fbpx
BJD SKY
BJD SKY

କରୋନା ଠାରୁ ଅଧିକ ମାରାତ୍ମକ ବାର୍ଡ ଫ୍ଲୁ , ମଲେଣି ହଜାର ହଜାର ବିଦେଶୀ ପକ୍ଷୀ

BJD

ନୁଆଦିଲ୍ଲୀ,  ୭ା୪ (ଓଡିଶା ଭାସ୍କର) : ଗୋଟେ ପଟେ କରୋନାର ଦ୍ୱିତୀୟ ଲହର ଦେଶରେ ଆତଙ୍କ ଖେଳାଇଥିବା ବେଳେ ଅନ୍ୟପଟେ ବିଭିନ୍ନ ରାଜ୍ୟରେ ବାର୍ଡ ଫ୍ଲୁ ପକ୍ଷୀ ମାନଙ୍କୁ ହନ୍ତସନ୍ତ କରିବାରେ ଲାଗିଛି । ବାର୍ଡ ଫ୍ଲୁର ଦ୍ୱିତୀୟ ଲହର ମାର୍ଚ୍ଚ ଠାରୁ ଆରମ୍ଭ ହୋଇଥିବା ବେଳେ ଏହା ଯୋଗୁଁ ହଜାର ହଜାର ସଂଖ୍ୟାରେ ପକ୍ଷୀଙ୍କର ମୃତ୍ୟୁ ହେବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ହିମାଚଳ ପ୍ରଦେଶରେ ଶହଶହ ବିଦେଶୀ ପକ୍ଷୀ ବିଭିନ୍ନ ଜଳାଶୟ ପାଖରେ ମୃତ ଅବସ୍ଥାରେ ଠାବ ହୋଇଛନ୍ତି । ସୁଚନା ଯେ, ଗତ ସପ୍ତାହରେ ଶିମଲାର ପୋଙ୍ଗ ଡେମ୍ ନଦୀ ପାଖରେ ୧୦୦ରୁ ଅଧିକ ବିଦେଶୀ ପକ୍ଷୀଙ୍କୁ ମରି ପଡିଥିବାର ଦେଖିବାକୁ ମିଳିଥିଲା । ଜାନୁଆରୀ ମାସରେ ବାର୍ଡ ଫ୍ଲୁ କାରଣରୁ ପାଖାପାଖି ୫ ହଜାର ପକ୍ଷୀ ମରିଥିବା ରିପୋର୍ଟରୁ ପ୍ରକାଶ ପାଇଥିଲା । ହେଲେ ଫେବୃଆରୀ ମାସରେ ଏହାର ମାତ୍ରା କମିଥିଲା ଏବଂ ପୁଣି ଥରେ ମାର୍ଚ୍ଚ ମାସ ଶେଷ ଆଡକୁ ପକ୍ଷୀମଡକ ବଢ଼ିଥିଲା ।


ବୈଜ୍ଞାନିକଙ୍କ କହିବାନୁସାରେ, ବର୍ତ୍ତମାନ ଯେଉଁ ବାର୍ଡ ଫ୍ଲୁ ବିସ୍ତାର ହେବାରେ ଲାଗିଛି ସେଥିରେ ଏକ ନୁଆ ଷ୍ଟ୍ରେନ୍ ଦେଖିବାକୁ ମିଳିଛି । ଯାହା ପକ୍ଷୀ ମାନଙ୍କ ପାଇଁ ଅନେକ ଗୁଣରେ କ୍ଷତିକାରକ ସାବ୍ୟସ୍ତ ହୋଇପାରେ । ମୃତ ପକ୍ଷୀ ମାନଙ୍କ ଠାରୁ ସାମ୍ପଲ ନେଇ ଭୋପାଳସ୍ଥିତ ନ୍ୟାସନାଲ୍ ଇନ୍ଟିଚ୍ୟୁଟ୍ ଅଫ୍ ହାଇ ସିକ୍ୟୁରିଟି ଆନିମଲ୍ ଡିଜିଜ୍ କୁ ପଠାଯାଇଥିଲା । ସେଠାରେ ସାମ୍ପଲ ପରୀକ୍ଷା କରାଯିବା ପରେ ଏକ ନୁଆ ଧରଣର ଷ୍ଟ୍ରେନ୍ ଦେଖିବାକୁ ମିଳିଥିଲା । ତେବେ ଏହି ନୁଆ ଷ୍ଟ୍ରେନ୍ ପକ୍ଷୀ ମାନଙ୍କ ମଧ୍ୟରୁ ଖାସ୍ କରି କୁକୁଡା ଏବଂ ବତକମାନଙ୍କ ପାଇଁ ଅତ୍ୟନ୍ତ ମାରାତ୍ମକ ସାବ୍ୟସ୍ତ ହୋଇଛି । ଶିମଲାର ପୋଙ୍ଗ ଡେମ୍ ନଦୀରେ ଯେଉଁ ୧୦୦ ରୁ ଅଧିକ ପକ୍ଷୀଙ୍କୁ ମୃତ ଦେଖିବାକୁ ମିଳିଥିଲା ସେଥିରେ ଅଧିକାଂଶ ବତକ ରହିଥିଲେ ।

ବୈଜ୍ଞାନିକ ମାନେ ଆହୁରି ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ ଯେଉଁଭଳି ପାଗ ରହିଛି ଏଥିରେ ଏହି ରୋଗ ବ୍ୟାପିବାର ସମ୍ଭାବନା ଅଧିକ ରହିଛି । ଏହାର ମୁଖ୍ୟ କାରଣ ହେଲା ଏହି ସମୟରେ ପକ୍ଷୀମାନେ ଦଳବଦ୍ଧ ଭାବେ ରୁହନ୍ତି । ଯାହା ଦ୍ୱାରା ରୋଗ ବ୍ୟାପିବାର ଆଶଙ୍କା ଅଧିକ ରହିଥାଏ । ତେବେ ଏହି ବିଦେଶୀ ପକ୍ଷୀମାନେ ୟୂରୋପ, ଉତ୍ତର ଏବଂ ସେଣ୍ଟ୍ରାଲ୍ ଏସିଆରୁ ଉଡିଆସିଥାନ୍ତି । କାରଣ ସେଠାରେ ଏହି ସମୟରେ ଅତ୍ୟଧିକ ଥଣ୍ଡା ରହୁଥିବାରୁ ସେମାନେ ଭାରତକୁ ଉଡି ଆସନ୍ତି । ଆଉ ଯେତେବେଳେ ଭାରତରେ ଗରମ ଅଧିକ ବଢ଼ିଯାଏ ସେତେବେଳେ ଏହି ଭିନ୍ନ ଭିନ୍ନ ପ୍ରଜାତିର ପକ୍ଷୀମାନେ ନିଜ ନିଜ ଦେଶକୁ ଉଡିଯାଆନ୍ତି । ସେପଟେ ବାର୍ଡ ଫ୍ଲୁ ବଢ଼ୁଥିବାରୁ ବିଭିନ୍ନ ୱାଇଲ୍ଡଲାଇଫ୍ ସେଞ୍ଚୁରୀକୁ ବନ୍ଦ କରିଦିଆଯାଇଛି । ଏଥିସହିତ ପକ୍ଷୀମାନଙ୍କ ନମୁନା ସଂଗ୍ରହ କରି ବିଭିନ୍ନ ଲ୍ୟାବ୍ କୁ ପଠାଯାଉଛି ।

Get real time updates directly on you device, subscribe now.