପରେ ଅଧା କପ ଗୋଲାପ ଜଳକୁ ମୁଣ୍ଡରେ ମାଲିସ କରନ୍ତୁ ।
ମୁଣ୍ଡରେ ରୂପି ହେଉଥିଲେ ଗୋଲାପ ଜଳରେ ଗ୍ଲିସେରିନ ବା ମୁଲତାନି ମାଟି ମିଶାଇ ମୁଣ୍ଡରେ ଲଗାନ୍ତୁ । ଦେଖିବେ ନିଶ୍ଚିତ ରୂପେ ଉପଶମ ମିଳିବ ।
ଗୋଲାପ ଫୁଲରୁ ପ୍ରସ୍ତୁତ ଅଏଲକୁ କେଶରେ ଲଗାଇବା ଦ୍ୱାରା କେଶ ମଧ୍ୟ ସୁସ୍ଥ ରହେ ।


ଆଖି :

ଆଖି ଉପରେ କୌଣସି କ୍ରିମ, ଫେସପ୍ୟାକ ଲଗାଇବା ପାଇଁ ମନା କରାଯାଏ । କାରଣ ଏହା ବହୁତୁ କ୍ଷତିକାରକ ହୋଇଥାଏ । କିନ୍ତୁ ଆଖିରେ ଗୋଲାପ ଜଳ ବ୍ୟବହାର କରିବା ଦ୍ୱାରା କୌଣସି ପାଶ୍ୱର୍ ପ୍ରତିକ୍ରିୟା ଦେଖାଯାଏ ନାହିଁ । ବରଂ ଏକ ଔଷଧ ରୂପେ କାର୍ଯ୍ୟ କରିଥାଏ । ଆଖି ପାଇଁ ଆର୍ୟୁବେଦର ଶୁଦ୍ଧ ଗୋଲାପ ଜଳ ବ୍ୟବହାର କରନ୍ତୁ ।
ଆଖିକୁ ଆରାମ ଓ ଥଣ୍ଡା ଲାଗିବା ପାଇଁ ଗୋଲାପ ଜଳରେ ତୁଳାକୁ ଭିଜାନ୍ତୁ । ଏହାକୁ ଆଖି ଉପରେ ରଖନ୍ତୁ ।
ଆଖିତଳ କଳା ପଡ଼ିଥିଲେ ବା ଡ଼ାର୍କ ସର୍କଲ ହୋଇଥିଲେ ଗୋଲାପ ଜଳ ଲଗାନ୍ତୁ । ଚନ୍ଦନ ଓ ଗୋଲାପ ଜଳ ମିଶାଇ ମଧ୍ୟ ଆଖିପତାରେ ଲଗାନ୍ତୁ । ଲଗାଇବାର ୧୫ମିନିଟ ପରେ ଧୋଇ ଦିଅନ୍ତୁ ।

Get real time updates directly on you device, subscribe now.