fbpx

କୁରୁକ୍ଷେତ୍ରରେ ପ୍ରତିଷ୍ଠା ହେବ ସରସ୍ୱତୀ ନଦୀ ମନ୍ଦିର: ୧୦ ଏକର ଜମି ଅଧିଗ୍ରହଣ

ନୂଆଦିଲ୍ଲୀ: କୁରୁକ୍ଷେତ୍ରର ନଦୀ କୂଳରେ ସରସ୍ୱତୀ ନଦୀର ଭବ୍ୟ ମନ୍ଦିର ପ୍ରତିଷ୍ଠା କରିବାକୁ ଯାଉଛି ହରିୟାଣା ସରସ୍ୱତୀ ହେରିଟେଜ ଡେଭଲପମେଣ୍ଟ ବୋର୍ଡ । ତେଣୁ ନଦୀ କୂଳକୁ ଅପଗ୍ରେଡ କରିବା ପାଇଁ ବୋର୍ଡ ୧୦ ଏକର ଜମି ଅଧିଗ୍ରହଣ ବୋଲି ଜାଣିବାକୁ ମିଳିଛି । ଏ ନେଇ ସୂଚନା ଦେଇଛନ୍ତି ହରିୟାଣା ସରସ୍ୱତୀ ହେରିଟେଜ ଡିପାର୍ଟମେଣ୍ଟର ଉପାଧ୍ୟକ୍ଷ ଧୁମନ ସିଂହ କିରମଚ ।

ସେ କହିଛନ୍ତି ଯେ, କୁରୁକ୍ଷେତ୍ର ଜିଲ୍ଲାର ପିପଲୀ ନିକଟରେ ସରସ୍ୱତୀ ନଦୀର ଭବ୍ୟ ମନ୍ଦିର ସ୍ଥାପନା ପାଇଁ ପ୍ରାୟ ୧୦ ଏକର ଜମି ଅଧିଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛି ବୋର୍ଡ । ଏଥିପାଇଁ ପିପଲୀରୁ ପ୍ରତାପଗଡ ପର୍ଯ୍ୟନ୍ତ ଏକ କିଲୋମିଟର ପରିଧୀ ମଧ୍ୟରେ ୨୦୦ ଫୁଟ ଓସାର ଏବଂ ସରସ୍ୱତୀ ନଦୀରୁ ଚିତା ମନ୍ଦର ପର୍ଯ୍ୟନ୍ତ ଉଭୟ କୂଳରେ ୫୦-୫୦ ଫୁଟ ଓସାରର ରାସ୍ତା ପ୍ରସ୍ତୁତ କରାଯିବ । ଏହି ପରିଯୋଜନାକୁ ଆରତୀ ସ୍ଥଳ ଏବଂ ପାର୍କ ରୂପରେ ବିକଶିତ କରାଯିବ ବୋଲି କହିଛନ୍ତି କିରମଚ । ତେଣୁ ଯଥାଶୀଘ୍ର ଏହି ଜମିର ଅଧିଗ୍ରହଣ କାର୍ଯ୍ୟ ଶେଷ କରିବା ପାଇଁ ଜଳସେଚନ ବିଭାଗକୁ ନିର୍ଦ୍ଦେଶ ଜାରି କରାଯାଇଛି । ଏହା ମଧ୍ୟରେ ଜଳସେଚନ ବିଭାଗର ଅଧିକାରୀ ରାଷ୍ଟ୍ରୀୟ ରାଜମାର୍ଗ-୪୪ ନିକଟସ୍ଥ ସ୍ଥାନକୁ ଯାଞ୍ଚ କରିଛନ୍ତି ।

ଏହି ପରିଯୋଜନାରେ ପିପଲୀ ସରସ୍ୱତୀ ସ୍ଥଳକୁ ଏକ ପର୍ଯ୍ୟଟନ ସ୍ଥଳ ରୂପରେ ବିକଶିତ କରିବା ପାଇଁ ନୂଆ ସୁଯୋଗ ମିଳିପାରିବ । ସୂଚନା ଅନୁସାରେ, ପିପଲୀରେ ଏକ କିଲୋମିଟର ପର୍ଯ୍ୟନ୍ତ ସରସ୍ୱତୀ ନଦୀ କୂଳରେ ଯୋଜନା ପ୍ରଥମରୁ ପ୍ରସ୍ତୁତ ହୋଇସାରିଛି । ତେବେ ସରସ୍ୱତୀ ନଦୀ ହିମାଳୟରୁ ବାହାରିଛି ବୋଲି ବିଶ୍ୱାସ ରହିଛି । ଆଦିବଦ୍ରିରୁ ଯମୁନାନଗରରେ ପ୍ରବେଶ କରି କୁରୁକ୍ଷେତ୍ର ଦେଇ ବହିଯାଇଛି । ତେବେ ପିପଲୀରେ ସରସ୍ୱତୀ ନଦୀର ଓସାର ପ୍ରାୟ ୩ କିଲୋମିଟର ରହିଥିବା ଜାଣିବାକୁ ମିଳିଛି ।

Get real time updates directly on you device, subscribe now.