fbpx

କେଇ ମିନିଟରେ ଚାଲିଗଲା ବାପା, ମାଆ ଓ ସାନ ଭଉଣୀର ଜୀବନ: ସବୁଦିନ ପାଇଁ ଏକୁଟିଆ ହୋଇଗଲା ୭ ବର୍ଷର କୁନି ଝିଅ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଥାରେ ଅଛି, ଦଇବ ଦାଉ ସାଧିଲେ ମଣିଷ ହୋଇଯାଏ ତୁଚ୍ଛ । ମାତ୍ର ଦୁଃଖର କଥା ଏଭଳି ଏକ ଛାତିଫଟା, ହୃଦୟ ବିଦାରକ ଘଟଣା ଘଟିଛି ଏକ କୁନି ଝିଅ ସହିତ ଆଉ ଅଭାଗୀ ବୁଢ଼ୀ ମାଆ ସହିତ । ୭ ବର୍ଷର ବାପା-ମାଆ ଛେଉଣ୍ଡ ଛୁଆଟି କେମିତି ଆଗକୁ ଚାଲିବ ନିଜ ଜୀବନର ବାଟ? ୨୦ ବର୍ଷ ପରେ ମାଆ କୋଳକୁ ଫେରିଥିବା ପୁଅ ପୁଣି ଥରେ ହାତ ଛାଡ଼ି ଯମପାଖକୁ ଚାଲିଯାଇଛି । ଏଭଳି ଏକ ଦାରୁଣ ଦୁଃଖ ଜର୍ଜରିତ ଘଟଣା ଘଟିଛି ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଅଧୀନସ୍ଥ ବରପଦା ଗ୍ରାମରେ । ଏହି ଘଟଣା ପରେ ଗ୍ରାମର କାହା ଘରେ ଚୁଲି ଜଳୁନଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଏକ ଚର୍ଚ୍ଚାର ବିଷୟ ପାଲଟିଛି ।

ଜଣାପଡ଼ିଛି ଯେ, ହାଇଦ୍ରାବାଦରେ କାମ କରୁଥିବା ଯାଜପୁର ଜିଲ୍ଲାର ବାସୁଦେବ କିଛିଦିନ ପୂର୍ବେ ପରିବାର ସହ ଘରକୁ ଫେରିଥିଲେ । ବାଲକୋନୀକୁ ଲୁଗା ଶୁଖାଇବାକୁ ଯାଇଥିବା ବେଳେ ବାସୁଦେବ ହଠାତ୍ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ । ଏହାପରେ ବାପାଙ୍କୁ ଦେଖିବାକୁ ଯାଇ ସାନ ଝିଅ ମଧ୍ୟ ଫେରିନଥିଲା । ପରେ ଆଖି ସାମ୍ନାରେ ସ୍ୱାମୀ ଓ ଝିଅଙ୍କୁ ପୋଡ଼ି ଯାଉଥିବାରୁ ଦେଖି ନିଜକୁ ସମ୍ଭାଳି ପାରିନଥିଲେ ବାସୁଦେବଙ୍କ ପତ୍ନୀ । ସେ ସ୍ୱାମୀ ଓ ଝିଅଙ୍କୁ ଯାଇ କୁଣ୍ଢାଇ ପକାଇଥିଲେ । ପରେ ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ନିଆଯାଇଥିଲେ ହେଁ ସେଠାରେ ସମସ୍ତେ ପ୍ରାଣ ହରାଇଥିଲେ । କେଇ ମିନିଟ ମଧ୍ୟରେ ଗୋଟିଏ ପରିବାରର ୩ଟି ଅମୂଲ୍ୟ ଜୀବନ ଜଳିପୋଡ଼ି ପାଉଁଶ ହୋଇଯାଇଥିଲେ । ବାପା, ମାଆ ଓ ସାନ ଭଉଣୀଙ୍କୁ ହରାଇ ଏକୁଟିଆ ହୋଇଯାଇଛି ୭ ବର୍ଷର ଝିଅ । ଆଉ ଘରର ରୋଜଗାରିଆ ପୁଅ, ବୋହୂ ଓ ନାତୁଣୀଙ୍କୁ ହରାଇ ଭାଙ୍ଗିପଡ଼ିଛି ବିଚାରୀ ମାଆ । ଆଗକୁ କୁନି ଝିଅ ଓ ବୃଦ୍ଧା ଜେଜେ ମାଆ କିପରି ବାଟ ଚାଲିବେ ତାହା ହିଁ ସବୁଠାରୁ ବଡ଼ ଦୁଃଖର ବିଷୟ । ଏଭଳି ସ୍ଥିତିରେ ପ୍ରଶାସନିକ ସହାୟତା ନିମନ୍ତେ ଅନୁରୋଧ କରିଛନ୍ତି ଗ୍ରାମବାସୀ ଓ ସରପଞ୍ଚ ।

Get real time updates directly on you device, subscribe now.