fbpx

ନିର୍ବାଚନ ସମୟରେ ରାଜନୈତିକ ଦଳମାନେ କାହିଁକି ମାଗଣା ଜିନିଷ ବାଣ୍ଟୁଛନ୍ତି, କେନ୍ଦ୍ର ସରକାରଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ

AAKASH

ନୂଆଦିଲ୍ଲୀ: ଆଜିକାଲି ଅଧିକାଂଶ ରାଜନୈତି ଦଳମାନେ ନିର୍ବାଚନ ପୂର୍ବରୁ ଜନସାଧାରଣଙ୍କୁ ମାଗଣା ଜିନିଷ ପ୍ରଦାନ ନେଇ ଘୋଷଣା କରିଥାନ୍ତି । ତେବେ ଏହି ମାମଲାକୁ ଗମ୍ଭୀରତାର ସହ ନେଇ ସନ୍ତୋଷଜନକ ଜବାବ ଦାଖଲ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇଥିବା ବେଳେ ଏନେଇ ସରକାର ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବା ଦରକାର । କେନ୍ଦ୍ର ସରକାର ଏ ବାବଦରେ ଅର୍ଥ ଆୟୋଗଙ୍କ ସହ ଆଲୋଚନା କରି କୋର୍ଟଙ୍କୁ ଜଣାଇବାକୁ କୁହାଯାଇଛି ।

ତେବେ ଏଭଳି ମାଗଣା ଜିନିଷ ପ୍ରଦାନ କରିବାକୁ ଘୋଷଣା କରୁଥିବା ରାଜନୈତିକ ଦଳଗୁଡ଼ିକର ମାନ୍ୟତା ରଦ୍ଦ କରିବାକୁ ସର୍ବୋଚ୍ଚ ଅଦାଲତରେ ଏକ ଜନହିତ ମାମଲା ଦାୟର ହୋଇଥିଳା । ଏପରି ଭାବେ ରାଜନୈତିକ ଦଳଗୁଡ଼ିକ ଲୋକଙ୍କଠାରୁ ଭୋଟ କିଣିବାକୁ ପ୍ରୟାସ କରିଥାନ୍ତି । ଏହା ନିର୍ବାଚନ ପ୍ରକ୍ରିୟାକୁ ଖରାପ କରୁଛି ଓ ଏହାଦ୍ୱାରା ସରକାରଙ୍କ ଉପରେ ରାଜସ୍ୱ ବୋଝ ବଢ଼ୁଥିବା ୟାଚିକାରେ କୁହାଯାଇଥିଲା ।

ଆଜି ସୁପ୍ରିମକୋର୍ଟରେ ଶୁଣାଣି ଆରମ୍ଭ ହେବା ପରେ ନିର୍ବାଚନ କମିସନ (ଇସି) ଓ କେନ୍ଦ୍ର ସରକାର ନିଜ ନିଜର ପକ୍ଷ ରଖିଥିଲେ । ଇସିଙ୍କ ପକ୍ଷରୁ ଆଇନଜୀବୀ ଅନିଲ ଶର୍ମା କହିଥିଲେ, ଏପରି ଘୋଷଣା ଉପରେ ଆୟୋଗ ରୋକ ଲଗାଇ ପାରିବ ନାହିଁ । କେନ୍ଦ୍ର ସରକାର ନୂଆ ଆଇନ ତିଆରି କରି ଏହାକୁ ଦୂର କରିପାରିବେ । ସେହିପରି ଏହା ନିର୍ବାଚନ ଆୟୋଗଙ୍କ ଅଧୀନରେ ଆସୁଥିବା ଅତିରିକ୍ତ ସଲିସିଟର ଜେନେରାଲ କେ.ଏମ. ନଟରାଜ କହିଥିଲେ ।

ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଏନଭି ରମଣା ଏହି ପ୍ରସଙ୍ଗରେ ସରକାରଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ । କେନ୍ଦ୍ର ସରକାର ଏକ ପ୍ରମାଣପତ୍ର ଦାଖଲ କରି ନିଜର ପକ୍ଷ ରଖିବାକୁ ସେ କହିଥିଲେ । କୋର୍ଟରେ ଉପସ୍ଥିତ ଆଇନଜୀବୀ କପିଲ ସିବଲଙ୍କୁ ରମଣା ନିଜର ମତ ରଖିବା ପାଇଁ କହିଥିଲେ । ତେବେ ଏଥିରେ ସରକାରଙ୍କ କୌଣସି ଭୂମିକା ନାହିଁ, ଏହାକୁ ଅର୍ଥ ଆୟୋଗ ସଠିକ ଢଙ୍ଗରେ ପରିଚାଳନା କରିପାରିବ ବୋଲି ସିବଲ କହିଥିଲେ ।

Get real time updates directly on you device, subscribe now.