fbpx

ଆଗାମୀ ୫ ବର୍ଷରେ ଭାରତରେ ସେମିକଣ୍ଡକ୍ଟର କ୍ଷେତ୍ରରେ ସୃଷ୍ଟି ହେବ ୧୦ ଲକ୍ଷ ନିଯୁକ୍ତି

Advertisement

ନୂଆଦିଲ୍ଲୀ: ଆସିଛି ଏକ ବଡ଼ ଖୁସି ଖବର । ସେମିକଣ୍ଡକ୍ଟର କ୍ଷେତ୍ରରେ ଆଗାମୀ ୫ ବର୍ଷରେ ଭାରତରେ ସୃଷ୍ଟି ହେବ ୧୦ ଲକ୍ଷ ଚାକିରି । ବର୍ତ୍ତମାନ ସମୟରେ ସାରା ବିଶ୍ୱରେ କୃତ୍ରିମ ବୁଦ୍ଧିମତା (ଏଆଇ)ର ବ୍ୟବହାର ବଢ଼ିଥିବା ବେଳେ ଅତ୍ୟାଧୁନିକ ଜ୍ଞାନକୌଶଳ ବିଶିଷ୍ଟ ସେମିକଣ୍ଡକ୍ଟରର ଚାହିଦା ମଧ୍ୟ ବଢ଼ିବାରେ ଲାଗିଛି । ତେଣୁ ସେମିକଣ୍ଡକ୍ଟର କ୍ଷେତ୍ରରେ ଦକ୍ଷ ଶ୍ରମଶକ୍ତିର ଆବଶ୍ୟକତା ପଡ଼ୁଛି । ସେଥିପାଇଁ କେନ୍ଦ୍ର ସରକାର ଦେଶରେ ସେମିକଣ୍ଡକ୍ଟରର ବିକାଶକୁ ଗୁରୁତ୍ୱ ଦେଉଛନ୍ତି ।

ଏହାକୁ ଦେଖିଲେ ଆଗାମୀ ୫ ବର୍ଷରେ ସେମିକଣ୍ଡକ୍ଟର କ୍ଷେତ୍ରରେ ଦେଶରେ ୧୦ ଲକ୍ଷ ନିଯୁକ୍ତି ସୃଷ୍ଟି କରିବ ବୋଲି ଆକଳନ କରାଯାଉଛି । ଏକ ରିପୋର୍ଟ ମୁତାବକ, ବିଶ୍ୱ ସେମିକଣ୍ଡକ୍ଟର ଟ୍ୟାଲେଣ୍ଟ କ୍ଷେତ୍ରରେ ଆମେରିକା ଓ ଚୀନ ୫୦ ପ୍ରତିଶତ ଯୋଗଦାନ ଦେଉଛନ୍ତି । ଏହା ବାଦ କାନାଡ଼ା, ଫ୍ରାନ୍ସ, ସ୍ପେନ, ଜର୍ମାନୀ, ଜାପାନ, ତାଇୱାନ ଆଦି ରାଷ୍ଟ୍ର ଏହି କ୍ଷେତ୍ରରେ ନିଜର ଉପସ୍ଥିତି ଜାହିର କରିଛନ୍ତି । ଏହି ସବୁ ଦେଶମାନଙ୍କରେ ଏହି କ୍ଷେତ୍ରରେ ୨୩ ଲକ୍ଷ ପ୍ରଫେସନାଲ କାର୍ଯ୍ୟ କରୁଛନ୍ତି ।

ଆସନ୍ତା ୨୦୨୬ ମସିହା ବେଳକୁ ଭାରତୀୟ ସେମିକଣ୍ଡକ୍ଟର ବଜାର ୫୫ ବିଲିୟନ ଡଲାର ଛୁଇଁବାର ସମ୍ଭାବନା ରହିଛି । ସ୍ମାର୍ଟଫୋନ, ୱେୟାରଲେସ, ଅଟୋମୋବାଇଲ, କମ୍ପ୍ୟୁଟିଂ ଓ ଡାଟା ଷ୍ଟୋରେଜ କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି ଯୋଗୁଁ ସେମିକଣ୍ଡକ୍ଟର କ୍ଷେତ୍ରରେ ଅଭିବୃଦ୍ଧି ଘଟୁଛି । ତେବେ ବିଶ୍ୱ ବାଣିଜ୍ୟ କ୍ଷେତ୍ରରେ ଭାରତ ମାତ୍ର ୧ ପ୍ରତିଶତ ଯୋଗଦାନ ଦେଉଛି । ଘରୋଇ ବଜାରରେ ଦକ୍ଷ ପ୍ରତିଭା ରହିଥିଲେ ବି ଭାରତ ବିନିର୍ମାଣରେ ସେତେଟା ଆଗରେ ନାହିଁ । ଆଗାମୀ ୨-୩ ବର୍ଷରେ ଏହି କ୍ଷେତ୍ରରେ ଭାରତରେ ୨-୩ ଲକ୍ଷ ନିଯୁକ୍ତି ସୃଷ୍ଟି ହେବାର ସମ୍ଭାବନା ରହିଛି । ଆଗାମୀ ୫ ବର୍ଷରେ ପାଖାପାଖି ୧୦ ଲକ୍ଷ ନିଯୁକ୍ତ ସୃଷ୍ଟି ହେବ ବୋଲି ଅନୁମାନ କରାଯାଉଛି ।

Get real time updates directly on you device, subscribe now.