ଟେଷ୍ଟର ପ୍ରଥମ ଦିନରେ ହାମୁଡ଼େଇଲା ପାକିସ୍ତାନ: ୨୧୧ ରନ୍ ସଂଗ୍ରହ ପରେ କାମ ତମାମ

ନୂଆଦିଲ୍ଲୀ: ସେଞ୍ଚୁରିଅନରୁ ସୁପରସ୍ପୋର୍ଟସ ପାର୍କରେ ଗୁରୁବାରଠାରୁ ଆରମ୍ଭ ହୋଇଥିବା ଦକ୍ଷିଣ ଆଫ୍ରିକା ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ବୋଲରଙ୍କ ଦବଦବା ଦେଖିବାକୁ ମିଳିଥିଲା। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ଟିମ୍, ୫୭.୩ ଓଭରରେ ୨୧୧ ରନ୍ ସଂଗ୍ରହ କରିଥିଲା।

କାମରାନ ଗୁଲାମ ସର୍ବାଧିକ ୫୪ ରନ୍ କରିଥିବା ବେଳେ ବାବର ଆଜମ୍ ଦୁଇ ଅଙ୍କ ଅତିକ୍ରମ କରିପାରିନଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ଡାନ୍ ପ୍ୟାଟରସନ୍ ୫ଟି ଓ କୋର୍ବିନ୍ ବସ୍ ୪ଟି ୱିକେଟ୍ ନେଇଥିଲେ।

ଦକ୍ଷିଣ ଆଫ୍ରିକା ଭଲ ଆରମ୍ଭ କରିନଥିବା ବେଳେ ପ୍ରଥମ ଦୁଇଟି ୱିକେଟ୍ ହରାଇଥିଲା। ଦକ୍ଷିଣ ଆଫ୍ରିକା ଅଧିନାୟକ ଟେମ୍ବା ବାଭୁମା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ।

ପାକିସ୍ତାନ ଭଲ ଆରମ୍ଭ କରିନଥିଲା ଏବଂ ୩୬ ରନ୍ ର ସ୍କୋରରେ ଅଧିନାୟକ ଶାନ୍ ମାସୁଦ୍ କୋର୍ବିନ୍ ବସ୍ ଙ୍କ ବଲ୍ ରେ ମାର୍କୋ ଜାନସେନଙ୍କୁ ଧରି ପ୍ୟାଭିଲିୟନ୍ ଫେରିଥିଲେ।

ଏହାପରେ ସାମ ଆୟୁବ, ବାବର ଆଜମ ଓ ସୌଦ ସକିଲଙ୍କ ୱିକେଟ୍ ସମେତ ଲଗାତାର ୩ଟି ଝଟକା ଲାଗିଥିଲା। କାମରାନ ଗୁଲାମ ଓ ମହମ୍ମଦ ରିଜୱାନ ଦଳକୁ ୧୦୦ ରୁ ଅଧିକ କରିଥିଲେ।

ଗୁଲାମ ୫୪ ରନ୍ କରିବା ପରେ ଡାନ୍ ପ୍ୟାଟରସନ୍ ଙ୍କ ଶିକାର ହୋଇଥିଲେ। ମହମ୍ମଦ ରିଜୱାନ, ଆମେର ଜମାଲ ଏବଂ ସଲମାନ ଆଗା ଭଲ ଆରମ୍ଭ କରିଥିଲେ ମଧ୍ୟ ସେମାନେ ଏହାର ଫାଇଦା ଉଠାଇ ପାରିନଥିଲେ ଏବଂ ତିନିଜଣ ୩୦ ଅଙ୍କ ଛୁଇଁବା ପୂର୍ବରୁ ପ୍ୟାଭିଲିୟନକୁ ଫେରିଥିଲେ।

ଶେଷ ଓ୍ଵିକେଟ୍ ପାଇଁ ଖୁର୍ରମ୍ ଶାହଜାଦ୍ ଓ ମହମ୍ମଦ ଅବ୍ବାସଙ୍କ ମଧ୍ୟରେ ୨୨ ରନ୍ ର ଭାଗିଦାରୀ ଯୋଗୁଁ ପାକିସ୍ତାନ ଦଳ ୨୦୦ ରନ୍ ଅତିକ୍ରମ କରିବାରେ ସଫଳ ହୋଇଥିଲା।

ଡେନ୍ ପ୍ୟାଟରସନ୍ ୧୬ ଓଭରରେ ୬୧ ରନ୍ ଦେଇ ୫ ୱିକେଟ୍ ନେଇଥିବା ବେଳେ କୋର୍ବିନ୍ ବସ୍ ୧୫ ଓଭରରେ ୬୩ ରନ୍ ଦେଇ ୪ ୱିକେଟ୍ ନେଇଥିଲେ।

କାଗିସୋ ରାବାଡା ୧୪ ଓଭର ବୋଲିଂ କରିଥିଲେ ମଧ୍ୟ କୌଣସି ସଫଳତା ପାଇନଥିଲେ। ମାର୍କୋ ଜାନସେନ ଶାହଜାଦଙ୍କୁ ଆଉଟ୍ କରି ପାକିସ୍ତାନର ଇନିଂସକୁ ଶେଷ କରିଥିଲେ।