fbpx
BJD SKY
BJD SKY

SAHARA Indiaର କୋଟି କୋଟି ନିବେଶକଙ୍କୁ ଫେରସ୍ତ କରାଯିବ ଅର୍ଥ! କେନ୍ଦ୍ର ସରକାରଙ୍କ ପକ୍ଷରୁ ଆସିଲା ନୂଆ ଅପଡେଟ୍

BJD

ନୂଆଦିଲ୍ଲୀ: ଯଦି ଆପଣଙ୍କ ପଇସା ସାହାରା ଇଣ୍ଡିଆରେ ଫସି ରହିଛି, ତେବେ ଏନେଇ ଏକ ଖୁସି ଖବର ଆସିଛି । କୋଟି କୋଟି ନିବେଶଙ୍କ ଅର୍ଥ ରିଫଣ୍ଡ ନେଇ କେନ୍ଦ୍ର ସରକାର ଲୋକସଭାରେ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ଦେଶର ବିଭିନ୍ନ ଅଞ୍ଚଳର ପାଖାପାଖି ୧୩ କୋଟି ନିବେଶକଙ୍କ ୧.୧୨ ଲକ୍ଷ କୋଟି ଟଙ୍କା ସାହାରାରେ ପଡ଼ି ରହିଛି । କେନ୍ଦ୍ରମନ୍ତ୍ରୀ ପଙ୍କଜ ଚୌଧରୀ ଲୋକସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେବା ଅବସରରେ ଏହି ସୂଚନା ଦେଇଛନ୍ତି ।

ସାହାରା ମାମଲାରେ ସର୍ବୋଚ୍ଚ ଅଦାଲତଙ୍କ ଦ୍ୱାରା ବିଚାରପତି ବିଏନ ଅଗ୍ରୱାଲଙ୍କୁ ନିଯୁକ୍ତି କରାଯାଇଥିଲା । ତାଙ୍କର ପରାମର୍ଶ ପରେ ଭାରତୀୟ ପ୍ରତିଭୂତ ଓ ବିନିମୟ ବୋର୍ଡ (ସେବି) ପକ୍ଷରୁ ଅନେକ ବିଜ୍ଞାପନ ଦେଇ ନିବେଶଙ୍କୁ ଅର୍ଥ ଫେରସ୍ତର ଆବେଦନ ପ୍ରକ୍ରିୟା ବିଷୟରେ କୁହାଯାଇଥିଲା ବୋଲି ଶ୍ରୀ ଚୌଧରୀ କହିଛନ୍ତି ।

ପୂର୍ବରୁ ସେବି ସାହାରା ଗ୍ରୁପର ଦୁଇଟି କମ୍ପାନୀ ସହିତ ଏହାର ପ୍ରତିଷ୍ଠାତା ସୁବ୍ରତ ରାୟଙ୍କ ଉପରେ ୧୨ କୋଟିର ଜରିମାନା ଲାଗୁ କରିଥିଲା । ଏହି ଜରିମାନା ୨୦୦୮ ଓ ୨୦୦୯ ମଧ୍ୟରେ ବିଭିନ୍ନ ନିୟମର ଉଲ୍ଲଂଘନକୁ ନେଇ ଜାରି ହୋଇଥିଲା । ଏହାଛଡ଼ା ଚଳିତ ବର୍ଷ ସାହାରା ପରିବାରର ନିବେଶକମାନେ ନିଜ ନିଜର ଅର୍ଥ ଫେରସ୍ତ ପାଇଁ କ୍ରମାଗତ ଭାବେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ନିବେଶକମାନେ ସେମାନଙ୍କର ଅର୍ଥ ଫେରସ୍ତକୁ ନେଇ ଚିନ୍ତିତ ରହିଛନ୍ତି ।

ଗତ ୨୦୧୨ରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସାହାରାରେ ନିବେଶକମାନେ ଜମା କରିଥିବା ୨୫,୭୮୧ କୋଟିର ମୂଳରାଶି ବଦଳରେ ‘ସେବି-ସାହାରା-ରିଫଣ୍ଡ’ ଖାତାକୁ ୧୫,୫୦୩ କୋଟି ଫେରିଥିଲା । ୨୦୨୧ ମସିହା ଡିସେମ୍ବର ୩୧ ତାରିଖ ମଧ୍ୟରେ ଏହି ଅର୍ଥ ଉକ୍ତ ଆକାଉଣ୍ଟକୁ ଫେରିଥିଲା । ୮୧ କୋଟିର ମୂଳ ରାଶି ପାଇଁ ୫୩,୬୪୨ଟି ଓରିଜିନାଲ ବଣ୍ଡ ସାର୍ଟିଫିକେଟ/ ପାସବୁକ ସହ ଜଡ଼ିତ ୧୯,୬୪୪ଟି ଆବେଦନ ସେବି ନିକଟରେ ଦାଖଲ କରାଯାଇଥିଲା । ସେଥିରୁ ସେବି ୧୩୮ କୋଟିର ମୂଳ ରାଶିକୁ ୪୮,୩୨୬ ଅରିଜିନାଲ ବଣ୍ଡ ସାର୍ଟିଫିକେଟ / ପାସବୁକଧାରୀ ୧୭,୫୨୬ ଏଲିଜିବଲ ବଣ୍ଡ ହୋଲ୍ଡର୍ସଙ୍କୁ ରିଫଣ୍ଡ କରିଥିଲା ।

Get real time updates directly on you device, subscribe now.