fbpx

ରାଜସ୍ଥାନ କଂଗ୍ରେସକୁ ବଡ଼ ଝଟକା: ବିଧାନସଭା ନିର୍ବାଚନ ପୂର୍ବରୁ ଦଳ ଛାଡ଼ିଲେ ପୂର୍ବତନ ମନ୍ତ୍ରୀ ଓ ମୁଖପାତ୍ର

Advertisement

ନୂଆଦିଲ୍ଲୀ: ଚଳିତ ମାସରେ ବିଭିନ୍ନ ପର୍ଯ୍ୟାୟରେ ଦେଶର ପାଞ୍ଚଟି ରାଜ୍ୟ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼, ତେଲେଙ୍ଗାନା ଓ ମିଜୋରାମର ବିଧାନସଭା ନିର୍ବାଚନ ନିମନ୍ତେ ମତଦାନ ଗ୍ରହଣ କରାଯିବ । ଏହା ମଧ୍ୟରେ ଗତ ୭ ତାରିଖରେ ମିଜୋରାମର ୪୦ଟି ଆସନ ଓ ଛତିଶଗଡ଼ର ୨୦ଟି ଆସନ ପାଇଁ ମତଦାନ ସମାପ୍ତ ହୋଇଛି । ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ଏଥର କଂଗ୍ରେସକୁ ହଟାଇ ସରକାର ଗଠନ ନିମନ୍ତେ ବିଜେପି ଜୋରଦାର ପ୍ରୟାସ କରୁଛି ।

ତେବେ ଏହା ମଧ୍ୟରେ ରାଜସ୍ଥାନ କଂଗ୍ରେସକୁ ଲାଗିଛି ଏକ ବଡ଼ ଝଟକା । ଦଳର କିଛି ବରିଷ୍ଠ ନେତା ହାତ ଛାଡ଼ି ପଦ୍ମ ଧରିଛନ୍ତି । ପୂର୍ବତନ ମନ୍ତ୍ରୀ ରାମ ଗୋପାଳ ଓ ମୁଖପାତ୍ର ପଙ୍କଜ ମେହତା ବିଜେପିରେ ସାମିଲ ହୋଇଛନ୍ତି । ରାଜ୍ୟ ବିଜେପି ସଭାପତି ସି.ପି ଯୋଶୀଙ୍କ ଉପସ୍ଥିତିରେ ଆହୁରି ଅନେକ ନେତା ଦଳରେ ମିଶିଥିବା ଜଣାପଡ଼ିଛି । ନିକଟରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲତଙ୍କ ବିଶ୍ୱସ୍ତ ଭାବେ ଜଣାଶୁଣା ରାମେଶ୍ୱର ଦାଧୀଚ ମଧ୍ୟ ବିଜେପିରେ ସାମିଲ ହୋଇଥିଲେ ।

ଜଣାପଡ଼ିଛି ଯେ, ରାମ ଗୋପାଳ ଓ ପଙ୍କଜ ଉଭୟେ କୋଟାରୁ ବିଧାନସଭା ନିର୍ବାଚନ ଲଢ଼ିବାକୁ ଚାହୁଁଥିଲେ । ପଙ୍କଜ ଲାଡପୁରା ଓ କୋଟା ଦକ୍ଷିଣରୁ ଟିକେଟ ଚାହୁଁଥିଲେ । ସେହିପରି ରାମ ଗୋପାଳ ବରେବା ପୀପଲଦା ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବାକୁ ଇଚ୍ଛୁକ ଥିଲେ । ମାତ୍ର କଂଗ୍ରେସ ତରଫରୁ ଏହି ଦୁଇ ନେତାଙ୍କୁ ଟିକେଟ ମିଳିନଥିଲା । ତେଣୁ ସେମାନେ ଅସନ୍ତୋଷ ପ୍ରକାଶ କରି ବିଜେପିରେ ସାମିଲ ହୋଇଥିଲେ । ବିଜେପି ପ୍ରଦେଶ ଅଧ୍ୟକ୍ଷ ଶ୍ରୀ ଯୋଶୀଙ୍କ ଉପସ୍ଥିତିରେ ସେମାନେ ପଦ୍ମ ଧରିଥିଲେ । ସୂଚନାଯୋଗ୍ୟ ଯେ, ଗତ ୨୦୧୮ ବିଧାନସଭା ନିର୍ବାଚନରେ କଂଗ୍ରେସ ରାଜ୍ୟରେ ସରକାର ଗଠନ କରିଥିଲା । ଏଥର ମଧ୍ୟ ସରକାର ଗଠନ ପାଇଁ ବିଜେପି-କଂଗ୍ରେସ ମଧ୍ୟରେ କଡ଼ା ଦେଖିବାକୁ ମିଳିବ ।

Get real time updates directly on you device, subscribe now.