ଡଲାର ତୁଳନାରେ ଦୁର୍ବଳ ହେଲା ଟଙ୍କା, ଜାଣନ୍ତୁ କେତେ ?
ଆମେରିକୀୟ ଡଲାର ସାମ୍ନାରେ ଦୁର୍ବଳ ହୋଇଛି ଭାରତୀୟ ଟଙ୍କା, ଏବେ ଡଲାରର ମୂଲ୍ୟ ୮୬.୪୨ ଟଙ୍କା
ନୂଆଦିଲ୍ଲୀ: ପୁଣି ଥରେ ଆମେରିକୀୟ ଡଲାର ସାମ୍ନାରେ ଦୁର୍ବଳ ହୋଇଛି ଭାରତୀୟ ଟଙ୍କା । ଲଗାତାର ଦ୍ବିତୀୟ ଥର ପାଇଁ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ପାଇଛି ।
ତେବେ ଆମେରିକା ବଜାରରେ ଆଶାଠାରୁ ଅଧିକ ନିଯୁକ୍ତି ରିପୋର୍ଟ ପରେ ଏହି ତୀବ୍ର ହ୍ରାସ ଘଟିଛି । ଯାହା ଡଲାରକୁ ଆହୁରି ମଜବୁତ କରିବା ସହ ଟଙ୍କା ସମେତ ଉଦୀୟମାନ ବଜାର ମୁଦ୍ରାକୁ ଆଡୁରି ଦୁର୍ବଳ କରିଛି ।
ଆଜି ସେୟାର ବଜାର ଆରମ୍ଭରୁ ହିଁ ଟଙ୍କାର ମୂଲ୍ୟ ତଳକୁ ଖସିବାରେ ଲାଗିଥିଲା । ଏବେ ଡଲାରର ମୂଲ୍ୟ ୮୬.୪୨ ଟଙ୍କା ରହିଛି । ଯାହା ପୂର୍ବ ତୁଳନାରେ ୩୮ ପଇସା ହ୍ରାସ ପାଇଛି ।
ସର୍ବକାଳୀନ ହ୍ରାସ: ରିପୋର୍ଟ ଅନୁଯାୟୀ, ଏହାର ଟଙ୍କାର ଡଲାର ତୁଳନାରେ ସର୍ବକାଳୀନ ହ୍ରାସ ରେକର୍ଡ ହୋଇଛି । ପୂର୍ବରୁ କେବେ ବି ଡଲାର ତୁଳନାରେ ଟଙ୍କା ଏତେ ମାତ୍ରାରେ ହ୍ରାସ ପାଇନଥିଲା । ଯାହାକ ଆଗକୁ ମଧ୍ୟ ଆହୁରି ହ୍ରାସ ପାଇବା ନେଇ ଆଶଙ୍କା ।
ଆମେରିକାର ଅଣ-କୃଷି ପେରୋଲର ତଥ୍ୟାନୁଯାୟୀ, ଗତ ମାସରେ ଆମେରିକା ନିଯୁକ୍ତି ବଜାରରେ ଆଶା ଲକ୍ଷେ ୬୦ ହଜାର ରହିଥିବା ବେଳେ ଏଥିରେ ଆଶାଠାରୁ ଅଧିକ ୨ ଲକ୍ଷ ୫୬ ହଜାର ଚାକିରି ଯୋଡାଯାଇଛି । ଏଥିସହିତ ଆମେରିକାର ମୁଦ୍ରା ନୀତି ଉପରେ ଚିନ୍ତା ଏବଂ ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଯୋଜନାବଦ୍ଧ ନୀତିକୁ ନେଇ ରହିଥିବା ଅନିଶ୍ଚିତତା ଯୋଗୁଁ ଟଙ୍କା ଉପରେ ଏତେ ବଡ ହ୍ରାସର ସମ୍ଭାବନା ସୃଷ୍ଟି ହୋଇଛି ।
ପୂର୍ବରୁ କେତେ କମିଥିଲା? ତେବେ ପୂର୍ବରୁ ଶୁକ୍ରବାର ବଜାର ବନ୍ଦ ହେବା ବେଳକୁ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୧୮ ପଇସା ହ୍ରାସ ପାଇଥିଲା । ଗୋଟିଏ ଡଲାରର ମୂଲ୍ୟ ସେତେବେଳେ ୮୬.୦୪ ଟଙ୍କା ରହିଥିଲା । ହେଲେ ଏହା ଆଜି ପୁଣି ୩୮ ପଇସା ହ୍ରାସ ପାଇ ୮୬.୪୨ ଟଙ୍କା ହୋଇଛି ।
ଅନ୍ୟପକ୍ଷରେ ଡଲାର ଇଣ୍ଡେକ୍ ୦.୨୨ ପ୍ରତିଶତ ବୃଦ୍ଧି ପାଇଁ ଦୁଇ ବର୍ଷରେ ମଧ୍ୟରେ ସର୍ବାଧିକ ୧୦୯.୭୨ରେ ପହଞ୍ଚିଛି । ଯେଉଁକାରଣରୁ ଡଲାରର ଶକ୍ତି ବୃଦ୍ଧି ହେବା ସହ ଅଶୋଧିତ ତୈଳର ମୂଲ୍ୟବୃଦ୍ଧି, ବିଦେଶ ପୁଞ୍ଜିର ପ୍ରତ୍ୟାହାର ଓ ଘରୋଇ ଷ୍ଟକରେ ନକାରାତ୍ମକ ଟ୍ରେଣ୍ଡ ଯୋଗୁ ଟଙ୍କା ଦୁର୍ବଳ ହଉଥିବା କୁହାଯାଉଛି ।