fbpx

ଓଡ଼ିଶାରେ ଘଟିଲା ଆଲୌକିକ ଘଟଣା! ରାତିରେ ପୂଜକଙ୍କୁ ସ୍ୱପ୍ନାଦେଶ ହେଲା, ସକାଳୁ ମାଟିତଳୁ ବାହାରିଲେ ‘ଶିବ ଲିଙ୍ଗ’

AAKASH

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଈଶ୍ୱରର ସୃଷ୍ଟି ବଡ଼ ବିଚିତ୍ର । ସାଧାରଣ ମଣିଷ ତାଙ୍କର ରହସ୍ୟ ବୁଝିବା ନିହାତି ମୁସ୍କିଲ । କଥାରେ ଅଛି, ଭକ୍ତି ଥିଲେ ଈଶ୍ୱର ସ୍ୱୟଂ ଚାଲି ଆସନ୍ତି । ଏପରି ଅନେକ ଘଟଣା ଯୁଗେ ଯୁଗେ ଦେଖିବାକୁ ମିଳିଛି । ତେବେ ଅନେକ ସମୟରେ ଆମର ଆଖପାଖର କୌଣସି ସ୍ଥାନରେ ଈଶ୍ୱରଙ୍କର ଲୀଳାର କିଛି ଅପୂର୍ବ ନିଦର୍ଶନ ଦେଖିବାକୁ ମିଳିଥାଏ । କାନ୍ଥବାଡ଼ରେ, ବୃକ୍ଷମୂଳରେ, ରାସ୍ତାକଡ଼ରେ ପ୍ରଭୁ ଆବିର୍ଭାବ ହୋଇଥିବାର ଦେଖିବାକୁ ମିଳିଥାଏ ।

ତେବେ ଏହା ମଧ୍ୟରେ କନ୍ଧମାଳ ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା । ପବିତ୍ର କାର୍ତ୍ତିକ ମାସ ପ୍ରଥମ ସୋମବାର ଦିନ ଦେବଦେବ ମହାଦେବ ଆବିର୍ଭାବ ହୋଇଛନ୍ତି । ତ୍ରିନାଥ ମନ୍ଦିର ପରିରର ମାଟି ତଳୁ ବାହାରିଛନ୍ତି ଶିବ ଲିଙ୍ଗ । ଏହି ଘଟଣାକୁ ନେଇ ଏବେ ଚାରିଆଡ଼େ ବେଶ୍ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ଏହି ଲିଙ୍ଗକୁ ଦେଖିବାକୁ ଶହ ଶହ ଲୋକଙ୍କର ସୁଅ ଛୁଟିଛି ।

ଫିରିଙ୍ଗିଆ ବ୍ଲକର କ୍ରାଣ୍ଡିବାଲିଠାରେ ଦେଖିବାକୁ ମିଳିଛି ଏଭଳି ଏକ ଅଲୌକିକ ଘଟଣା । ରବିବାର ଦିନ ରାତିରେ ଶୋଇଥିବା ବେଳେ ମନ୍ଦିର ପରିସର ମାଟି ତଳେ ଶିବ ଲିଙ୍ଗ ରହିଥିବା ନେଇ ପୂଜକଙ୍କୁ ସ୍ୱପ୍ନଦେଶ ହୋଇଥିଲା । ସକାଳ ପାହିବା ପରେ ଗ୍ରାମବାସୀଙ୍କୁ ଡାକି ପୂଜକ ଦେଖନ୍ତି ତ ଗୋଟିଏ ସ୍ଥାନରେ ମାଟି ଫାଟିଥିଲା । ତେବେ ସେ ସ୍ଥାନରୁ ୧ ଫୁଟ ମାଟି ଖୋଳିବା ପରେ ଏକ ଶିବ ଲିଙ୍ଗ ବାହାରିଥିଲା । ଏହି ଖବର ଚାରିଆଡ଼େ ପ୍ରଘଟ ହେବା ପରେ ଶହ ଶହ ଲୋକ ଭିଡ଼ ଜମାଇବା ସହିତ ଫୁଲବାଣୀ ବିଧାୟକ, ସ୍ଥାନୀୟ ସରପଞ୍ଚ ପ୍ରମୁଖ ପହଞ୍ଚିଥିଲେ । ତେବେ ପରେ ସମସ୍ତେ ଲିଙ୍ଗକୁ ପୂଜା କରିବା ସହିତ ଶିବ ଲିଙ୍ଗକୁ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଥିଲେ ।

Get real time updates directly on you device, subscribe now.