fbpx

ଅଜିତ ପାୱାର ହେବେ ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ? ସ୍ପଷ୍ଟ କଲେ ଦେବେନ୍ଦ୍ର ଫଡନବୀସ

ନୂଆଦିଲ୍ଲୀ: ଗତ ୨ ତାରିଖରେ ମହାରାଷ୍ଟ୍ର ରାଜନୀତିରେ ଘଟିଥିଲା ଏକ ବଡ଼ ବିସ୍ଫୋରଣ । ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ହୋଇଯାଇଥିଲା ଦୁଇଭାଗ । ଦଳର ଅନ୍ୟତମ ତୁଙ୍ଗନେତା ଅଜିତ ପାୱାର କିଛି ସହଯୋଗୀ ବିଧାୟକଙ୍କ ସହିତ ବିଜେପି-ଏକନାଥ ଶିନ୍ଦେଙ୍କ ମେଣ୍ଟରେ ସାମିଲ ହୋଇଥିଲେ । ଏହାପରେ ଅଜିତ ରାଜ୍ୟର ନୂଆ ଉପମୁଖ୍ୟମନ୍ତ୍ରୀ ଓ ୯ ଜଣ ବିଧାୟକ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଥିଲେ ।

ଏହାପରେ ଏନସିପିର ଅଧ୍ୟକ୍ଷ ବୋଲି ଦାଦା ଶରଦ ପାୱାର ଓ ଅଜିତଙ୍କ ପକ୍ଷରୁ ନିର୍ବାଚନ ଆୟୋଗଙ୍କ ନିକଟରେ ଦାବି କରାଯାଇଥିଲା । ଅଜିତଙ୍କ ଗୋଷ୍ଠୀର ଆଗମନ ପରେ ମହାରାଷ୍ଟ୍ରରେ ଅଜିତ-ଶିନ୍ଦେ-ବିଜେପିଙ୍କ ତ୍ରିକୋଣୀୟ ସମୀକରଣ ଦେଖିବାକୁ ମିଳିଥିଲା । ପୂର୍ବରୁ ମହାରାଷ୍ଟ୍ରରେ ସରକାରକୁ ବଞ୍ଚାଇବା ପାଇଁ ଶିନ୍ଦେଙ୍କ ଉପରେ ନିର୍ଭର କରୁଥିବା ବିଜେପିକୁ ଏବେ ଆଉ ଏକ ବଡ଼ ଅସ୍ତ୍ର ଅଜିତ ମିଳିଯାଇଥିଲା । ଏପରିକି ଶିନ୍ଦେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ବୋଲି ମଧ୍ୟ ଚର୍ଚ୍ଚା ହୋଇଥିଲା । ଏହାପରେ ଶିବସେନାର ବିଧାୟକଙ୍କ ବୈଠକ ଡକାଇବା ସହିତ ସେ ଇସ୍ତଫା ଦେବେ ନାହିଁ ବୋଲି ଶିନ୍ଦେ ସ୍ପଷ୍ଟ କରିଥିଲେ ।

ତେବେ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଅଜିତ ହେବା ନେଇ କିଛିଦିନ ଧରି ଚର୍ଚ୍ଚା ହେବାରେ ଲାଗିଛି । ଏହାକୁ ନେଇ ମୁହଁ ଖୋଲିଛନ୍ତି ରାଜ୍ୟ ଉପମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡନବୀସ । ସେ କହିଛନ୍ତି, ମହାମେଣ୍ଟ ପୂର୍ବରୁ ଏହି ପ୍ରସଙ୍ଗରେ ଚର୍ଚ୍ଚା ହୋଇଥିଲା । ଶିନ୍ଦେ ମୁଖ୍ୟମନ୍ତ୍ରୀ ରହିବେ ବୋଲି ସମସ୍ତଙ୍କର ସହମତି ରହିଥିଲା । ମହାରାଷ୍ଟ୍ର ରାଜନୀତିରେ ପୁଣି ଓଲଟ ପାଲଟ ହେବା ନେଇ ବେଶ୍ ଚର୍ଚ୍ଚା ହେଉଛି । ଯିଏ ଯାହା କହିଲେ କିଛି ହେବନି, ଆମର ଗଠବନ୍ଧନ ଶକ୍ତିଶାଳୀ ରହିଛି । ଶିନ୍ଦେଙ୍କ ମୁଖ୍ୟମନ୍ତ୍ରୀତ୍ୱକୁ ନେଇ କାହାର କିଛି ଭ୍ରମ ନାହିଁ । କିଛି ନେତା ଏପରି ଗୁଜବ ସୃଷ୍ଟି କରି ଗଠବନ୍ଧନକୁ ଦୁର୍ବଳ କରିବାକୁ ପ୍ରୟାସ କରୁଛନ୍ତି । ସୂଚନା ଯୋଗ୍ୟ ଯେ, ଅଜିତ ମହାରାଷ୍ଟ୍ରର ପରବର୍ତ୍ତୀ ସିଏମ ହେବେ ବୋଲି ବରିଷ୍ଠ କଂଗ୍ରେସ ନେତା ପୃଥିବୀରାଜ ଚଭନ କହିଥିଲେ ।

Get real time updates directly on you device, subscribe now.