ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଫ୍ରାନ୍ସର କିଲିୟାନ ଏମବାପ୍ପେ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଫୁଟବଲ ଖେଳାଳି । ଗତ ଫିଫା ବିଶ୍ୱକପ ସମୟରେ ୨୪ ବର୍ଷୀୟ ଏମବାପ୍ପେ ଫାଇନାଲରେ ଯେଉଁଭଳି ଭାବେ ସଂଘର୍ଷ କରିଥିଲେ ତାଙ୍କ ଆଗରେ କିମ୍ବଦନ୍ତୀ ଖେଳାଳି ଲିଓନେଲ ମେସିଙ୍କ ଯାଦୁ ମଧ୍ୟ ଫିକା ପଡ଼ିଯାଇଥିଲା । ଯଦିଓ ଏମବାପ୍ପେ ଫ୍ରାନ୍ସକୁ ବିଜୟୀ କରାଇ ପାରିନଥିଲେ ତଥାପି ବିଶ୍ୱର ଫୁଟବଲ କ୍ରୀଡ଼ାକାଶରେ ଜଣେ ମହାନାୟକ ଜନ୍ମ ନେଇସାରିଛି ଏହା କତାର ବିଶ୍ୱକପ ସାରା ବିଶ୍ୱକୁ ଜଣାଇଦେଇଥିଲା ।
ତେବେ ଏହା ମଧ୍ୟରେ ଏମବାପ୍ପେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି । ଏମବାପ୍ପେଙ୍କ ପାଇଁ ସାଉଦି ଆରବ କ୍ଲବ ୩୦୦ ମିଲିୟନ ୟୁରୋ ବା ୩୩୩ ମିଲିୟନ ଡଲାର ବିଡ୍ ଦାଖଲ କରିଥିବା ଏକ ସୂତ୍ରରୁ ଜଣାପଡ଼ିଛି । ଏହି ବିଡ୍ ଦାଖଲ ହେବା ପରେ ଏମବାପ୍ପେଙ୍କ ସହ କଥା ହେବାକୁ ସାଉଦୀ ଆରବ କ୍ଲବ ଅଲ ହିଲାଲକୁ ପ୍ୟାରିସ ସେଣ୍ଟ ଜର୍ମେନ (ପିଏସଜି) ଅନୁମତି ପ୍ରଦାନ କରିଥିବା ଜଣାପଡ଼ିଛି ।
ଆସନ୍ତା ୨୦୨୪ରେ ଏମବାପ୍ପେ ପ୍ୟାରିସ ସେଣ୍ଟ ଜର୍ମେନର ଫ୍ରି ଏଜେଣ୍ଟ ଭାବେ କ୍ଲବ ଛାଡ଼ିବାକୁ ଚାହୁଁଛନ୍ତି । ଏଭଳି ସ୍ଥିତିରେ ପିଏସଜି ଏମବାପ୍ପେଙ୍କ ଚୁକ୍ତିକୁ ବୃଦ୍ଧି କରିପାରେ ବା ତାଙ୍କୁ ଅଧିକ ବିଡରେ ବିକ୍ରି କରିପାରେ । ଏମବାପ୍ପେଙ୍କ ସହିତ ପିଏସଜିର ହୋଇଥିବା ଚୁକ୍ତି ଆଉ ୧ ବର୍ଷ ବାକି ଥିବାବେଳେ ଆସନ୍ତା ସମର ନୁହେଁ ପିଏସଜି ତାଙ୍କୁ ଏବେ ଛାଡ଼ିବାକୁ ଚାହୁଁଛି । କିନ୍ତୁ ଏମବାପ୍ପେ ଏକ ନୂଆ ଚୁକ୍ତି ସାଇନ କରିବାକୁ ମନା କରିଦେଇଛନ୍ତି ଓ ସେ ଆସନ୍ତା ବର୍ଷ ରିୟଲ ମାଡ୍ରିଦରେ ଯୋଗଦେବେ ବୋଲି ଫ୍ରେଞ୍ଚ ଚାମ୍ପିୟନ୍ସ ଅନୁମାନ କରୁଛନ୍ତି । ତେବେ ଏମବାପ୍ପେ ରିୟଲ ମାଡ୍ରିଦ ସହିତ ଚୁକ୍ତିନାମା ସ୍ୱାକ୍ଷର ପାଇଁ ପ୍ରସ୍ତୁତ ଥିବା ନେଇ ପିଏସଜି ନିଶ୍ଚିତ ଅଛି । ଗତ କିଛିଦିନ ଧରି ଏମବାପ୍ପେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି ।