fbpx
BJD SKY
BJD SKY

World Cup-2023ରେ ସୃଷ୍ଟି ହେଲା ଐତିହାସିକ ରେକର୍ଡ: ଟୁର୍ଣ୍ଣାମେଣ୍ଟକୁ ସ୍ପେଶାଲ କଲେ ଦର୍ଶକ

BJD

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ ବର୍ତ୍ତମାନ ଶେଷ ପର୍ଯ୍ୟାୟ ଆଡ଼କୁ ଗତି କରୁଛି । ଟୁର୍ଣ୍ଣାମେଣ୍ଟର ଲିଗ୍ ପର୍ଯ୍ୟାୟ ପ୍ରାୟତଃ ଶେଷ ହୋଇସାରିଛି । ଆସନ୍ତାକାଲି ଶେଷ ମ୍ୟାଚରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଭାରତ ଏବଂ ନେଦରଲାଣ୍ଡ । ତେବେ ଏହାପରେ ସେମି ଫାଇନାଲ ଏବଂ ଫାଇନାଲ ମ୍ୟାଚ ଖେଳାଯିବ । ତେବେ ବର୍ତ୍ତମାନ ସୁଦ୍ଧା ବିଭିନ୍ନ ଦଳ କ୍ରିକେଟ ଇତିହାସର ଅନେକ ବଡ଼ ବଡ଼ ରେକର୍ଡକୁ ଭାଙ୍ଗିବାରେ ସଫଳ ହୋଇଛନ୍ତି । ଏହି ରେକର୍ଡ ତାଲିକାରେ ଦର୍ଶକ ମଧ୍ୟ ପଛରେ ରହିନାହାନ୍ତି । ସେମି ଫାଇନାଲ ପୂର୍ବରୁ ଚଳିତ ବିଶ୍ୱକପରେ କ୍ରୀଡ଼ାପ୍ରେମୀଙ୍କ ନାମରେ ମଧ୍ୟ ଏକ ବିଶ୍ୱ ରେକର୍ଡ ଯୋଡ଼ି ହୋଇଛି । ଏ ନେଇ ବିସିସିଆଇ ସଚିବ ଜୟ ଶାହ ଟ୍ୱିଟ କରି ସୂଚନା ଦେଇଛନ୍ତି ।

୧୨ ବର୍ଷ ପରେ ପୁଣିଥରେ ଭାରତକୁ ଫେରିଛି ଦିନିକିଆ ବିଶ୍ୱକପ ଟୁର୍ଣ୍ଣାମେଣ୍ଟ । ଚଳିତବର୍ଷ ଏହି ଟୁର୍ଣ୍ଣାମେଣ୍ଟ ଅନେକ ଐତିହାସିକ ରେକର୍ଡ ନିଜ ନାମରେ କରିଛି । ନେଦରଲାଣ୍ଡ ଏବଂ ଆଫଗାନିସ୍ତାନ ଭଳି ଦଳ ମଧ୍ୟ ଏହି ମେଗା ଇଭେଣ୍ଟରେ ଦମଦାର ଖେଳ ପ୍ରଦର୍ଶନ କରି ଫ୍ୟାନ୍ସଙ୍କ ହୃଦୟ ଜିତିଛନ୍ତି । ତେବେ ଏହି ବିଶ୍ୱକପକୁ ସଫଳ କରିବାରେ ସବୁଠାରୁ ବଡ଼ ଭୂମିକା ଗ୍ରହଣ କରିଛନ୍ତି କ୍ରିକେଟ ପ୍ରେମୀ ବା ଦର୍ଶକ । ଚଳିତ ବିଶ୍ୱକପ-୨୦୨୩ରେ ବର୍ତ୍ତମାନ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ସମସ୍ତ ମ୍ୟାଚରେ ଦର୍ଶକଙ୍କ ସଂଖ୍ୟା ଏକ ଐତିହାସିକ ରେକର୍ଡ ହାସଲ କରିଛି । ମୋଟ ୧ ମିଲିୟନ ଦର୍ଶକ ବିଭିନ୍ନ ମ୍ୟାଚ ଦେଖିବା ପାଇଁ ପଡ଼ିଆରେ ଉପସ୍ଥିତ ହୋଇଛନ୍ତି । ଭାରତର ମ୍ୟାଚକୁଡ଼ିକ ବ୍ୟତୀତ ଅନ୍ୟ ଦଳମାନଙ୍କର ମ୍ୟାଚ ଦିନରେ ମଧ୍ୟ ବହୁ ସଂଖ୍ୟକ ଦର୍ଶକଙ୍କୁ ପଡ଼ିଆରେ ଦେଖିବାକୁ ମିଳିଛି । ତେବେ ଏ କୀର୍ତ୍ତିମାନ ନେଇ ବିସିସିଆଇ ସଚିବ ଜୟ ଶାହ ଏକ ଟ୍ୱିଟ ଜରିଆରେ ସୂଚନା ଦେଇଛନ୍ତି ।

ଲିଗ୍ ପର୍ଯ୍ୟାୟରେ ଆଉ ମାତ୍ର ଗୋଟି ମ୍ୟାଚ ବାକି ରହିଥିବା ବେଳେ ସେମି ଫାଇନାଲ ପାଇଁ ୪ଟି ଦଳ ପ୍ରାୟତଃ ଚୟନ ହୋଇ ସାରିଛନ୍ତି । ପଏଣ୍ଟ ଟେବୁଲର ଶୀର୍ଷରେ ରହି ଆୟୋଜକ ଟିମ ଇଣ୍ଡିଆ ପ୍ରଥମ ଦଳ ଭାବେ ସେମି ଫାଇନାଲରେ ପ୍ରବେଶ କରିଥିବା ବେଳେ ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ମଧ୍ୟ ସେମି ଫାଇନାଲ ଟିକେଟ ହାସଲ କରିସାରିଛନ୍ତି । ତେବେ ଚତୁର୍ଥ ଦଳ ପାଇଁ ଲମ୍ବା ଲଢେଇ ପରେ ଆଫଗାନିସ୍ତାନ ବାଦ୍ ପଡ଼ିଛି ଏବଂ ପାକିସ୍ତାନ ମଧ୍ୟ ସମ୍ଭବତଃ ସେମି ଦୌଡ଼ରୁ ବାଦ୍ ପଡ଼ିବା ଅଭିମୁଖେ ରହିଛି । ତେଣୁ ଚତୁର୍ଥ ଦଳ ଭାବରେ ସେମି ଫାଇନାଲକୁ ନ୍ୟୁଜିଲାଣ୍ଡ ପହଞ୍ଚିବା ନେଇ ଯଥେଷ୍ଟ ସମ୍ଭାବନା ଦେଖା ଦେଇଛି ।

Get real time updates directly on you device, subscribe now.