fbpx

ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ରୋଷେୟାଙ୍କ ମୃତ୍ୟୁକୁ ନେଇ ମୁହାଁମୁହିଁ ହେଲେ BJD-BJP, ଜାରି ହେଲା ୧୪୪ ଧାରା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ରୋଷେୟା ଲଳିତ ସାହୁଙ୍କ ମୃତ୍ୟୁକୁ ଇତିମଧ୍ୟରେ ଏକ ସପ୍ତାହ ପୂରି ଯାଇଥିଲେ ରହସ୍ୟ ଉପରୁ ପରଦା ହଟିନାହିଁ । ଏହା ମଧ୍ୟରେ କାହିଁକି ଲଳିତଙ୍କ ମୃତଦେହକୁ ତରବରିଆ ଭାବେ ପୋଷ୍ଟ ମର୍ଟମ କରାଯାଇଥିଲା ବୋଲି ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି ।

ତେବେ ଲଳିତଙ୍କ ମୃତ୍ୟୁକୁ ନେଇ ଏବେ ବିଜେପି ଓ ବିଜେଡି ମୁହାଁମୁହିଁ ହୋଇଛନ୍ତି । ଏହି ଘଟଣାର ସିବିଆଇ ତଦନ୍ତ କରାଯାଉ ଓ ହତ୍ୟା ମାମଲା ରୁଜୁ କରାଯାଉ ବୋଲି ବିଜେପି ଦାବି କରିଛନ୍ତି । ବିଜେପି ପକ୍ଷରୁ ଥାନା ସମ୍ମୁଖରେ ଧାରଣା ଦେବାକୁ ପ୍ରସ୍ତୁତି ଚାଲିଛି । ଅନ୍ୟପଟେ ବିଜେଡି ପକ୍ଷରୁ ମଧ୍ୟ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ଧାରଣା ଦେବାକୁ ପ୍ରସ୍ତୁତି ଚାଲିଛି । ତେଣୁ ଦୁଇ ଦଳର ଧାରଣା ଦେବା ଲାଗି ପ୍ରସ୍ତୁତିକୁ ଲକ୍ଷ୍ୟ ରଖି ଆଜି ଝାରସୁଗୁଡ଼ା ସହରରେ ୧୪୪ ଧାରା ଜାରି କରାଯାଇଛି । ଝାରସୁଗୁଡ଼ା ଥାନା ସମ୍ମୁଖ ଓ ଝଣ୍ଡା ଛକଠାରୁ ଆରମ୍ଭ କରି ଧର୍ମଶାଳା ଛକ ପର୍ଯ୍ୟନ୍ତ ଏହି ଧାରା ଲାଗୁ ହୋଇଛି ।

ସୂଚନାଯୋଗ୍ୟ ଯେ, ଢେଙ୍କାନାଳ ଜିଲ୍ଲା ହିନ୍ଦୋଳର ଡେଙ୍ଗବୋରେଇ ଗ୍ରାମର ୨୨ ବର୍ଷୀୟ ଲଳିତ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଘରେ ରୋଷେୟା ଭାବେ କାର୍ଯ୍ୟ କରୁଥିଲେ । ଗତ ୧୭ ତାରିଖ ସନ୍ଧ୍ୟାରେ ମନ୍ତ୍ରୀ ସରକାରୀ ବାସଭବନରୁ ଲଳିତଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲା । ସର୍ଭ୍ୟାଣ୍ଟ କ୍ୱାର୍ଟରରେ ଏକାକୀ ଥିବା ସମୟରେ ସେ ବେକରେ ରଶି ଦେଇ ଆତ୍ମହତ୍ୟା କରିଥିବା କୁହାଯାଇଥିଲା । ମାତ୍ର ଲଳିତଙ୍କ ମୃତ୍ୟୁ ପରେ ଏହି ଘଟଣାରେ ଗୋଟିଏ ଗୋଟିଏ ଗୁମର ଖୋଲିବାରେ ଲାଗିଛି ।

Get real time updates directly on you device, subscribe now.