fbpx
BJD
BJD SKY
BJD SKY

ଶ୍ରୀମନ୍ଦିର ପ୍ରତି ବଡ଼ ଅବହେଳା: ସିଂହଦ୍ୱାର ଗୁମୁଟ ପାଖରେ ଫାଟ, ଭାଙ୍ଗିଯାଉଛି ପ୍ରାଚୀନ ମୁର୍ତ୍ତି

ପୁରୀ: ଶ୍ରୀମନ୍ଦିର ସିଂହଦ୍ୱାର ଗୁମୁଟ ପାଖରେ ଦେଖିବାକୁ ମିଳିଛି ବଡ଼ ଫାଟ। ଏହି ଫାଟ କେବେଠୁ ହେଲାଣି ତାହା ଜଣାପଡି ନଥିବା ବେଳେ, ବର୍ତ୍ତମାନ ଏହା ଏକ ଗୁମ୍ଫା ପରି ଦେଖା ଗଲାଣି। ଏହା ଭିତରେ ଚଢେଇ ଠାରୁ ଆରମ୍ଭ କରି ସାପ ମୂସା ଆଦି ରହୁଥିବା ଆଶଙ୍କା ପାଇଛି। ଫାଟର ପ୍ରଭାବରେ ଏହି ସ୍ଥାନରେ ଥିବା ପ୍ରାଚୀନ ମୁର୍ତ୍ତି ମଧ୍ୟ ଝଡ଼ି ପଡିଲାଣି। ଶ୍ରୀମନ୍ଦିର ପ୍ରତି ଅବହେଳା ଏତେ ବଢି ଯାଇଛି ଯେ, ଏପର୍ଯ୍ୟନ୍ତ ଭାରତୀୟ ପ୍ରତ୍ନତତ୍ତ୍ୱ କିମ୍ବା ଶ୍ରୀମନ୍ଦିର ପ୍ରଶାସନର ନଜର ପଡିନାହିଁ ।

୧୯୭୫ ମସିହାରୁ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ(ଏଏସ୍‌ଆଇ) ଶ୍ରୀମନ୍ଦିର ରକ୍ଷଣାବେକ୍ଷଣ ଦାୟିତ୍ୱ ନେଇଛି । ସମୟ ସମୟରେ ପୁର୍ବରୁ ମଧ୍ୟ ଏଏସ୍‌ଆଇ ଅବହେଳା ଅଭିଯୋଗ ଆସିଛି । ପୂର୍ବରୁ ସମ୍ପୂର୍ଣ୍ଣ ଶ୍ରୀମନ୍ଦିର ଧଳା ରଙ୍ଗର ଥିଲା । ପଥର ଉପରେ ଚୂନର ମୋଟା ଆସ୍ତରଣ ଦିଆଯାଇଥିଲା । ଏହା ଶ୍ରୀମନ୍ଦିର ପାଇଁ ବିପଦ ବୋଲି ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ କହିବା ପରେ ମାମଲା କୋର୍ଟ ପର୍ଯ୍ୟନ୍ତ ଯାଇଥିଲା । ପରେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ୩୦ ବର୍ଷ ତଳୁ ଶ୍ରୀମନ୍ଦିରରୁ ଚୂନ ଛଡ଼ାଇ ସ୍ୱତନ୍ତ୍ର କେମିକାଲ୍ ଲଗାଇଛି ଏଏସ୍‌ଆଇ । ତଥାପି ଶ୍ରୀମନ୍ଦିର ଉପରୁ ବିପଦ ଟଳିନି ।

ସମୟ ସମୟରେ ଶ୍ରୀମନ୍ଦିରରୁ ବଡ଼ବଡ଼ ପଥର ଖଣ୍ଡ ଖସୁଥିବା ଖବର ଆସୁଛି । ସିଂହଦ୍ୱାର ପ୍ରବେଶ ନିକଟରେ ବାମପାଶ୍ୱର୍ ସିଂହ ମୁର୍ତ୍ତି ଉପରେ ଏହି ଫାଟ ଦେଖିବାକୁ ମିଳିଛି । ଏହାର ଚଉଡ଼ା ପ୍ରାୟ ୪ରୁ ୫ ଇଞ୍ଚ ହେବ । ଏହି ଫାଟ ପ୍ରଭାବରେ ପାଶ୍ୱର୍ରେ ଥିବା ମୁର୍ତ୍ତି ଗୁଡ଼ିକ ମଧ୍ୟ ଭାଙ୍ଗି ଗଳି ପଡିଥିବା ଦେଖିବାକୁ ମିଳିଛି । ତେବେ ସମୟ ଥାଉ ଥାଉ ଯଦି ଏହାର ମରାମତି କରା ନଯାଏ, ଏହି ଫାଙ୍କରେ ପାଣି ପଶି ଶ୍ରୀମନ୍ଦିର ପ୍ରତି ବିପଦ ସୃଷ୍ଟି କରିବ ବୋଲି ସେବାୟତମାନେ କହିଛନ୍ତି ।

Get real time updates directly on you device, subscribe now.