fbpx

ଏସସିବିରେ ପ୍ରଥମ ଯକୃତ ପ୍ରତିରୋପଣ ସଫଳ ହେଲା: ରାଜ୍ୟ ସ୍ୱାସ୍ଥ୍ୟ ସେବା ସହ ଯୋଡ଼ି ହେଲା ନୂଆ ଇତିହାସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସ୍ୱାସ୍ଥ୍ୟ ସେବା ସହ ଯୋଡ଼ି ହୋଇଛି ନୂଆ ଇତିହାସ । ଏସସିବିରେ ପ୍ରଥମ ଯକୃତ ପ୍ରତିରୋପଣ ସଫଳତାର ସହ ସମ୍ପନ୍ନ ହୋଇଛି । ଦୀର୍ଘ ୧୨ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟିଛି । ପ୍ରଥମ ଥର କଟକ ବଡ଼ ମେଡିକାଲରେ ଯକୃତ ପ୍ରତିରୋପଣ ସଫଳ ହୋଇଛି । ତିଗିରିଆ ଅଞ୍ଚଳର ଜଣେ ୪୫ ବର୍ଷୀୟ ଜନୈକ ବ୍ୟକ୍ତିଙ୍କ ଶରୀରରେ ଯକୃତ ପ୍ରତିରୋପଣ କରାଯାଇଛି । ସାଧାରଣ ଭାବେ ଯକୃତ ପ୍ରତିରୋପଣ ଖୁବ୍ ମହଙ୍ଗା ହୋଇଥିବା ବେଳେ ଉକ୍ତ ବ୍ୟକ୍ତିଙ୍କୁ ମାଗଣାରେ ଏହି ସେବା ଯୋଗାଇ ଦିଆଯାଇଛି ।

ଉକ୍ତ ବ୍ୟକ୍ତିଙ୍କ ପତ୍ନୀଙ୍କ ଲିଭରର ଦୁଇ ତୃତୀୟାଂଶ କାଟି ନିଆଯାଇ ତାଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିଲା । ଏବେ ଉକ୍ତ ବ୍ୟକ୍ତିଙ୍କ ସ୍ୱାସ୍ଥାବସ୍ଥା ସ୍ଥିର ରହିଥିବା ଡାକ୍ତର କହିଛନ୍ତି । ହାଇଦ୍ରାବାର ଏଆଇଜିର ୯ ଜଣ ଓ ଏସସିବିର ୧୫ ଜଣ ଡାକ୍ତରଙ୍କୁ ମିଶାଇ ଏପରି ଭାବେ ଏକ ୨୪ ଜଣିଆ ମେଡିକାଲ ଟିମ୍ ଏହି ପ୍ରତିରୋପଣ ପ୍ରକ୍ରିୟାରେ ସାମିଲ ହୋଇଥିଲେ । ଡାକ୍ତରଙ୍କ ମତରେ, ଅନ୍ୟ ଅଙ୍ଗ ପ୍ରତିରୋପଣ ଅପେକ୍ଷା ଲିଭର ପ୍ରତିରୋପଣ ଏକ ଭିନ୍ନ ଓ ଜଟିଳ ପ୍ରକ୍ରିୟା । ଏଥିରେ ୪ଟି ରକ୍ତନଳୀ ହେପାଟିକ ଭେନ, ହେପାଟିକ ଆର୍ଟେରୀ, ପୋର୍ଟାଲ ଭେଟ ଓ ବାଇଲ ଡକ୍ଟକୁ ଯୋଡ଼ିବାକୁ ପଡ଼ିଥିଲା । ପ୍ରତିରୋପଣ ପ୍ରକ୍ରିୟା ସଫଳ ହୋଇଥିବା ବେଳେ ତା’ର ପରବର୍ତ୍ତୀ ଚିକିତ୍ସା ଉପରେ ଅଧିକ ଧ୍ୟାନ ଦିଆଯିବ । ଡାକ୍ତର ଓ ନର୍ସିଂ ଅଫିସରମାନେ ୨୪ ଘଣ୍ଟିଆ ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ପ୍ରତି ଧ୍ୟାନ ଦେବେ । ଉଭୟଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ଓ ପୁଷ୍ଟିସାର ସନ୍ତୁଳନ ଦିଗରେ ବିଶେଷ ଭାବେ ଦୃଷ୍ଟି ଦିଆଯିବ ।

Get real time updates directly on you device, subscribe now.