ୟୁକ୍ରେନ ଯୁଦ୍ଧ ନେଇ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବୟାନ, କହିଲେ କଟକଣା ଲଗାଇବା ଯୁଦ୍ଧ ଘୋଷଣା ସହ ସମାନ

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଲଗାତାର ଭାବରେ ଆକ୍ରମଣ କରିଚାଲିଛି ଋଷ । ଯୁଦ୍ଧ ଦଶମ ଦିନରେ ପହଞ୍ଚିଛି । ଉଭୟ ଦେଶ ମଧ୍ୟରେ ଆଲୋଚନା ଜାରି ରହିଥିଲେ ବି କୌଣସି ନିର୍ଯ୍ୟାସ ବାହରିପାରିନାହିଁ । ସେପଟେ ଋଷର ଆକ୍ରମଣକୁ ଅନେକ ଦେଶ ନିନ୍ଦା କରିବା ସହ ଅନେକ ପ୍ରତିବନ୍ଧକ ମଧ୍ୟ ଲଗାଇଛନ୍ତି ।

ଏହାରି ମଧ୍ୟରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବ୍ରିଟେନକୁ ବଡ଼ ବୟାନ ରଖିଛନ୍ତି । ସେ କହିଛନ୍ତି ଋଷ ବିରୋଧରେ କଟକଣା ଯୁଦ୍ଧର ଘୋଷଣା ସହ ସମାନ । ଋଷ ସେନାକୁ ହାଇ ଆଲର୍ଟରେ ରଖାଯାଇଛି । ପୁଟିନ କହିଛନ୍ତି ଡୋନବାସ ମାମଲାକୁ ଶାନ୍ତିର ସହ ସମାଧାନ ପାଇଁ ପ୍ରୟାସ କଲୁ ହେଲେ ଏହି ମାମଲାରେ ୟୁକ୍ରେନ ସହଯୋଗ କରିନାହିଁ । ୟୁକ୍ରେନର ସୈନ୍ୟ ଠିକଣା ନଷ୍ଟ କରିବା କାମ ପ୍ରାୟ ପୂରା ହୋଇଛି । ୟୁକ୍ରେନରେ ନୋଫ୍ଲାଇଂ ଜୋନ ଲଗାଇବା ଯୁଦ୍ଧ ଘୋଷଣା ଭଳି । ଋଷରେ ଜରୁରୀକାଳୀନ ସ୍ଥିତି ଜାରି କଲା ଭଳି ସ୍ଥିତି ନାହିଁ । ବିଶେଷ ସୈନ୍ୟ ଅଭିଯାନ ଆରମ୍ଭ କରିବା କଠିନ ନିଷ୍ପତ୍ତି ବୋଲି କହିଛନ୍ତି ପୁଟିନ୍ ।

ସେପଟେ ବ୍ରିଟେନରେ କଟକଣା ନେଇ ପଦକ୍ଷେପ ନିଆଯିବ ଏବଂ ଋଷ ସହ ମୁହାଁମୁହିଁ ହେବା ବାଟ ଆପଣାଇଛି ବ୍ରିଟେନ ବୋଲି ଶନିବାର ଋଷ ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା ।