fbpx

Andhra B.Ed କରୁଥିବା ଛାତ୍ରଛାତ୍ରୀଙ୍କୁ ବଡ଼ ଝଟକା: ବଦଳିଲା ନିୟମ, କ୍ଲାସ କରିବା ବାଧ୍ୟତାମୂଳକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାର ହଜାର ହଜାର ଛାତ୍ରଛାତ୍ରୀ ଆନ୍ଧ୍ରପ୍ରଦେଶର ବିଇଡିରେ ନାମଲେଖାଉଥିବା ଦେଖାଯାଉଛି । ଆନ୍ଧ୍ର ବିଇଡିରେ ଆଡମିସନ କରିଥିବା ଅନେକ ଛାତ୍ରଛାତ୍ରୀ କେବଳ ପରୀକ୍ଷା ବେଳେ ସେଠାକୁ ଯାଇଥାନ୍ତି । ଅନେକ ଛାତ୍ରଛାତ୍ରୀ ଆନ୍ଧ୍ର ବିଇଡି ସାର୍ଟିଫିକେଟରେ ଘରୋଇ ଓ ସରକାରୀ ଶିକ୍ଷାନୁଷ୍ଠାନରେ ଚାକିରି ମଧ୍ୟ କରିଛନ୍ତି । ତେବେ ଏନେଇ ଆସିଛି ଏକ ବଡ଼ ଖବର ।

ନିକଟରେ ଆନ୍ଧ୍ରପ୍ରଦେଶ ସରକାର ବିଇଡି ନାମଲେଖା ଓ ଅଧ୍ୟୟନକୁ ନେଇ କିଛି ସଂସ୍କାର ଆଣିଛନ୍ତି । ଆନ୍ଧ୍ର ବିଇଡିରେ ନାମ ଲେଖାଇଥିବା ପିଲାମାନେ ଘରେ ବସି ବିଇଡି କରିପାରିବେନି । ନାମ ଲେଖାଇଥିବା ଛାତ୍ରଛାତ୍ରୀମାନେ କ୍ଲାସ କରିବା ବାଧ୍ୟତାମୂଳକ । ପିଲାମାନଙ୍କର ଉପସ୍ଥାନ ଅତିକମରେ ୭୫ ପ୍ରତିଶତ ବାଧ୍ୟତାମୂଳକ ହେବା ଜରୁରୀ ବୋଲି କୁହାଯାଇଛି ।

ତେବେ ଆନ୍ଧ୍ର ସରକାରଙ୍କ ଏହି ନିଷ୍ପତ୍ତି ପରେ ଏବେ ଆନ୍ଧ୍ର ବିଇଡିରେ ନାମ ଲେଖାଇଥିବା ବା ଭବିଷ୍ୟତରେ ଲେଖାଇବାକୁ ଯୋଜନା କରୁଥିବା ଛାତ୍ରଛାତ୍ରୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି । ଓଡ଼ିଶାର ପିଲାଙ୍କୁ ନେଇ ଆନ୍ଧ୍ରର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ବିଇଡିରେ ଆଡମିସନ କରାଉଥିବା ସଂସ୍ଥା ଏବେ ବିକଳ୍ପ ସନ୍ଧାନରେ ରହିଛନ୍ତି । ଆନ୍ଧ୍ର ସରକାରଙ୍କ ନିର୍ଦ୍ଦେଶନାମା ପରେ ଓଡ଼ିଶାର ପିଲାଙ୍କର ଆନ୍ଧ୍ର ବିଇଡିରେ ନାମଲେଖା ଆଶା କ୍ଷୀଣ ହୋଇଯାଇଛି । ପୂର୍ବରୁ ଛାତ୍ରଛାତ୍ରୀମାନେ କେବଳ ପରୀକ୍ଷା ଦେବାକୁ ଆନ୍ଧ୍ର ଯାଉଥିବା ବେଳେ ଏବେ ବିନା ଉପସ୍ଥାନରେ ସେମାନେ କିପରି ପରୀକ୍ଷା ଦେବେ ତାହା ଏବେ ଚିନ୍ତା ବଢ଼ାଇଛି । ଏଭଳି ସ୍ଥିତିରେ ଓଡ଼ିଶାରେ ଖୋଲିଥିବା ବିଭିନ୍ନ ମଧ୍ୟସ୍ଥକାରୀ ସଂସ୍ଥା ଏବେ ଅନ୍ୟ ବିଶ୍ୱବିଦ୍ୟାଳୟରେ ନାମଲେଖା ନେଇ ପ୍ରୟାସ ଆରମ୍ଭ କରିଛନ୍ତି ।

Get real time updates directly on you device, subscribe now.