fbpx

ସୁନ୍ଦରଗଡ଼ରେ ଚିନ୍ତା ବଢାଉଛି ସ୍କ୍ରବ ଟାଇଫସ୍, ଆଉ ୭ ପଜିଟିଭ

AAKASH

ସୁନ୍ଦରଗଡ଼: ବିଶ୍ୱରେ କରୋନା ମହାମାରୀ ନିଜର ଭୟଙ୍କର ରୂପ ଦେଖାଇ ଥମିବା ପରେ ଏବେ ରାଜ୍ୟ ତଥା ଦେଶରେ ଅନେକ ଭାଇରସ ଚିନ୍ତା ବଢାଇବାରେ ଲାଗିଛି । କେରଳ ରାଜ୍ୟରେ ନିପା ଭାଇରସ ଦ୍ରୁତ ଗତିରେ ବଢୁଥିବା ବେଳେ ରାଜ୍ୟର ସୁନ୍ଦରଗଡ଼ ଜିଲ୍ଲାରେ ସ୍କ୍ରବ ଟାଇଫସ୍ ଚିନ୍ତାର ବିଷୟ ପାଲଟିଛି । ଏଠାରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ସୂଚନା ଅନୁଯାୟୀ, ଗତକାଲି ସୁନ୍ଦରଗଡ଼ରେ ୧୦ ଜଣ ନୂଆ ସଂକ୍ରମିତ ଦେଖାଯାଇଥିବା ବେଳେ ଆଜି ପୁଣି ୭ଜଣ ଆକ୍ରାନ୍ତ ହୋଇଛନ୍ତି । ଏହାର ପଜିଟିଭ ସଂଖ୍ୟା ଏବେ ସ୍ୱାସ୍ଥ୍ୟ ବିଭାଗ ଠାରୁ ଆରମ୍ଭ କରି ଲୋକମାନଙ୍କ ମଧ୍ୟରେ ଚିନ୍ତା ବଢାଇବାରେ ଲାଗିଛି । ତେବେ ସମଗ୍ର ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୨୦୦ରେ ପହଁଚିଲାଣି । ରାଜ୍ୟର କେବଳ ସୁନ୍ଦରଗଡ଼ ଜିଲ୍ଲା ନୁହେଁ ବରଂ ବରଗଡ଼ ଜିଲ୍ଲାରେ ମଧ୍ୟ ଏହି ସଂକ୍ରମଣ ବଢୁଛି । ଏହି ରୋଗର ନିରାକରଣ ପାଇଁ ଏହି ଦୁଇଟି ଜିଲ୍ଲାକୁ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଟିମ ପଠାଯାଇଛି ।

ଏହି ଜୀବାଣୁ ଚାଷ ଜମି ଓ ଜଙ୍ଗଲରେ ରହିଥାନ୍ତି । ଲାର୍ଭା ମାଇଟ୍ସ ନାମକ ପୋକ କାମୁଡିବା ଫଳରେ ଏହା ଭୂତାଣୁ ଶରୀରର ଚର୍ମକୁ ଚାଲିଯାଇଥାଏ । ପୋକଟି ଯେଉଁଠି କାମୁଡିଥାଏ ସେଠାରେ ପ୍ରଥମେ ଗୋଟିଏ ଛୋଟିଆ ବ୍ରଣ ଭଳି ହୋଇଥାଏ । ପରେ ଏହା ଘା’ ହୋଇଯାଇଥାଏ । ଲମ୍ବା ସମୟ ଧରି ଜ୍ୱର ସହିତ ହାତ, ଗୋଡ ଓ ତଣ୍ଟି ବିନ୍ଧା ଲାଗିରହିଥାଏ । ଏପରିକି ଝାଡା ଓ କାଶ ମଧ୍ୟ ହୋଇଥାଏ । ତେବେ ପ୍ରାଥମିକ ଚିକିତ୍ସା କଲେ ଏହି ରୋଗ ଭଲ ହୋଇଥାଏ । ଏହି ରୋଗରେ ଆକ୍ରାନ୍ତ ଯଦି ଗୁରୁତର ହୋଇଥାନ୍ତି, ତେବେ ଦେହରେ ସେପ୍ଟି ସେମିଆ ଓ ନିମୋନିଆ ଭଳି ରୋଗ ଦେଖାଦେଇଥାଏ ।

Get real time updates directly on you device, subscribe now.