fbpx
BJD SKY
BJD SKY

ଖୋଲିଲା ହୀରାକୁଦ ଡ୍ୟାମ୍‌ ଗେଟ୍; ନିଷ୍କାସନ ହେଲା ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ

BJD

ସମ୍ବଲପୁର: ଖୋଲିଲା ହୀରାକୁଦ ଡ୍ୟାମ୍‌ ଗେଟ୍, ମହାନଦୀରେ ନିଷ୍କାସିତ ହେଲା ବର୍ଷର ପ୍ରଥମ ବନ୍ୟାଜଳ। ୫ଟା ସ୍ଲୁଇସ୍‍ ଗେଟ୍‍ ଦେଇ ବନ୍ୟାଜଳ ଛଡ଼ାଯିବ। ପରମ୍ପରା ଅନୁସାରେ ପୂଜାର୍ଚ୍ଚନା ପରେ ୭ ନମ୍ବର ଗେଟ୍‍ ଦେଇ ପ୍ରଥମେ ବନ୍ୟାଜଳ ନିଷ୍କାସନ କରାଯାଇଛି। ପର୍ଯ୍ୟାୟକ୍ରମେ ଆଉ ୪ଟି ଗେଟ୍ ଖୋଲାଯିବ। ହୀରାକୁଦ ଡ୍ୟାମ୍‍ରୁ ଆଜି ସକାଳ ୯ଟାରେ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଥିଲା। ମୋଟ ୫ଟା ସ୍ଲୁଇସ୍‍ ଗେଟ୍‍ ଦେଇ ବନ୍ୟାଜଳ ଛଡ଼ାଯିବ।

ଜଳସ୍ତରକୁ ଦୃଷ୍ଟିରେ ରଖି ଡ୍ୟାମ କର୍ତ୍ତୃପକ୍ଷ ଏହି ନିଷ୍ପତ୍ତି ନେଇଛନ୍ତି । ଉପରମୁଣ୍ଡରେ ବର୍ଷା ଯୋଗୁଁ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଉଛି । ବନ୍ୟାଜଳ ନିଷ୍କାସନ ଯୋଗୁଁ ମହାନଦୀ ଓ ଶାଖାନଦୀରେ ଜଳସ୍ତର ବୃଦ୍ଧି ପାଇବ । ଏହି ବାବଦରେ ଜନସାଧାରଣ ସତର୍କ ରହିବା ଲାଗି ମହାନଦୀ ଦେଇ ଯାଇଥିବା ଜିଲ୍ଲାଗୁଡ଼ିକୁ ଡ୍ୟାମ କର୍ତ୍ତୃପକ୍ଷ ଆଗୁଆ ସତର୍କ କରିଛନ୍ତି । ପରେ ନଦୀବନ୍ଧର ଉପର ଓ ତଳ ମୁଣ୍ଡରେ ବର୍ଷାର ପରିମାଣକୁ ତର୍ଜମା କରାଯାଇ ନିଷ୍ପତି ହୀରାକୁଦ ଡ୍ୟାମ୍‍ର କର୍ତ୍ତୃପକ୍ଷ କହିଛନ୍ତି । ବାମପଟର ସ୍ପିନ୍‍ରୁ ତିନୋଟି ଏବଂ ଦକ୍ଷିଣପଟ ସ୍ପିନ୍‍ର ଦୁଇଟି ଗେଟ୍‍ ଖୋଲାଯିବ ବୋଲି ଜଣାପଡ଼ିଛି।

ଶୁକ୍ରବାର ସନ୍ଧ୍ୟା ୬ଟାରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୩.୫୮ଫୁଟ୍‌ରେ ପହଂଚିଥିବା ବେଳେ ଶନିବାର ଏହି ସମୟରେ ଜଳସ୍ତର ୬୧୪.୪୩ ଫୁଟ୍‌ରେ ପହଂଚିଥିଲା। ଏହି ସମୟରେ ଜଳଭଣ୍ଡାରକୁ ୬୪,୮୦୦ କ୍ୟୁସେକ୍ ଜଳପ୍ରବେଶ କରୁଥିବା ବେଳେ ୪୦,୭୨୫ କ୍ୟୁସେକ୍ ଜଳ ନିଷ୍କାସିତ ହେଉଥିଲା। ସେଥିରୁ ୩୭,୩୭୮ କ୍ୟୁସେକ୍ ଜଳ ପାୱାର ଚାନେଲ ଦେଇ ମହାନଦୀରେ ନିଷ୍କାସିତ ହେଉଥିବା ବେଳେ ୩୦୭୩ କ୍ୟୁସେକ୍ ଜଳସେଚନ ନିମନ୍ତେ କେନାଲଗୁଡ଼ିକରେ ଛଡ଼ାଯାଇଛି। ଆଜି ସକାଳେ ଜଳସ୍ତର ୬୧୫ ଫୁଟ୍ ଅତିକ୍ରମ କରିବା ପରେ ଗେଟ ଖୋଲାଯାଇଛି। ଗତ ବର୍ଷ ୧୮ ଜୁଲାଇରେ ସେହି ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଥିଲା। ସେହି ସମୟରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୩.୦୮ ଫୁଟ୍‌ ରହିଥିଲା।

Get real time updates directly on you device, subscribe now.