fbpx

ସକାଳୁ ସକାଳୁ ଗ୍ରାହକଙ୍କୁ ଝଟକା ଦେଲା SBI: ଆଜିଠାରୁ ଏହି କାମ ପାଇଁ ଦେବାକୁ ପଡ଼ିବ ଅଧିକ ଟଙ୍କା

ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଏସବିଆଇରୁ ଯଦି ଆପଣ କୌଣସି ଲୋନ୍ ନେଇଛନ୍ତି କି ଲୋନ୍ ନେବାକୁ ପ୍ଲାନ୍ କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ଆଜିଠାରୁ ଏସବିଆଇ ଲୋନ୍ ଉପରେ ସୁଧ ହାର ମହଙ୍ଗା ହୋଇଛି । ଏସବିଆଇ ପକ୍ଷରୁ MCLRରେ ୨୫ ବେସିସ୍ ପଏଣ୍ଟ ବୃଦ୍ଧି କରାଯାଇଛି । ଏହା ଫଳରେ ବ୍ୟାଙ୍କର କୋଟି କୋଟି ଗ୍ରାହକଙ୍କୁ ବଡ଼ ଝଟକା ଲାଗିଛି । ଏହା ପରେ ବ୍ୟାଙ୍କରୁ ମିଳୁଥିବା ସମସ୍ତ ପ୍ରକାରର ଲୋନ୍ ମହଙ୍ଗା ହୋଇଛି ।

ଏହା ବ୍ୟତୀତ ଯେଉଁମାନେ ହୋମ୍ ଲୋନ୍ ନେଇଛନ୍ତି, ସେମାନଙ୍କୁ ମଧ୍ୟ ଅଧିକ ସୁଧ ଦେବାକୁ ପଡ଼ିବ । ଅର୍ଥାତ୍ ଏହି ନିଷ୍ପତ୍ତି ଦ୍ୱାରା ଉଭୟ ନୂଆ ଓ ପୁରୁଣା ଗ୍ରାହକ ପ୍ରଭାବିତ ହେବେ । ଏମସିଏଲଆର ବୃଦ୍ଧି ବିଷୟରେ ବ୍ୟାଙ୍କର ଅଫିସିଆଲ୍ ୱେବସାଇଟରେ ସୂଚନା ଦିଆଯାଇଛି ।

ଆରବିଆଇ ଦ୍ୱାରା ରେପୋ ହାର ବୃଦ୍ଧି ପରେ ବ୍ୟାଙ୍କ ସୁଧ ହାର ବୃଦ୍ଧି କରିବାର ନିଷ୍ପତ୍ତି ନେଇଥିବା ଖବର ଆସିଥିଲା । ତେବେ ଡିସେମ୍ବର ମାସରେ କେନ୍ଦ୍ରୀୟ ବ୍ୟାଙ୍କ ଦ୍ୱାରା ଅନୁଷ୍ଠିତ ଏମପିସି ବୈଠକରେ ରେପୋ ହାରକୁ ୩୫ ଆଧାର ପଏଣ୍ଟ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହାର ରେପୋ ହାର ୬.୨୫% କୁ ବୃଦ୍ଧି ପାଇଛି । ମେ ମାସରୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ଆରବିଆଇ ରେପୋ ହାରକୁ ୨.୨୫ ପ୍ରତିଶତ ବୃଦ୍ଧି କରିଛି ।

କେତେ ବଢ଼ିଲା MCLR ?
ଏସବିଆଇ ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଏକରୁ ତିନିମାସ ପର୍ଯ୍ୟନ୍ତ ଏମସିଏଲଆରକୁ ୭.୭୫% ରୁ ୮% କୁ ବୃଦ୍ଧି କରାଯାଇଛି । ଛଅ ମାସରୁ ଏକ ବର୍ଷର ଏମସିଏଲଆରକୁ ୮.୦୫% ରୁ ୮.୩୦% କୁ ବୃଦ୍ଧି କରାଯାଇଛି । ଦୁଇ ବର୍ଷର ଏମସିଏଲଆର ୮.୨୫% ରୁ ୮.୫୦% କୁ ବୃଦ୍ଧି ପାଇଛି । ଏଥି ସହିତ, ତିନି ବର୍ଷରେ ଏମସିଏଲଆର ୮.୩୫% ରୁ ୮.୬୦% କୁ ବୃଦ୍ଧି ପାଇଛି ।

Get real time updates directly on you device, subscribe now.