fbpx

ପବିତ୍ର ସୁନାବେଶର ରହସ୍ୟ: ଜାଣନ୍ତୁ କେଉଁ ଅଳଙ୍କାରରେ ସଜ୍ଜିତ ହୁଅନ୍ତି ତିନି ଠାକୁର

ଓଡ଼ିଶା ଭାସ୍କର: ଆଜି ହେଉଛି ଶ୍ରୀଜିଉଙ୍କ ପବିତ୍ର ସୁନାବେଶ । ଭକ୍ତ ଓ ଭଗବାନଙ୍କ ମିଳନର ଆଉ ଏକ ଅପୂର୍ବ ଦିନ । ଶ୍ରୀକ୍ଷେତ୍ରର ବଡଦାଣ୍ଡରେ ଦେଖିବାକୁ ମିଳିଛି ଜନସମୁଦ୍ର । ଆଷାଢ ମାସର ଶୁକ୍ଳ ପକ୍ଷ ଏକାଦଶୀ ତିଥିରେ ଶ୍ରୀମନ୍ଦିର ସମ୍ମୁଖରେ ବଡ଼ଠାକୁରଙ୍କ ୩ ରଥ ପହଞ୍ଚିବା ପରେ ମହାବାହୁଙ୍କ ସୁନାବେଶ ହୋଇଥାଏ । ବର୍ଷକୁ ୪ଥର ମହାପ୍ରଭୁଙ୍କର ସୁନାବେଶ ଧାରଣ କରନ୍ତି । କାର୍ତ୍ତିକ ପୂର୍ଣ୍ଣିମା, କୁମାର ପୂର୍ଣ୍ଣିମା, ଦୋଳ ପୂର୍ଣ୍ଣିମା ଓ ଦଶହରା ସମୟରେ ରତ୍ନସିଂହାସନରେ ମହାପ୍ରଭୁଙ୍କର ସୁନାବେଶ ହେଉଥିବା ବେଳେ ବାହୁଡ଼ା ଯାତ୍ରାର ଅନ୍ତିମ ଦିନ ବଡଦାଣ୍ଡରେ ରଥ ଉପରେ ହିଁ ଶ୍ରୀବିଗ୍ରହଙ୍କ ସୁନାବେଶ ହୋଇଥାଏ । ଲକ୍ଷ ଲକ୍ଷ ଭକ୍ତ ଏହି ସୁନାବେଶକୁ ଦର୍ଶନ କରି ଅସରନ୍ତି ଆନନ୍ଦ ପାଇଥାନ୍ତି ।

ସେହିପରି ଅନଙ୍ଗଭୀମ ଦେବ ପବିତ୍ର ଆଷାଢ ମାସ ଶୁକ୍ଳ ପକ୍ଷ ଏକାଦଶୀ ଦିନ ମହାପ୍ରଭୁଙ୍କ ସୁନାବେଶ ଆରମ୍ଭ କରିଥିଲେ । ଦାକ୍ଷିଣାତ୍ୟ ଅଞ୍ଚଳ ବିଜୟ ହାସଲ କରି ୧୬ଟି ହାତୀରେ ବୋହି ଆଣିଥିବା ସମସ୍ତ ଧନରତ୍ନକୁ ମହାବାହୁଙ୍କ ନିକଟରେ ସମର୍ପଣ କରିଥିଲେ ରାଜା କପିଳେନ୍ଦ୍ର ଦେବ । ଏହି ସମସ୍ତ ସମ୍ପତ୍ତି ଆଜି ମଧ୍ୟ ଶ୍ରୀମନ୍ଦିରରେ ରହିଥିବାର ବିଶ୍ୱାସ କରାଯାଏ । ତେବେ ସେହି ରାଜାଙ୍କ ଇଚ୍ଛାରେ ହିଁ କାଳିଆସୁନାକୁ ଏହି ସମସ୍ତ ଅଳଙ୍କାରରେ ସୁନାବେଶ କରାଯାଇଥାଏ ।

ଭଗବାନଙ୍କ ସୁନାବେଶରେ ୧୩୮ ପ୍ରକାର ଅଳଙ୍କାରରେ ଶ୍ରୀଜିଉମାନେ ଅଳଙ୍କୃତ ହୋଇଥାନ୍ତି । ଅଳଙ୍କାର ଗୁଡ଼ିକ ହେଉଛି ଶ୍ରୀପୟର, ଶ୍ରୀଭୁଜ, କିରୀଟ, ଓଡ଼ିଆଣୀ, କୁଣ୍ଡଳ, ଚନ୍ଦ୍ରସୂର୍ଯ୍ୟ, ଆଡ଼କାନି, ବାହାଡ଼ା ମାଳି, ଘାଗଡ଼ା ମାଳି, କଦମ୍ବ ମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବାକଣ୍ଠି, ବାଘନଖି ମାଳି, ସେବତୀ ମାଳି, ତ୍ରିଖଣ୍ଡିକା କମରପଟି, ହଳ ଏବଂ ମୁଷଳ । ତାଳଧ୍ୱଜ ରଥ ଉପରେ ଏହି ସମସ୍ତ ଅଳଙ୍କାରରେ ସୁସଜ୍ଜିତ ହୋଇଥାନ୍ତି ବଡ଼ ଭାଇ ବଳଭଦ୍ର । ସେହିପରି ଭଉଣୀ ସୁଭଦ୍ରା କିରୀଟ, ଓଡ଼ିଆଣୀ, କାନ ଚନ୍ଦ୍ରସୂର୍ଯ୍ୟ, ଘାଗଡ଼ା ମାଳି, କଦମ୍ବ ମାଳି, ତଗଡ଼ି ଓ ସେବତୀ ମାଳି ଭଳି ଆଭୁଷଣ ପରିଧାନ କରିଥାନ୍ତିି । ତେବେ ଜଗମୋହନଙ୍କ ଶ୍ରୀଅଙ୍ଗରେ ମଧ୍ୟ କିରୀଟ, ଶ୍ରୀଭୁଜ, ଶ୍ରୀପୟର, ଚନ୍ଦ୍ରସୂର୍ଯ୍ୟ ଇତ୍ୟାଦି ସହିତ ଆଡ଼କାନି, ହରିଡ଼ା ମାଳି, ଘାଗଡ଼ା ମାଳି, କଦମ୍ବ ମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବାକଣ୍ଠି, ତାବିଜ ମାଳି, ସେବତୀ ମାଳି, ତ୍ରିଖଣ୍ଡିକା କମରପଟି, ସୁବର୍ଣ୍ଣ ଚକ୍ର ଏବଂ ରୋପ୍ୟ ଶଙ୍ଖରେ ବିଭୁଷିତ ହୋଇଥାନ୍ତି ।

ଆଜି ରଥ ଉପରେ ଦାରୁ ମୂରତୀଙ୍କ ସୁନାବେଶ ନୀତିର ସମସ୍ତ ପ୍ରସ୍ତୁତି ପର୍ବ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ସନ୍ଧ୍ୟା ୫ଟା ସମୟରେ ବିଶ୍ୱ ନିୟନ୍ତାଙ୍କ ସୁନାବେଶର ନୀତିକାନ୍ତି ଆରମ୍ଭ ହେବାର କାର୍ଯ୍ୟସୂଚୀ ରହିଛି । ତେବେ କରୋନା ପାଇଁ ପ୍ରଶାସନ ପକ୍ଷରୁ କେତେକ କଟକଣା ଜାରି କରାଯାଇଛି । କେବଳ କର୍ତ୍ତବ୍ୟରତ ସେବାୟତଙ୍କ ବ୍ୟତୀତ ଅନ୍ୟ କାହାକୁ ରଥ ଉପରକୁ ଯିବା ପାଇଁ ଅନୁମତି ମିଳିବ ନାହିଁ । ରଥ ଉପରେ ସେବାୟତମାନଙ୍କ ଭିଡ଼ ପାଇଁ ଶ୍ରଦ୍ଧାଳୁମାନେ ଠିକଭାବରେ ସୁନାବେଶ ଦେଖିପାରୁନଥିବା ଅଭିଯୋଗ ହୋଇଆସୁଥିଲା । ତେଣୁ ଚଳିତ ବର୍ଷ ଏହି ନୂଆ ନିୟମ ଲାଗୁ କରିଛି ପ୍ରଶାସନ ।

Get real time updates directly on you device, subscribe now.