fbpx

ମହାତ୍ମା ଗାନ୍ଧୀଙ୍କ ପାଇଁ ଧରା ପଡ଼ିଲା ଯୌନ ଅପରାଧୀ: ୧୦୦ ବର୍ଷର ଦଣ୍ଡାଦେଶ ଦେଲେ କୋର୍ଟ

ନୂଆଦିଲ୍ଲୀ: ସତ୍ୟ ଓ ଅହିଂସାର ପୂଜାରୀ ଥିଲେ ଜାତିର ପିତା ମହାତ୍ମା ଗାନ୍ଧୀ । ଏହି ଅହିଂସା ନୀତିରେ ଭାରତକୁ ସ୍ୱାଧୀନତାର ସ୍ୱାଦ ଚଖାଇ ସହିଦ ହୋଇଯାଇଛନ୍ତି ପ୍ରିୟ ବାପୁଜୀ । କିନ୍ତୁ ଆଜି ବି ସେ ପ୍ରତ୍ୟେକଟି ଭାରତୀୟଙ୍କ ହୃଦୟରେ ଚିର ନମସ୍ୟ ହୋଇ ରହିଛନ୍ତି । ତେବେ ତାଙ୍କରି ଶିକ୍ଷା ଅନୁସାରେ, ଆଜି ଜଣେ ଅମାନୁଷିକ ଚିନ୍ତାଧାରାର ଅଭିଯୁକ୍ତକୁ ଗିରଫ କରାଯାଇ କଠୋର ଦଣ୍ଡବିଧାନ କରାଯାଇଛି । ସାଢେ ୩ ବର୍ଷର ଝିଅକୁ ଦୁଷ୍କର୍ମ କରିଥିବା ଅଭିଯୁକ୍ତକୁ ୧୦୦ ବର୍ଷର ଦଣ୍ଡାଦେଶ ଶୁଣାଇଛନ୍ତି ମାନ୍ୟବର କୋର୍ଟ । ଦୁଇ ବର୍ଷର ଏକ ପୁରୁଣା ମାମଲାରେ ଏଭଳି ଆଦେଶ ଦେଇଛନ୍ତି ଅଦାଲତ ।

ସୂଚନା ଅନୁସାରେ, ୨ ବର୍ଷ ପୂର୍ବେ ପଥନମିଟ୍ଟା ଜିଲ୍ଲାରେ ଘଟିଯାଇଥିଲା ଏକ ଅମାନୁଷିକ କାଣ୍ଡ । ଜଣେ ସାଢେ ୩ ବର୍ଷର ଝିଅକୁ ଦୁଷ୍କର୍ମ କରିଥିବା ଅଭିଯୁକ୍ତକୁ ୧୦୦ ବର୍ଷର ଦଣ୍ଡାଦେଶ ଶୁଣାଇଛନ୍ତି ଅଡୁର ଫାଷ୍ଟ ଟ୍ରାକ ଏବଂ ବିଶେଷ ନ୍ୟାୟାଳୟ । ଏହି ଘଟଣାରେ ପୀଡ଼ିତାଙ୍କ ବଡ଼ ଭଉଣୀ(୮ ବର୍ଷ) ଏକମାତ୍ର ପ୍ରତ୍ୟକ୍ଷଦର୍ଶୀ ଥିଲେ । ତେବେ ସେ ବହିରେ ଅନେକ ଥର ମହାତ୍ମା ଗାନ୍ଧୀଙ୍କ ଏକ ନୀତିଶିକ୍ଷା ବିଷୟରେ ପଢିଥିଲେ । ଏଥିରେ ଗାନ୍ଧୀଜି କହିଥିଲେ ଯେ, କେବେ କୌଣସି ବ୍ୟକ୍ତିଙ୍କୁ ମିଛ କହିବା ଉଚିତ ନୁହେଁ । ତେଣୁ ଗାନ୍ଧୀଜୀଙ୍କ କଥାକୁ ପ୍ରେରଣା ମାନି ସେଦିନ ସାନ ଭଉଣୀ ସହ ଘଟିଥିବା ସମସ୍ତ କଥା ମା’ଙ୍କ ଆଗରେ କହି ଦେଇଥିଲେ ବଡ଼ ଭଉଣୀ । ତେବେ ଏହାପୂର୍ବରୁ ଅଭିଯୁକ୍ତ ବଡ଼ ଭଉଣୀଙ୍କ ସହ ମଧ୍ୟ ଏଭଳି ଅସଦାଚରଣ କରିଥିବା ଜାଣିବାକୁ ମିଳିଛି ।

ତେବେ ସମସ୍ତ ମାମଲା ଶୁଣିବା ପରେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଦଣ୍ଡ ଶୁଣାଇଛନ୍ତି ବିଚାରପତି ଏ. ସମୀର । ତେବେ ଅଭିଯୁକ୍ତକୁ ବର୍ତ୍ତମାନ ୧୦୦ ବର୍ଷ ପାଇଁ ଜେଲ ଦଣ୍ଡ ଦିଆଯାଇଛି । ଦୁଷ୍କର୍ମ ପାଇଁ ୨୦ ବର୍ଷ ଜେଲ ଦଣ୍ଡ ହୋଇଥିବା ବେଳେ ଅନ୍ୟାନ୍ୟ ଅଭିଯୋଗକୁ ଭିତ୍ତି କରି ଆରୋପୀକୁ ମୋଟ ୧୦୦ ବର୍ଷର ଜେଲ ଦଣ୍ଡାଦେଶ ହୋଇଛି । ତେବେ ଏହାସହିତ ଜରିମାନା ରାଶି ପୀଡ଼ିତା ନାବାଳିକାଙ୍କୁ ପ୍ରଦାନ କରାଯିବ ବୋଲି କୁହାଯାଇଛି । ଜରିମାନା ନ ଦେଇ ପାରିଲେ ଅଭିଯୁକ୍ତକୁ ଅତିରିକ୍ତ ୨ ବର୍ଷ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି କହିଛନ୍ତି ଅଦାଲତ ।

ପୋକ୍ସୋ ଆକ୍ଟର ବିଭିନ୍ନ ଧାରା ଅନୁସାରେ ଏହି ଦଣ୍ଡବିଧାନ କରିଛନ୍ତି କୋର୍ଟ । ଦାରା ୪(୨) ଏବଂ ୩(ଏ) ଅନୁସାରେ ୨୦ ବର୍ଷ ଜେଲ୍ ସହିତ ୫୦ ହଜାର ଟଙ୍କା ଜରିମାନା ଲାଗୁ ହୋଇଥିବା ବେଳେ ୪(୨) ଓ ୩(ଡି) ଅନୁସାରେ, ୨୦ ବର୍ଷ କାରାଦଣ୍ଡ ଏବଂ ୫୦ ହଜାର ଟଙ୍କାର ଜରିମାନା ଲାଗୁ ହୋଇଛି । ଏହାବ୍ୟତୀତ ପୋକ୍ସୋ ଆକ୍ଟର ୬ ଏବଂ ୫(୧) ଅନୁସାରେ ୨୦ ବର୍ଷ କାରାଦଣ୍ଡ ସହ ୧ ଲକ୍ଷ ଜରିମାନା ଆଦେଶ ଜାରି କରିଛନ୍ତି କୋର୍ଟ । ସେହିପରି ପୋକ୍ସୋ ଆକ୍ଟର ଧାରା ୬ ଏବଂ ୫ରେ(୨୦ ବର୍ଷ ଜେଲ ଓ ୧ ଲକ୍ଷ ଜରିମାନା), ୬ ଏବଂ ୫(n) ଅନୁସାରେ ୨୦ ବର୍ଷ ଜେଲ ଏବଂ ୧ ଲକ୍ଷ ଟଙ୍କାର ଜରିମାନା ଆଦେଶ ଶୁଣାଇଛନ୍ତି ମାନ୍ୟବର କୋର୍ଟ ।

Get real time updates directly on you device, subscribe now.