fbpx

NCP ଅଧ୍ୟକ୍ଷ ପଦରୁ ଶରଦ ପାୱାରଙ୍କ ଇସ୍ତଫା

ନୂଆଦିଲ୍ଲୀ: ଗତ କିଛିଦିନ ଧରି ମହାରାଷ୍ଟ୍ର ରାଜନୀତିକୁ ନେଇ ବେଶ୍ ଚର୍ଚ୍ଚା ହେଉଛି । ମହା ବିକାଶ ଅଘାଡ଼ି (ଏମଭିଏ) ଓ ବିଜେପିକୁ ନେଇ ଜୋରଦାର ରାଜନୀତି ଦେଖିବାକୁ ମିଳିଛି । ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି)ର ବରିଷ୍ଠ ନେତା ଅଜିତ ପାୱାର ବିଜେପିରେ ମିଶିବା, ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଆଦି ଏକାଧିକ ଚର୍ଚ୍ଚା ସାମ୍ନାକୁ ଆସିଥିଲା ।

ତେବେ ଏହା ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଏନସିପି ଅଧ୍ୟକ୍ଷ ଶରଦ ପାୱାର ଆଜି ଏକ ବଡ଼ ଘୋଷଣା କରିଛନ୍ତି । ସେ ଖୁବଶୀଘ୍ର ଏନସିପି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବେ । ନିକଟରେ ଏନସିପିକୁ ନେଇ ଏକାଧିକ ଖବର ସାମ୍ନାକୁ ଆସିଥିଲେ ହେଁ ଆଜି ୮୨ ବର୍ଷୀୟ ଶରଦ ପୂର୍ବ ଚର୍ଚ୍ଚା ଉପରେ ଯବନିକା ପକାଇଛନ୍ତି । ଶରଦଙ୍କ ପୁତୁରା ଅଜିତ ଏନସିପିର କିଛି ବିଧାୟକଙ୍କ ସହିତ ବିଜେପି ସରକାରରେ ସାମିଲ ହୋଇପାରନ୍ତି ବୋଲି କୁହାଯାଉଥିଲା ।

ଗତ ୧୯୯୯ରେ ଏନସିପି ଗଠନ ହେବା ପରଠାରୁ ଶରଦ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ସମ୍ଭାଳି ଆସୁଥିଲେ । ଗତବର୍ଷ ତାଙ୍କୁ ୪ ବର୍ଷ ପାଇଁ ଅଧ୍ୟକ୍ଷ ଭାବେ ଚୟନ କରାଯାଇଥିଲା । ସେ ଦୀର୍ଘ ୨୪ ବର୍ଷ ଧରି ଏହି ପଦରେ ରହି ଆସିଥିଲେ । ତେଣୁ ତାଙ୍କୁ ଏବେ ପଦ ଛାଡ଼ିବା ଆବଶ୍ୟକତା ରହିଥିବା ଶରଦ କହିଛନ୍ତି । ବିଗତ ୧୯୬୦ ମସିହା ମେ ମାସ ୧ ତାରିଖରୁ ଆରମ୍ଭ ହୋଇଥିବା ଶରଦଙ୍କ ରାଜନୈତିକ ଜୀବନ ଯାତ୍ରା ଏହା ମଧ୍ୟରେ ୬୩ ବର୍ଷ ଅତିକ୍ରାନ୍ତ କରି ସାରିଲାଣି । ଏହି ଅବଧି ମଧ୍ୟରେ ସେ ବିଭିନ୍ନ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ । ରାଜ୍ୟସଭାର ସାଂସଦ ଭାବେ ଶରଦଙ୍କର ଆଉ ୩ ବର୍ଷ ସମୟ ବାକି ଅଛି । ଏହି ସମୟ ମଧ୍ୟରେ ସେ ମହାରାଷ୍ଟ୍ର ଓ ଦେଶ ସହ ଜଡ଼ିତ ପ୍ରସଙ୍ଗ ଉପରେ ଧ୍ୟାନ କେନ୍ଦ୍ରିତ କରିବେ ବୋଲି କହିଛନ୍ତି ।

Get real time updates directly on you device, subscribe now.