ନୂଆଦିଲ୍ଳୀ: ମଣିଷ ବିଜ୍ଞାନ କ୍ଷେତ୍ରରେ ଯେତେ ଆଗକୁ ଯାଇଥିଲେ ହେଁ ଆଜି ବି ଜଳ, ସ୍ଥଳ, ଆକାଶ, ପାତାଳକୁ ନେଇ ଅନେକ ତଥ୍ୟ ରହସ୍ୟ ଘେରରେ ରହିଛି । ତେବେ ପୃଥିବୀ ପୃଷ୍ଠ ତଳେ ପାତାଳଲୋକ ଅଛି ବୋଲି ଆମେ ବହୁପୂର୍ବରୁ ଶୁଣିଆସୁଛେ । ମାତ୍ର ତାହାର ତଥ୍ୟ, ପ୍ରମାଣ କିଛି ବି ଲୋକଲୋଚନକୁ ଆସିପାରିନାହିଁ । ଆଜି ପର୍ଯ୍ୟନ୍ତ ପାତାଳକୁ କେହି ଯାଇନାହାନ୍ତି କି କେହି ଦେଖିନାହାନ୍ତି । ଏହି ରହସ୍ୟ ଉନ୍ମୋଚନ ପାଇଁ ଅନେକ ଖନନ କାର୍ଯ୍ୟ ମଧ୍ୟ କରାଯାଇଛି ।
ମହାକାଶ ବିଜ୍ଞାନ ଅନୁଯାୟୀ, ପୃଥିବୀ ଶୂନ୍ୟରେ ରହିଛି ଓ ସୂର୍ଯ୍ୟ ଚାରିପଟେ ଘୂରୁଛି । ମାତ୍ର ଧର୍ମ ଓ ପୁରାଣରେ କିଛି ଅଲଗା କାହାଣୀ ରହିଛି । ପୃଥିବୀ ତଳେ କ’ଣ ରହିଛି, ଧରିତ୍ରୀକୁ କିଏ ଟେକି ଧରିଛି, ମଣିଷ ପୃଥିବୀକୁ କିପରି ଆସିଲା ଏପରି ଅନେକ ପ୍ରଶ୍ନ ସୃଷ୍ଟି ହେଉଛି । ଏହିସବୁ ପ୍ରଶ୍ନର ଉତ୍ତର ପାଇବା ପାଇଁ ବୈଜ୍ଞାନିକମାନେ ବର୍ଷ ବର୍ଷ ଧରି ଦିନରାତି ଏକ କରିଦେଇଛନ୍ତି । ତେବେ ନିକଟରେ ବୈଜ୍ଞାନିକଙ୍କ ଏକ ନୂଆ ଅନୁସନ୍ଧାନ ସାରା ବିଶ୍ୱକୁ ଚମକାଇ ଦେଇଛି ।
ବୈଜ୍ଞାନିକଙ୍କ ଅଧ୍ୟୟନ ମୁତାବକ, ଧରିତ୍ରୀର ୧୦୦ ମାଇଲ ତଳେ ଏକ ଚଟାଣ ରହିଛି । ଉକ୍ତ ଚଟାଣ ସ୍ତର ଆମ ଗ୍ରହର ଅତିକମରେ ୪୪ ପ୍ରତିଶତ ଭାଗକୁ କଭର କରୁଛି । ଏହି ଚଟାଣଟି ଏକ ଅଜ୍ଞାତ କ୍ଷେତ୍ର, ଯାହାକୁ କି ଏସ୍ଥେନୋସ୍ପିୟର କୁହାଯାଏ । ଟେକ୍ସାସ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ ଜୁନଲିନ ହୁଆଙ୍କ ରିପୋର୍ଟ ମୁତାବକ, ପୃଥିବୀର ପାଖାପାଖି ୧୬୦ କିମି ତଳେ ଏପରି ଏକ ତରଳ ଚଟାଣ ରହିଛି । ଉକ୍ତ ଚଟାଣରେ କିଛି ଚିପଚିପାହଟ ପଦାର୍ଥ ମିଶ୍ର ଅବସ୍ଥାରେ ରହିଛି । ଆଗାମୀ ଦିନରେ ରିସର୍ଚ୍ଚରୁ ନୂଆ ତଥ୍ୟ ମିଳିବାର ସମ୍ଭାବନା ରହିଛି ।
ତେବେ ଏହି ନୂଆ ଅନୁସନ୍ଧାନକୁ ବୈଜ୍ଞାନିକମାନେ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି । ଏହି ତରଳ ଚଟାଣରୁ ଆଗାମୀ ଦିନରେ ବହୁତ କିଛି ତଥ୍ୟ ସାମ୍ନାକୁ ଆସିପାରେ । ବିଶେଷ କରି ଧରିତ୍ରୀ ଭିତରେ କେଉଁଠି କ’ଣ ଚାଲିଛି, କ’ଣ ଘଟିବ, ତାହା ରିସର୍ଚ୍ଚ ଦ୍ୱାରା ଲୋକଲୋଚନକୁ ଆସିପାରେ । ନିକଟରେ ତୁର୍କୀରେ ଦେଖାଦେଇଥିବା ବିନାଶକାରୀ ଭୂକମ୍ପ ପରେ ଧରିତ୍ରୀର ଅନ୍ତରୀଣ ଭାଗକୁ ନେଇ ଅଧ୍ୟୟନ କରିବା ନେଇ ବୈଜ୍ଞାନିକମାନେ ବିଚାର କରିଥିଲେ । ଏହି ଅବସରରେ ଧରିତ୍ରୀ ତଳେ ଥିବା ଚଟାଣ ସ୍ତର ବିଷୟରେ ନୂଆ ତଥ୍ୟ ମିଳିଥିଲା । ପୃଥିବୀର ଆଭ୍ୟନ୍ତରୀଣ କୋରର ଘୂର୍ଣ୍ଣନ ଏବେ ଧୀମା ହୋଇଯାଉଛି ବୋଲି ନିକଟରେ ବୈଜ୍ଞାନିକମାନେ ମତ ଦେଇଥିଲେ ।