fbpx

ତାଲିବାନକୁ ନେଇ ଋଷ ରାଷ୍ଟ୍ରପତିଙ୍କ ବଡ଼ ବୟାନ, ନେଇ ପାରନ୍ତି ଏହି ପଦକ୍ଷେପ

ନୂଆଦିଲ୍ଲୀ: ଋଷରେ ଆଫଗାନିସ୍ତାନ ପରିସ୍ଥିତିକୁ ନେଇ ହୋଇଥିବର ମସ୍କୋ ଫର୍ମାଟ୍ ବୈଠକ ପରେ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ତାଲିବାନକୁ ନେଇ ଏକ ବଡ଼ ବିବୃତ୍ତି ଦେଇଛନ୍ତି । ପୁତିନ କହିଛନ୍ତି ଯେ ଋଷ ତାଲିବାନକୁ ଆତଙ୍କବାଦୀ ସଂଗଠନ ତାଲିକାରୁ ହଟାଇ ପାରିବ । ମିଳିତ ଜାତିସଂଘ ସ୍ତରରେ ମଧ୍ୟ ଏହା ଘଟିବା ଉଚିତ ବୋଲି ସେ କହିଛନ୍ତି ।

ସୂଚନା ଅନୁଯାୟୀ ଗୁରୁବାର ଆନ୍ତର୍ଜାତୀୟ ଭାଲଡାଇ ଆଲୋଚନା କ୍ଲବ୍ ର ଏକ ବୈଠକରେ ଏହି ବିବୃତ୍ତି ରଖିଛନ୍ତି ପୁତିନ । ସେ କହିଛନ୍ତି ଯେ ଆମେ ସମସ୍ତେ ଆଶା କରୁଛୁ ଆଫଗାନିସ୍ତାନର ପରିସ୍ଥିତିକୁ ନିଶ୍ଚିତ ଭାବେ ନିୟନ୍ତ୍ରଣ କରୁଥିବା ତାଲିବାନ ଏହା ନିଶ୍ଚିତ କରିବ ଯେ ସେଠାରେ ସ୍ଥିତି ସକରାତ୍ମକ ରହିବ । ତାଲିବାନ ସହ ଜଡିତ ସାଧାରଣ ନିଷ୍ପତ୍ତି ଉପରେ ଆମେ ଏକତା ବଜାୟ ରଖିବୁ ଏବଂ ଆତଙ୍କବାଦୀ ସଂଗଠନ ତାଲିକାରୁ ସେମାନଙ୍କୁ ହଟାଇବା ନିଷ୍ପତ୍ତି ଉପରେ ବିଚାର କରିବୁ । ଉଲ୍ଲେଖଯୋଗ୍ୟ ୨୦୦୩ ରେ ଋଷ ତାଲିବାନକୁ ଆତଙ୍କବାଦୀ ସଂଗଠନ ଘୋଷଣା କରିଥିଲା।

ତେବେ ଗତ ସପ୍ତାହରେ ଅନୁଷ୍ଠିତ ହୋଇଥିବା ମସ୍କୋ ଆଲୋଚନାରେ ତାଲିବାନକୁ ଆଫଗାନିସ୍ତାର ନୂଆ ଭବିଷ୍ୟତ ବୋଲି କୁହାଯାଇଥିଲା । ମସ୍କୋ ଆଲୋଚନାରେ ଋଷ, ଚୀନ୍, ପାକିସ୍ଥାନ, ଇରାନ, ଭାରତ, କାଜାଖସ୍ତାନ, କିର୍ଗିଜସ୍ଥାନ, ତାଜିକିସ୍ତାନ, ତୁର୍କମେନିସ୍ତାନ ଏବଂ ଉଜବେକିସ୍ତାନର ବିଶେଷ ପ୍ରତିନିଧୀ ତଥା ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ । ୨୦୧୭ ମସିହାରୁ ଚାଲିଆସୁଥିବା ମସ୍କୋ ଫର୍ମାଟ୍ ସଂଳାପରେ ଆଫଗାନିସ୍ତାନର ପରିସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରାଯାଇଥିଲା ଏବଂ ଭାରତ ସମେତ କେତେକ ଦେଶ ଆଫଗାନିସ୍ତାନକୁ ମାନବିକତା ଦୃଷ୍ଟିରୁ ସମର୍ଥନ କରିବାକୁ ସହମତ ହୋଇଥିଲେ । ଆଫଗାନିସ୍ତାନରେ ତାଲିବାନ ସରକାର ଆନ୍ତର୍ଜାତୀୟ ମାନ୍ୟତା ପାଇନାହାଁନ୍ତି, କିନ୍ତୁ ଋଷର ରାଷ୍ଟ୍ରପତିଙ୍କ ଏହି ବିବୃତ୍ତି ତାଲିବାନ ସରକାରଙ୍କୁ ଆଶ୍ୱସ୍ତି ପ୍ରଦାନ କରିପାରେ ।

 

Get real time updates directly on you device, subscribe now.