ଭୁବନେଶ୍ୱର: ବିଧାନସଭା ଚାରିପାଖରେ ବିଏନଏସ ୧୬୩ ଧାରା ଲାଗୁ ହୋଇଛି । କଂଗ୍ରେସ କର୍ମୀଙ୍କ ଧାରଣାକୁ ନେଇ ଏହି ଧାରା ଲାଗୁ ହୋଇଥିବା ଜଣାପଡିଛି । ଅନ୍ୟପଟେ କଂଗ୍ରେସର ବରିଷ୍ଠ ନେତାଙ୍କୁ ପୋଲିସ ଉଠାଇନେଇଛି । ନିଲମ୍ବିତ ବିଧାୟକଙ୍କୁ ଭେଟିବାକୁ ଅନୁମତି ମଧ୍ୟ ମିଳିଲାନାହିଁ ।
ଗୃହ ଭିତରେ ବାରମ୍ବାର ବିଶୃଙ୍ଖଳିତ ଆଚରଣ କରିବା, ବାଚସ୍ପତିଙ୍କ ପ୍ରତି ଅସମ୍ମାନ, ବିଧାନସଭାରେ ଅଶୋଭନୀୟ ଆଚରଣ ଓ ବିଧାନସଭାର ନିୟମ ଉଲ୍ଲଘଂନ ଅଭିଯୋଗରେ କଂଗ୍ରେସର ୧୨ (ରାମଚନ୍ଦ୍ର କାଡାମ, ସିଏସ୍ ରାଜନ ଏକ୍କା, ଦାସରଥୀ ଗମାଙ୍ଗ, ଅଶୋକ ଦାସ, ସତ୍ୟଜିତ ଗମାଙ୍ଗ, ସାଗର ଦାସ, ପ୍ରଫୁଲ୍ଲ ପ୍ରଧାନ, ମଙ୍ଗୁ ଖିଲ, ପବିତ୍ର ସାଉନ୍ତା, କାଡ୍ରାକା ଆପାଲାସ୍ବାମୀ, ନୀଳମାଧବ ହିକକା ଏବଂ ସୋଫିଆ ଫିର୍ଦ୍ଦୋସ)ଜଣ ବିଧାୟକ ବିଧାନସଭାରୁ ନିଲମ୍ବିତ ହୋଇଥିଲେ।
ନିଲମ୍ବନ ହେଲା ପରେ କଂଗ୍ରେସର ବିଧାୟକମାନେ ଆହୁରି ଉତ୍ତେଜିତ ହୋଇଥିଲେ। ନିଲମ୍ବିତ ବିଧାୟକମାନେ ବାଚସ୍ପତିଙ୍କ ପୋଡ଼ିୟମ ତଳକୁ ଯାଇ ଘଣ୍ଟ ବଜାଇଥିଲେ। ଶେଷରେ ବାଚସ୍ପତି ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବି ରଖିଥିଲେ। ଏହି ଘଟଣା ନେଇ ବିଧାନସଭା ଆଗରେ କଂଗ୍ରେସ କର୍ମୀ ଓ ପୁଲିସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖାଯାଇଥିଲା।ସୁରକ୍ଷାକର୍ମୀମାନେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ସହ ୫ଜଣ ନେତାଙ୍କୁ ଅଟକାଇ ଥିଲେ। କଂଗ୍ରେସ କର୍ମୀମାନେ ବିଧାନସଭାକୁ ପ୍ରବେଶ ଉଦ୍ୟମ ବେଳେ ଠେଲାପେଲା ହୋଇଥିଲା। ଧସ୍ତାଧସ୍ତି ପରେ ବିଧାନସଭା ବାହାରେ କଂଗ୍ରେସ କର୍ମୀମାନେ ଧାରଣାରେ ବସିଥିଲେ।