fbpx

ମୈତେଇ ଲୋକଙ୍କୁ ମିଜୋରାମ ଛାଡିବା ପାଇଁ କହିଲେ ପୂର୍ବତନ ଉଗ୍ରବାଦୀ ସଂଗଠନ, ସରକାର ଦେଲେ ସୁରକ୍ଷାର ଆଶ୍ୱାସନା

ନୂଆଦିଲ୍ଲୀ: ମଣିପୁର ଘଟଣା ଦିନକୁ ଦିନ ବଢିବାରେ ଲାଗିଛି । ଏହାରି ମଧ୍ୟରେ ମିଜୋରାମରେ ପୂର୍ବତନ ଉଗ୍ରବାଦୀର ଏକ ସଂଗଠନ ଉଭୟ ମୈତେଇ ଏବଂ ପଙ୍ଗାଲସଙ୍କୁ ମିଜୋରାମ ରାଜ୍ୟରୁ ବାହାରିଯିବା ଲାଗି କହିଛନ୍ତି । ଉଗ୍ରବାଦୀଙ୍କ କହିବା ଅନ୍ୟୁାୟୀ, ମଣିପୁରରେ ଦୁଇ ମହିଳାଙ୍କ ଉଲଗ୍ନ ଭିଡିଓ ଏବଂ ସେମାନଙ୍କ ଉପରେ ନିର୍ଯାତନାର ଘଟଣାକୁ ନେଇ ମିଜୋରାମ ଯୁବକମାନେ କ୍ରୋଧରେ ଅଛନ୍ତି ।

ଆଇଜୋଲରେ ପୂର୍ବତନ ଉଗ୍ରବାଦୀର ସଂଗଠନ ପିସ ଏକାର୍ଡ ଏମଏନଏଫ ରିଟର୍ଣ୍ଣଜ ଆସୋସିଏସନ ଶୁକ୍ରବାର ଦିନ ବିବୃତ୍ତି ଜାରି କରି କହିଛନ୍ତି ଯେ, ମିଜୋରାମରେ ସ୍ଥିତି ବର୍ତ୍ତମାନ ଚାପଗ୍ରସ୍ତରେ ଅଛି । ମଣିପୁରରେ ବିଦ୍ରୋହକାରୀଙ୍କ ଦ୍ୱାରା ହୋଇଥିବା ଏହି ଅପରାଧ ଲାଗି, ମଣିପୁରର ମୈତେଇ ଲୋକଙ୍କ ପାଇଁ ମିଜୋରାମରେ ରହିବା ବର୍ତ୍ତମାନ ସୁରକ୍ଷିତ ନୁହେଁ । ଏକ ବିବୃତ୍ତିରେ କୁହାଯାଇଛି ଯେ, ପିଏଏମଆରଏ ମିଜୋରାମର ସମସ୍ତ ମୈତେଇ ଲୋକଙ୍କୁ କହୁଛନ୍ତି ଯେ, ଆପଣ ସମସ୍ତେ ନିଜ ଗୃହ ରାଜ୍ୟକୁ ଚାଲିଯାଆନ୍ତୁ ।

ମଣିପୁରରେ,  ଦୁଇଜଣ ମହିଳାଙ୍କ ଉଲଗ୍ନ ଭିଡିଓ, ବୁଧବାର ଦିନ ସାମ୍ନାକୁ ଆସିଛି। ମହିଳାମାନଙ୍କୁ ମଧ୍ୟ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏହି ଭିଡିଓ ସାମ୍ନାକୁ ଆସିବା ପରେ ସମଗ୍ର ଦେଶରେ କ୍ରୋଧ ସୃଷ୍ଟି ହୋଇଥିଲା ଏବଂ ସମସ୍ତେ ଏହି ଘଟଣାକୁ ନିନ୍ଦା କରୁଛନ୍ତି। ଏହି ମାମଲାରେ ପ୍ରଥମ ଗିରଫ ଗୁରୁବାର କରାଯାଇଥିଲା। ସେବେଠାରୁ ଏ ପର୍ଯ୍ୟନ୍ତ ସମୁଦାୟ ୬ ଜଣଙ୍କୁ ଗିରଫ କରାଯାଇଛି।

ମିଜୋରାମ ସରକାର କହିଛନ୍ତି ଯେ, କୌଣସି ଅଘଟଣକୁ ଏଡାଇବା ପାଇଁ ଆମେ ମୈତେଇ ଲୋକଙ୍କୁ ଅନୁରୋଧ କରୁଛୁ। ଆମେ ସେମାନଙ୍କୁ କୌଣସି ଆଦେଶ ଦେଉନାହୁଁ।  ମିଜୋରାମ ମଣିପୁର ଏବଂ ଆସାମର ଛାତ୍ରଙ୍କ ସମେତ ହଜାର ହଜାର ମୈତେଇ ସମ୍ପ୍ରଦାୟର ଘର ଅଟେ। ଅନ୍ୟପକ୍ଷରେ ମିଜୋରାମଙ୍କ ଗୃହ କମିଶନର ତଥା ସଚିବ ଏଚ୍ ଲାଲେଙ୍ଗମାୱିଆ ନିଶ୍ଚିତ କରିଛନ୍ତି ଯେ, ମୈତେଇ ଲୋକଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ନିରନ୍ତର ଉଦ୍ୟମ କରୁଛନ୍ତି। ପୋଲିସକୁ ମଧ୍ୟ ସତର୍କ କରାଯାଇଛି।

ଲାଲେଙ୍ଗମାୱିଆ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ପ୍ରତିନିଧୀମାନେ ମଧ୍ୟ ମୈତେଇ ସମ୍ପ୍ରଦାୟର ପ୍ରତିନିଧୀଙ୍କ ସହ ଏକ ବୈଠକ କରି ସେମାନଙ୍କ ସୁରକ୍ଷା ବିଷୟରେ ନିଶ୍ଚିତ କରିଛନ୍ତି। ଲାଲେଙ୍ଗମାୱିଆ ଏହା ମଧ୍ୟ କହିଛନ୍ତି ଯେ, ମଣିପୁର ହିଂସା ହେତୁ ଘଟୁଥିବା ପରିସ୍ଥିତିର ମୁକାବିଲା ପାଇଁ ଆସନ୍ତା ସପ୍ତାହରେ ସମସ୍ତ ଡେପୁଟି କମିଶନରଙ୍କ ସହ ଏକ ବୈଠକ ଡକାଯିବ। ମିଜୋରାମରେ ମୈତେଇଙ୍କ ସୁରକ୍ଷା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା ମଧ୍ୟ ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂଙ୍କୁ ଡାକି ଆଶ୍ୱାସନା ଦେଇଥିଲେ।

 

Get real time updates directly on you device, subscribe now.