fbpx

୨୬ରୁ ଖୋଲିବ ହଷ୍ଟେଲ୍‌, ରହିପାରିବେ ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀ, ଏସ୍‌ଓପି ଜାରି କଲା ଗଣଶିକ୍ଷା ବିଭାଗ

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍‌): ଚଳିତ ମାସ ୨୬ ତାରିଖରୁ ଉଭୟ ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଖୋଲିବ ହଷ୍ଟେଲ୍‌ । ଏନେଇ ରାଜ୍ୟ ସରକାରଙ୍କ ଅତିରିକ୍ତ ସଚିବ ଡା. ପ୍ରତାପ କୁମାର ମିଶ୍ର ବୁଧବାର ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ, ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ଏବଂ ମାଧ୍ୟମିକ ଶିକ୍ଷା ବୋର୍ଡର ସଭାପତିଙ୍କୁ ଚିଠି ଲେଖିଛନ୍ତି ।

ରାଜ୍ୟ ସରକାରଙ୍କ ଘୋଷଣା ଅନୁସାରେ ଘରୋଇ ସଂସ୍ଥା ପରିଚାଳିତ ଇଂରାଜୀ ମିଡିୟମ ସ୍କୁଲ୍‌ ହଷ୍ଟେଲ୍‌, ଗଣଶିକ୍ଷା ବିଭାଗ ପରିଚାଳିତ ହଷ୍ଟେଲ୍‌, ଏସ୍‌ସି/ ଏସ୍‌ଟି ଓ ପଛୁଆ ବର୍ଗ ପରିଚାଳିତ ହଷ୍ଟେଲ ଖୋଲିବ । ତେବେ ଏହି ହଷ୍ଟେଲ୍‌ଗୁଡ଼ିକ ଖୋଲିବା ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର୍‌ (ଏସ୍‌ଓପି) ଜାରି ହୋଇଛି । ନିର୍ଦ୍ଧିଷ୍ଟ ବ୍ୟବଧାନରେ ମେସ୍‌ ଓ ଶୌଚାଳୟ ବିଶୋଧନ ହେବ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମାର୍ଗଦର୍ଶିକା ମାନିବାକୁ ପଡ଼ିବ ବୋଲି ଏସ୍‌ଓପିରେ ନିର୍ଦ୍ଦେଶ ଦିଆଯାଇଛି ।

ସେହିପରି ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପ୍ରତି ସତର୍କ ରହିବାକୁ ପଡ଼ିବ । ହଷ୍ଟେଲରେ ଯୋଗଦେବା ପୂର୍ବରୁ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଅଭିଭାବକମାନଙ୍କଠାରୁ ଅନୁମତି ଆଣିବାକୁ ପଡ଼ିବ । ସ୍ଥାନୀୟ ସ୍ୱାସ୍ଥ୍ୟ ସଂସ୍ଥା ସହିତ ଶିକ୍ଷା ପ୍ରତିଷ୍ଠାନର ମୁଖ୍ୟ ସମ୍ପର୍କରେ ରହିବେ । ହଷ୍ଟେଲ ପରିସରରେ ଗହଳିକୁ ବାରଣ କରାଯାଇଛି । ଏଥିପାଇଁ ହଷ୍ଟେଲ କର୍ତ୍ତୃକ୍ଷଙ୍କୁ ନଜର ରଖିବାକୁ ପରାମର୍ଶ ଦିଆଯାଇଛି ।

ପୂର୍ବରୁ ଚଳିତ ମାସ ୨୬ ତାରିଖରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ସ୍କୁଲ୍‌ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଅନ୍‌ଲାଇନ୍‌ ପାଠପଢ଼ାରେ ବିଭ୍ରାଟ ସୃଷ୍ଟି ହେବା କାରଣରୁ ଏପରି ନିଷ୍ପତ୍ତି ନିଆଯାଇଛି । କଟକଣା ଆଉ ସୁରକ୍ଷା ବଳୟ ଭିତରେ ସ୍କୁଲ ଖୋଲିବ । ସାମାଜିକ ଦୂରତ ରଖି କ୍ଲାସରେ ୨୦ ରୁ ୨୫ ପିଲା ବସିବେ । ସମସ୍ତଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଛି । ସ୍କୁଲକୁ ନିୟମିତ ଭାବେ ସାନିଟାଇଜ୍‌ କରାଯିବ । ଏପରିକି ପ୍ରବେଶ ପଥରେ ସାନିଟାଇଜର ଓ ଥର୍ମାଲ ସ୍କ୍ରିନିଂର ବ୍ୟବସ୍ଥା ରହିବ । ତା ସହିତ ସ୍କୁଲରେ ଆଇସୋଲେସନ ରୁମ୍‌ ବି ରହିବ । ୫୦ ପ୍ରତିଶତ ସିଟ୍‌ ଖାଲି ରଖି ଛାତ୍ରଛାତ୍ରୀଙ୍କୁ ପରିବହନ ସୁବିଧା ଯୋଗାଇ ଦିଆଯିବ । ପ୍ରତି ଜିଲ୍ଲାର ନୋଡାଲ ଅଫିସର ସ୍କୁଲକୁ ଯାଇ ନିୟମିତ ତଦାରଖ କରିବେ ବୋଲି ପୂର୍ବରୁ ଘୋଷଣା କରାଯାଇଛି ।

Get real time updates directly on you device, subscribe now.