fbpx

୨୩ ବର୍ଷୀୟା ଏହି ଏୟାରହୋଷ୍ଟେସ୍ ଆଜି ସମ୍ଭାଳୁଛନ୍ତି ଟ୍ରକର ଷ୍ଟିୟରିଂ, ଜଣେ ଦକ୍ଷ ଡ୍ରାଇଭର ଭାବେ ପୁରୁଷଙ୍କୁ ଦେଉଛନ୍ତି ମାତ୍‌

ନୂଆଦିଲ୍ଲୀ: ମହିଳା ବି ଆଜି ପୁରୁଷଙ୍କ ଠାରୁ କୌଣସିଥିରେ ପଛରେ ନାହାନ୍ତି ଏହା ବହୁବାର ପ୍ରମାଣିତ ହୋଇସାରିଛି । ନିଜର ଦୃଢ ଇଚ୍ଛା ଶକ୍ତି ବଳରେ ଆଜିର ମହିଳା ସମସ୍ତ ପୁରୁଷ ପ୍ରାଧାନ୍ୟ କ୍ଷେତ୍ରରେ ବି ନିଜର ଦମ୍ ଦେଖାଇ ପାରିଛି । ସେହିପରି ଜଣେ ସାହାସୀ ଯୁବତୀ ହେଉଛନ୍ତି ନେହା ଠାକୁର । ୨୩ ବର୍ଷୀୟା ନେହାଙ୍କ ଘର ହିମାଚଳପ୍ରଦେଶ ମଣ୍ଡି ଜିଲ୍ଲା ସରକାଘାଟ ଉପମଣ୍ଡଳ ଅଧୀନରେ ଆସୁଥିବା ଖୁଡଲା ଗ୍ରାମରେ । ନେହା କେବଳ ଟ୍ରକ ଚଲାଉନାହାନ୍ତି ବରଂ ପିତାଙ୍କ ବ୍ୟବସାୟ ବି ସମ୍ଭାଳୁଛନ୍ତି । ଏହି ଯୁବତୀ ଆଜି ନିଜ ରାଜ୍ୟ ତଥା ପୁରା ଦେଶର ମହିଳାଙ୍କ ଲାଗି ପ୍ରେରଣାର ଉତ୍ସ ପାଲଟି ଯାଇଛନ୍ତି । ନେହା ଗ୍ରାଜୁଏସନ କରିବା ପରେ ଏୟାରହୋଷ୍ଟେସ୍ କୋର୍ସ କରିଛନ୍ତି ଓ ଏହାପରେ ଚଣ୍ଡୀଗଡରେ ପ୍ରାଇଭେଟ୍ ଚାକିରୀ କରିଥିଲେ । ୨୦୨୧ରେ କରୋନା ସମୟରେ ତାଙ୍କ ଚାକିରୀ ଚାଲି ଯାଇଥିଲା ଓ ଘରକୁ ଆସି ସେ ପିତାଙ୍କ ଟ୍ରକର ଷ୍ଟିୟରିଂ ସମ୍ଭାଳିବାରେ ଲାଗିଥିଲେ ।

ନେହା କହିଛନ୍ତି ପିଲାଦିନୁ ତାଙ୍କର ଗାଡି ଚଲାଇବାର ସଉକ ଥିଲା । ତାଙ୍କ ବାପାଙ୍କ ପାଖରେ ୨ଟି ଟ୍ରକ ଥିଲା । ତେଣୁ ସେ ପ୍ରାୟ ସମୟରେ ବାପାଙ୍କ ସହ ଟ୍ରକରେ ଯାଉଥିଲେ । ଏପରି ସ୍ଥିତିରେ ନେହାଙ୍କର ଟ୍ରକ ଷ୍ଟିୟରିଂ ସମ୍ଭାଳିବାକୁ ପ୍ରବଳ ଇଚ୍ଛା ହୋଇଥିଲା ଓ ସେ ଏହା ଚଲାଇବାକୁ ନିଷ୍ପତ୍ତି ନେଇଥିଲେ । ୨୦୨୨ରୁ ନେହା ଟ୍ରକ ଚଲାଇ ଆସୁଛନ୍ତି ଓ ପିତାଙ୍କ କାରବାରକୁ ବେଶ୍ ଭଲ ଭାବରେ ସମ୍ଭାଳୁଛନ୍ତି ।

ନେହା କହିଛନ୍ତି ଏବେ ମହିଳା ଟ୍ରକ ଡ୍ରାଇଭରଙ୍କ ଲାଗି ଲଙ୍ଗ ରୁଟ୍‌ରେ ଯିବାର କୌଣସି ପ୍ରାବଧାନ ନାହିଁ ତେଣୁ ଏବେ ସେ ଲୋକାଲ ରୁଟ୍‌ରେ ଟ୍ରକ ଚଲାଉଛନ୍ତି । ସେ କହିଛନ୍ତି ମହିଳାଙ୍କୁ ଏହି କ୍ଷେତ୍ରରେ ୱାସରୁମ୍ ସହିତ ଅନ୍ୟ ପ୍ରକାରର ସମସ୍ୟାର ସାମ୍ନା କରିବାକୁ ପଡୁଛି । କିନ୍ତୁ ସେ କୌଣସି ପ୍ରକାରେ ସେସବୁକୁ ସାମ୍ନା କରି ନେଉଛନ୍ତି । ନେହା ଅନ୍ୟ ମହିଳା ଓ ଯୁବତୀଙ୍କ ଉଦ୍ଦେଶ୍ୟରେ ସନ୍ଦେଶ ରଖିଛନ୍ତି କି ସେମାନେ ବି ତାଙ୍କ ପରି ନିଜ ସ୍ୱପ୍ନ ପୂରଣ କରିବାକୁ ପଛକୁ ହଟନ୍ତୁ ନାହିଁ ।

Get real time updates directly on you device, subscribe now.