“ଅର୍ଶଦୀପଙ୍କ ଉପରେ ନାହିଁ ଶୁଭମନ୍ ଗିଲ୍ ଓ ଗୌତମ ଗମ୍ଭୀରଙ୍କ ଭରଷା”, ଏମିତି କହିଲେ ଗଗନଦୀପ ସିଂହ
ଦକ୍ଷତା ଥାଇ ମଧ୍ୟ କାହିଁକି ଓଭାଲ ଟେଷ୍ଟରେ ଅର୍ଶଦୀପଙ୍କୁ ମିଳିଲାନି ସ୍ଥାନ?
ନୂଆଦିଲ୍ଲୀ: ଏସିଆ କପରେ ଅର୍ଶଦୀପ ସିଂହ ଭଲ ପ୍ରଦର୍ଶନ କରିବେ ବୋଲି ସମସ୍ତେ ଆଶା ରଖିଛନ୍ତି। ଏହି ବାମହାତୀ ଦ୍ରୁତ ବୋଲର ଟି-୨୦ ଫର୍ମାଟରେ ଭାରତର ସର୍ବୋତ୍ତମ ବୋଲରମାନଙ୍କୁ ମଧ୍ୟରୁ ଜଣେ।
ଓ୍ୱିକେଟ୍ ନେବା କ୍ଷେତ୍ରରେ ଅର୍ଶଦୀପ ସିଂହ ଦ୍ରୁତ ବୋଲର ବୁମରାହଙ୍କ ଠାରୁ ଆଗରେ ଅଛନ୍ତି। ଯେଉଁଥିରୁ ସ୍ପଷ୍ଟ ଯେ ଏସିଆ କପରେ ଦଳର ଷ୍ଟ୍ରାଇକ୍ ବୋଲର ହେବେ ଅର୍ଶଦୀପ।
ତଥାପି ଏସିଆ କପ୍ ପୂର୍ବରୁ ଅର୍ଶଦୀପ ସିଂହଙ୍କ କୋଚ୍ ଗଗନଦୀପ ସିଂହ ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ଏବଂ ଟେଷ୍ଟ ଅଧିନାୟକ ଶୁଭମନ ଗିଲଙ୍କୁ ଏକ ବଡ଼ ପ୍ରଶ୍ନ ଉଠାଇଛନ୍ତି।
ଗଗନଦୀପ କହିଛନ୍ତି ଯେ ଅର୍ଶଦୀପ ସିଂହ ଓଭାଲ ଟେଷ୍ଟ ପାଇଁ ସମ୍ପୂର୍ଣ୍ଣ ଫିଟ୍ ଥିଲେ କିନ୍ତୁ ଦଳ ପରିଚାଳନା ତାଙ୍କୁ କାହିଁକି ଚୟନ କରି ନଥିଲେ?
ଅର୍ଶଦୀପଙ୍କ ସମ୍ପର୍କରେ ଗମ୍ଭୀର-ଗିଲଙ୍କୁ ପ୍ରଶ୍ନ: ଗଗନଦୀପ ସିଂହ ଏକ ସାକ୍ଷାତକାରରେ କହିଥିଲେ ଯେ ଅର୍ଶଦୀପ ସିଂହ ଟେଷ୍ଟ ଡେବ୍ୟୁ ପାଇଁ ବ୍ୟାକୁଳ ଥିଲେ କିନ୍ତୁ ଓଭାଲରେ ଫିଟ୍ ହେବା ସତ୍ତ୍ୱେ ତାଙ୍କୁ ଦଳରେ ସ୍ଥାନ ମିଳିନଥିଲା।
ଗଗନଦୀପ କହିଛନ୍ତି ‘କିଛି ମାସ ପୂର୍ବରୁ ମୁଁ ଇଂଲଣ୍ଡରେ ଥିବା ସମୟରେ ତାଙ୍କ ସହ କଥା ହୋଇଥିଲି। ସୁଯୋଗ ନପାଇବା ପାଇଁ ସେ ଅସ୍ଥିର ଥିଲେ। ମୁଁ ତାଙ୍କୁ କହିଥିଲି ଯେ ତାଙ୍କୁ ଅପେକ୍ଷା କରିବାକୁ ପଡିବ’।
‘ମୋ ମତରେ ତାଙ୍କୁ ଇଂଲଣ୍ଡରେ ସୁଯୋଗ ମିଳିବା ଉଚିତ ଥିଲା କାରଣ ସେ ଜଣେ ସ୍ୱିଙ୍ଗ୍ ବୋଲର ଏବଂ ତାଙ୍କ ଉଚ୍ଚତା ମଧ୍ୟ ଭଲ ଅଛି। ମୁଁ ଦଳ ପରିଚାଳନାକୁ ଜାଣିନାହିଁ, ହୁଏତ ପ୍ରଶିକ୍ଷକ ଏବଂ ଅଧିନାୟକ ତାଙ୍କ ଉପରେ ବିଶ୍ୱାସ କରିନଥିଲେ।’
ଟେଷ୍ଟ ଡେବ୍ୟୁ ପାଇଁ ଅପେକ୍ଷା କରିବାକୁ ପଡିବ: ଅର୍ଶଦୀପ ସିଂହଙ୍କ କୋଚ୍ ବିଶ୍ୱାସ କରନ୍ତି ଯେ ତାଙ୍କୁ ତାଙ୍କର ଟେଷ୍ଟ ଡେବ୍ୟୁ ପାଇଁ ଟିକେ ଅପେକ୍ଷା କରିବାକୁ ପଡିବ। ଅର୍ଶଦୀପ ସିଂହଙ୍କୁ ତାଙ୍କର ସ୍ୱିଙ୍ଗ୍ ଏବଂ ସଠିକ୍ ଲାଇନ-ଲେନ୍ଥ ଉପରେ କାମ କରିବାକୁ ପଡିବ।
ଗଗନଦୀପ କହିଛନ୍ତି, ‘ଅର୍ଶଦୀପ ଜଣେ ଭଲ ବୋଲର ହୋଇପାରିବେ। ତାଙ୍କର ବଲ ଠିକ୍ ଲାଇନରୁ ସ୍ୱିଙ୍ଗ୍ କରିପାରିବ। ସେ ତାଙ୍କର ବାଉନ୍ସର ଉପରେ କାମ କରିବେ, ଏହା ତାଙ୍କୁ ଅନ୍ତର୍ଜାତୀୟ କ୍ରିକେଟରେ ଅଧିକ ପ୍ରଭାବଶାଳୀ କରିବ।’
ଏସିଆ କପରେ ଶକ୍ତି ଦେଖାଇବାକୁ ପଡିବ: ବର୍ତ୍ତମାନ ଅର୍ଶଦୀପ ସିଂହଙ୍କୁ ଏସିଆ କପରେ ନିଜର ଶକ୍ତି ପ୍ରଦର୍ଶନ କରିବାକୁ ପଡିବ। ଏହି ବାମହାତୀ ଦ୍ରୁତ ବୋଲର ଟି-୨୦ ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ କରି ନିଜର ଏକ ଛାପ ସୃଷ୍ଟି କରିଥିଲେ।
ଯେଉଁଥିରେ ସେ ସର୍ବାଧିକ ୧୭ ୱିକେଟ୍ ନେଇଥିଲେ। ଅର୍ଶଦୀପ ଟି-୨୦ ଅନ୍ତର୍ଜାତୀୟରେ ୬୩ ମ୍ୟାଚ୍ ରେ ୯୯ ୱିକେଟ୍ ନେଇଛନ୍ତି। ଅଭିଜ୍ଞତା ସହିତ ତାଙ୍କ ପାଖରେ ଦକ୍ଷତା ମଧ୍ୟ ଅଛି। ଏବେ ତାଙ୍କୁ ଏହି କ୍ଷମତା ବ୍ୟବହାର କରି ଟିମ୍ ଇଣ୍ଡିଆକୁ ଏସୀୟ ଚାମ୍ପିଅନ୍ କରିବାକୁ ପଡିବ।