fbpx

ଟିମ ଇଣ୍ଡିଆର ବୋଲିଂ ଆଗରେ ବେସାହାରା ପାଲଟିଲା ଜିମ୍ବାୱେ: ୭୧ ରନରେ ଭାରତର ବିଜୟ

ନୂଆଦିଲ୍ଲୀ: ବ୍ୟାଟିଂ ପରେ ଏବେ ବୋଲିଂରେ ବି କମାଲ କରିଛି ଟିମ ଇଣ୍ଡିଆ । ଭାରତୀୟ ପେସ ଆଟାକ ଆଗରେ ମୁଣ୍ଡ ନୁଆଁଇଛି ଜିମ୍ବାୱେର ବ୍ୟାଟିଂ ଅର୍ଡର । ଇନିଂସର ପ୍ରଥମ ବଲରୁ ହିଁ ଜିମ୍ବାୱେ ଉପରେ ଭାରୀ ପଡିଥିଲେ ଟିମ ଇଣ୍ଡିଆର ବୋଲର । ଭୁବନେଶ୍ୱର କୁମାରଙ୍କ ପ୍ରଥମ ବଲରେ ଜିମ୍ବାୱେର ଓପନର ୱିସଲି ମାଧେବର ଆଉଟ ହୋଇ ପାଭିଲିୟନ ଫେରିଥିଲେ । ଏହାପରେ ଗୋଟିଏ ପରେ ଗୋଟିଏ ୱିକେଟ ହରାଇ ଶେଷରେ ମ୍ୟାଚ ମଧ୍ୟ ହରାଇଛି ଜିମ୍ବାୱେ । ଏହି ମ୍ୟାଚରେ ୭୧ ରନରେ ବିଜୟୀ ହୋଇ ସେମି ଫାଇନାଲରେ ଜବରଦସ୍ତ ଏଣ୍ଟ୍ରି ମାରିଛି ଟିମ ଇଣ୍ଡିଆ ।

ଟିମ ଇଣ୍ଡିଆର ବୋଲିଂ ଆଟାକକୁ ସାମନା କରି ନ ପାରି ମାତ୍ର ୧୭.୨ ଓଭରରେ ୧୧୫ ରନ୍ କରି ସମସ୍ତ ୱିକେଟ ହରାଇଛି ଜିମ୍ବାୱେ । ଏହି ମ୍ୟାଚରେ ମୋଟ ୬ ଜଣ ବୋଲରଙ୍କୁ ବୋଲିଂ କରାଇଥିଲେ ଅଧିନାୟକ ରୋହିତ । ପ୍ରତ୍ୟେକ ବୋଲରଙ୍କୁ ସଫଳତା ମିଳିଥିବା ବେଳେ ସର୍ବାଧିକ ୱିକେଟ ନେଇଛନ୍ତି ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱୀନ । ତେବେ ଏହି ୱିକେଟ ନେବାର ସିଲସିଲା ଆରମ୍ଭ କରିଥିଲେ ସ୍ୱିଙ୍ଗର ରାଜକୁମାର ଭୁବନେଶ୍ୱର କୁମାର । ପ୍ରଥମ ବଲରେ ୱିକେଟ ନେଇ ଜିମ୍ବାୱେକୁ ଦେଇଥିଲେ ଶକ୍ତ ଝଟକା । ଏହାପରେ ପାଳିର ଦ୍ୱିତୀୟ ଓଭର ଏବଂ ନିଜର ପ୍ରଥମ ଓଭରରେ ଦଳକୁ ଆଉ ଏକ ସଫଳତା ଦେଇଥିଲେ ଅର୍ଶଦୀପ । ତେବେ ପ୍ରଥମ ଦୁଇଟି ୱିକେଟ ପରେ ଜିମ୍ବାୱେ ଉପରେ ଭାରତୀୟ ପେସ ଆଟାକ ଖୁବ ଭାରୀ ପଡିଥିଲା । ମହମ୍ମଦ ଶାମୀ ଏବଂ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ଦେଇଥିଲେ ଲଗାତାର ୪ଟି ସଫଳତା । ତେବେ ୪ ଓଭର ବୋଲିଂ କରି ୨୨ ରନ ବ୍ୟୟ କରି ସେ ୩ଟି ୱିକେଟ ହାସଲ କରିଛନ୍ତି । ଏହାବ୍ୟତୀତ ଅକ୍ସର ପଟେଲ ଗୋଟିଏ ୱିକେଟ ସହ ଜିମ୍ବାୱେର ଇନିଂସରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ।

ଅନ୍ୟ ପକ୍ଷରେ ଜିମ୍ବାୱେ ତରଫରୁ ରିୟାନ ବର୍ଲ ସର୍ବାଧିକ ୩୪ ରନ କରିଛନ୍ତି । ରିୟାନ ୨୨ ବଲରୁ ୩୫ ରନ କରିଥିବା ବେଳେ ୨୪ ବଲରୁ ୩୪ ରନ କରିଛନ୍ତି ସିକନ୍ଦର ରଜା । ତାଙ୍କ ବ୍ୟତୀତ ଅଧିନାୟକ କ୍ରେଗ ଏରଭିନ(୧୩) ଏବଂ ସିନ ୱିଲିୟାମ୍ସ ଦଳ ପାଇଁ ୧୧ ରନ ଯୋଡି ପାରିଛନ୍ତି । କିନ୍ତୁ ଦଳର ଅନ୍ୟ କୌଣସି ଖେଳାଳିଙ୍କ ପାଖରେ ଭାରତୀୟ ବୋଲରଙ୍କ ସାମନାରେ ତିଷ୍ଠି ପାରି ନଥିଲେ । ଏମାନଙ୍କ ମଧ୍ୟରୁ ୩ ଜଣ ଖାତା କୋଲି ନଥିବା ବେଳେ ବାକି ୪ ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରିନାହାନ୍ତି ।

Get real time updates directly on you device, subscribe now.