fbpx

ରାଜ୍ୟର ପ୍ରତି ବ୍ଲକରେ ଖୋଲିବ ଗୋଟିଏ ଲେଖାଏଁ ଗ୍ରାମୀଣ ଶିଳ୍ପ ପାର୍କ: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପଞ୍ଚାୟତିରାଜ ବିଭାଗକୁ ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗ୍ରାମାଞ୍ଚଳ ବାସିନ୍ଦାଙ୍କ ବିକାଶ ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା ହାତକୁ ନେଉଛନ୍ତି । ଏହା ମଧ୍ୟରେ ରାଜ୍ୟର ପ୍ରତି ବ୍ଲକରେ ଗୋଟିଏ ଲେଖାଏଁ ଶିଳ୍ପ ପାର୍କ ପ୍ରତିଷ୍ଠା ହେବ । ବିଭିନ୍ନ ବର୍ଗର ଉତ୍ପାଦକ ଓ କାରିଗରଙ୍କ ଉନ୍ନତି ଲକ୍ଷ୍ୟରେ ଏହି ନିଷ୍ପତ୍ତି ନିଆଯାଇଛି । ଏହି ପ୍ରକଳ୍ପକୁ ଅଗ୍ରାଧିକାର ଭିତ୍ତିରେ ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନା ମୁତାବକ, କଳାହାଣ୍ଡିରେ ସ୍ଥାପନ ହୋଇଥିବା ଶିଳ୍ପ ପାର୍କ ଢାଞ୍ଚାରେ ରାଜ୍ୟର ବ୍ଲକସ୍ତରରେ ଗ୍ରାମୀଣ ଶିଳ୍ପ ପାର୍କ ପ୍ରତିଷ୍ଠା ହେବ । କୃଷି ଓ ଅଣକୃଷି ଉତ୍ପାଦର ପ୍ରଚାର ଓ ପ୍ରସାର ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଇଛି । ଏହାଫଳରେ ବିଭିନ୍ନ ସାମଗ୍ରୀର ବିକ୍ରି ସହିତ ଋଣ ସହାୟତା, ବ୍ରାଣ୍ଡିଂ, ପ୍ରକ୍ରିୟାକରଣ ପାଇଁ ସୁବିଧା ସୁଯୋଗ ଯୋଗାଇ ଦିଆଯିବ । ପ୍ରତି ବ୍ଲକରେ ଅତିକମରେ ୭-୧୦ ଏକର ଜମି ଉପରେ ଏହି ପାର୍କ ନିର୍ମାଣ କରାଯିବ ।

ତେବେ ଏହି ପାର୍କ ନିର୍ମାଣ ହେବା ଫଳରେ ମିଶନ ଶକ୍ତି ବିଭାଗ, ଏମଏସଏମଇ ବିଭାଗ, କୃଷି, ଶିଳ୍ପ ସାମଗ୍ରୀର ବିକ୍ରି ପାଇଁ ଏକ ପ୍ରକୃଷ୍ଟ ବଜାର ସୃଷ୍ଟି ହେବ । ବିଭିନ୍ନ ପ୍ରକାର ସାମଗ୍ରୀର ବିକ୍ରି ପାଇଁ ପ୍ରଶିକ୍ଷଣ ଓ ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ଦିଆଯିବା ସହିତ ମାଷ୍ଟର ଟ୍ରେନରଙ୍କୁ ନିଯୁକ୍ତି ଦିଆଯିବ । ହଳଦୀ, ମହୁ, ମସଲା, କୃଷି ଯନ୍ତ୍ରପାତି ଆଦି ବିଭିନ୍ନ ପ୍ରକାର ଲଘୁ ବନଜାତ ସାମଗ୍ରୀ ପୂଆ ପ୍ୟାକେଜିଂରେ ମିଳିବ । ସାମଗ୍ରୀକୁ ଦେଶ, ବିଦେଶକୁ ରପ୍ତାନୀ ପାଇଁ ପଦକ୍ଷେପ ନିଆଯିବ । ବର୍ତ୍ତମାନ ଗ୍ରାମୀଣ କାରିଗର ଓ ଉତ୍ପାଦକମାନେ ବର୍ଷକୁ ୧-୫ ଲକ୍ଷ ଟଙ୍କା ମଧ୍ୟରେ ବ୍ୟବସାୟ କରୁଥିବା ବେଳେ ପାର୍କ ପ୍ରତିଷ୍ଠା ହେବା ଫଳରେ ତାହା ଆହୁରି ବୃଦ୍ଧି ପାଇବ । ସରକାରଙ୍କ ଅନୁମୋଦନ ପରେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରାଯିବ ।

Get real time updates directly on you device, subscribe now.