fbpx

IPLରେ ନିବେଶ କରିବାକୁ ଚାହୁଁଛି ସାଉଦି ଆରବ: ରିପୋର୍ଟ

Advertisement

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ରେ ନିବେଶ କରିବା ନେଇ ଆଗ୍ରହ ପ୍ରକାଶ କରିଛନ୍ତି ସାଉଦି ଆରବର କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନ । ୩୦ ବିଲିୟନ ଡଲାର ଭାଲ୍ୟୁ ବିଶିଷ୍ଟ ଏକ ହୋଲଡିଂ କମ୍ପାନୀ ଆଇପିଏଲର ଅଂଶଧନ କ୍ରୟ କରିବା ନେଇ ସଲମାନଙ୍କ ପରାମର୍ଶଦାତାଙ୍କ ପକ୍ଷରୁ ଭାରତ ସରକାରଙ୍କ ସହ ଆଲୋଚନା କରାଯାଇଥିବା ଏକ ରିପୋର୍ଟରେ କୁହାଯାଇଛି ।

ବ୍ଲୁମବର୍ଗ ରିପୋର୍ଟ ମୁତାବକ, ସାଉଦି ଆରବ ମଲଟି ବିଲିୟନ ଡଲାରର ଆଇପିଏଲର ଅଂଶଧନ କ୍ରୟ କରିବାକୁ ଚାହୁଁଛି । ସାଉଦି ଆରବ ଏକ ଅଲଗା ରଣନୀତି ସହିତ ସାଉଦିର ପବ୍ଲିକ ଇନଭେଷ୍ଟମେଣ୍ଟ ଫଣ୍ଡ ୫ ବିଲିୟନ ଡଲାର ପର୍ଯ୍ୟନ୍ତ ନିବେଶ କରିବାକୁ ଚାହୁଁଛି । ଗତ ସେପ୍ଟେମ୍ବର ମାସରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ଜି-୨୦ ଶିଖର ସମ୍ମିଳନୀରେ ଯୋଗଦେବାକୁ ସଲମାନ ଆସିଥିବା ସମୟରେ ସାଉଦୀ ଅଧିକାରୀମାନେ ଏ ବାବଦରେ ଭାରତୀୟ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ ।

ତେବେ ଆସନ୍ତା ବର୍ଷ ଦେଶରେ ସାଧାରଣ ନିର୍ବାଚନ ହେବାକୁ ଯାଉଥିବା ବେଳେ ନିର୍ବାଚନ ସରିବା ପରେ ଭାରତ ସରକାର ଓ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏନେଇ କିଛି ନିଷ୍ପତ୍ତି ନେଇ ପାରନ୍ତି । ଆଇପିଏଲରେ ପୂର୍ବରୁ ଆରମକୋ ଓ ଦି ସାଉଦୀ ଟୁରିଜିମ ଅଥରିଟି ଆଦି ସ୍ପନସର ରହିଛନ୍ତି । ଗତବର୍ଷ ଆଇପିଏଲର ଲୋକପ୍ରିୟତା ବୃଦ୍ଧି ପାଇବା ସହିତ ଟେଲିକାଷ୍ଟ ପାଇଁ ୬.୨ ବିଲିୟନ ଡଲାର ରହିଥିଲା । ଫଳରେ ଗୋଟିଏ ମ୍ୟାଚ ପିଛା ୧୫.୧ ମିଲିୟନ ଡଲାର ରହିଥିଲା ଯାହାକି ଇଂଲିଶ ପ୍ରିମିୟର ଲିଗ ଠାରୁ ଆଗରେ ରହିବା ସହିତ ୟୁଏସ ନ୍ୟାସନାଲ ଫୁଟବଲ ଲିଗଠାରୁ ସାମାନ୍ୟ ପଛରେ ରହିଥିଲା । ଯଦି ସାଉଦି ଆରବ ଆଇପିଏଲରେ ନିବେଶ କରେ ତେବେ ଲିଗ ପାଇଁ ମିଡ଼ିଆ ରାଇଟସ ଏଗ୍ରିମେଣ୍ଟରେ କିଛି ପରିବର୍ତ୍ତନର ଆବଶ୍ୟକ ହେବ ।

Get real time updates directly on you device, subscribe now.