fbpx

କାଳ ହୋଇ ଆସିଥିଲା ଶନିବାର ରାତି, ୧୮ ନୀରିହ ଶିଶୁଙ୍କ ସହ ଚାଲିଗଲା ୫୬ ଲୋକଙ୍କ ଜୀବନ

Advertisement

ନୂଆଦିଲ୍ଲୀ:ଦେଶର ଅଲଗା ଅଲଗା ସ୍ଥାନରେ ଶନିବାର ରାତି ଯେପରି କାଳ ହୋଇ ଆସିଥିଲା । ଶନିବାର ଦ୍ୱିପ୍ରହର ଠାରୁ ଆରମ୍ଭ କରି ରାତି ପର୍ଯ୍ୟନ୍ତ ଅଗ୍ନିକାଣ୍ଡର ବିଭିନ୍ନ ଘଟଣାରେ ଏ ପର୍ଯ୍ୟନ୍ତ ୧୮ ଶିଶୁଙ୍କ ସହ ୫୬ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି । ଏହାମଧ୍ୟରେ ଦିଲ୍ଲୀ ହସ୍ପିଟାଲରେ ନିଆଁ, ଗୁଜରାଟ ରାଜକୋଟ ଗେମିଂ ଜୋନ୍‌ରେ ନିଆଁ ଓ ଉତ୍ତରପ୍ରଦେଶ ଶାହାଜାହାନପୁର ମର୍ମନ୍ତୁଦ ସଡକ ଦୁର୍ଘଟଣା ସାମିଲ ରହିଛି । ତେବେ ଏହି ସମସ୍ତଙ୍କ ଦୁର୍ଘଟଣାରେ ଅଧିକାଂଶ ଆହତଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବଢିବ ବୋଲି ଆଶଙ୍କା କରାଯାଉଛି ।

ଏହି ଦୁର୍ଘଟଣାରେ ବହୁ ଲୋକଙ୍କ ଦାୟିତ୍ୱହୀନତା ସାମ୍ନାକୁ ଆସିଛି । ଗୋଟିଏ ପଟେ ଭୀଷଣ ଗରମ ପାଇଁ ଲୋକମାନେ କଷ୍ଟରେ ଥିବା ବେଳେ ଅନ୍ୟପଟେ ଅଗ୍ନିକାଣ୍ଡ ଘଟଣା ଲୋକମାନଙ୍କ ଜୀବନକୁ ଆହୁରି ଅତିଷ୍ଠ କରିଦେଇଛି । ରାଜକୋଟ୍ ସପିଂ ମଲ୍‌ରେ ଥିବା ଏକ ଗେମିଂଜୋନ୍‌ରେ ହୋଇଥିବା ଅଗ୍ନିକାଣ୍ଡରେ ୧୨ ଶିଶୁଙ୍କ ସହିତ ୩୫ ଜଣଙ୍କ ମୃତ୍ୟୁ ହୋଇଯାଇଛି । ତେବେ ଏହି ମୃତ୍ୟୁସଂଖ୍ୟା ଆହୁରି ବଢିବ ବୋଲି କୁହାଯାଉଛି ।

ସେହିପରି ରାଜଧାନୀ ଦିଲ୍ଲୀ ସ୍ଥିତ ବିବେକ ବିହାର ଅଞ୍ଚଳରେ ଶନିବାର ରାତିରେ ଏକ ବେବୀ କେୟାର ହସ୍ପିଟାଲରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣାରେ ୭ ଜଣ ଶିଶୁଙ୍କର ପୋଡି ହୋଇ ମୃତ୍ୟୁ ଘଟିଛି । ସେହିପରି ଦିଲ୍ଲୀର କୃଷ୍ଣା ନଗରରେ ଅବସ୍ଥିତ ଏକ ବିଲ୍ଡିଂରେ ନିଆଁ ଲାଗିଥିବା ଖବର ସାମ୍ନାକୁ ଆସିଛି । ଏଥିରେ ୩ ଜଣଙ୍କ ମୃତ୍ୟୁ ଘଟିଛି । ଅନ୍ୟପକ୍ଷରେ ୧୦ ଜଣ ଲୋକ ଗୁରୁତର ହୋଇଛନ୍ତି । ଏହି ଅଗ୍ନିକାଣ୍ଡ ଘଟଣା ରାତି ପ୍ରାୟ ୨ଟା ୩୦ମିରେ ଘଟିଛି । ଏଥିରେ ବହୁ ଗାଡି ବି ଜଳିଯାଇଛି ।

ସେହିପରି ଶାହଜାହାନପୁରରେ ଶନିବାର ବିଳମ୍ବିତ ରାତିରେ ଭୀଷଣ ସଡକ ଦୁର୍ଘଟଣାରେ ୧୧ଜଣଙ୍କ ମୃତ୍ୟୁ ହୋଇଛି ଓ ୧୦ ଲୋକ ଗମ୍ଭୀର ଭାବରେ ଆହତ ହୋଇଛନ୍ତି । ଏ ସମସ୍ତ ଲୋକ ସୀତାପୁର ଜିଲ୍ଲାର ଅଧିବାସୀ ଅଟନ୍ତି । ଏମାନେ ଉତ୍ତରାଖଣ୍ଡରେ ପୂର୍ଣ୍ଣାଗିରି ମାତାଙ୍କ ଦର୍ଶନ ଲାଗି ଯାଉଥିବା ସମୟରେ ରାସ୍ତାରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।

Get real time updates directly on you device, subscribe now.