ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର: ସମୁଦ୍ରରୁ ମାଡ଼ି ଆସିଲା ବଡ଼ ଜୁଆର, ଗାଁରେ ପଶିଲା ପାଣି, ଭୟଭୀତ ଗ୍ରାମବାସୀ
ଶିଆଳି ନିକଟରେ ପୁଣି କୂଳ ଲଙ୍ଘିଲା ସମୁଦ୍ର । 500 ମିଟର ପର୍ଯ୍ୟନ୍ତ ଜନବସତି ଆଡ଼କୁ ମାଡ଼ି ଆସିଲା ଲୁଣି ପାଣି ।
ଜଗତସିଂହପୁର: ଶିଆଳି ନିକଟରେ ପୁଣି କୂଳ ଲଙ୍ଘିଲା ସମୁଦ୍ର । 500 ମିଟର ପର୍ଯ୍ୟନ୍ତ ଜନବସତି ଆଡ଼କୁ ମାଡ଼ି ଆସିଲା ଲୁଣି ପାଣି । ବେଳାଭୂମି ନିକଟରେ ଥିବା ଦୋକାନଗୁଡ଼ିକରେ ପଶିଲା ସମୁଦ୍ର ପାଣି । ହଠାତ୍ ସମୁଦ୍ରର ଏଭଳି ଉଗ୍ରରୂପ ଦେଖି ଆତଙ୍କିତ ସମୁଦ୍ରକୂଳିଆ ଗାଁ ଲୋକେ । ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା କାରଣରୁ ସମୁଦ୍ର ଅଶାନ୍ତ ଥିବା ଆଶଙ୍କା କରାଯାଉଛି ।
ଜଳବାୟୁ ପରିବର୍ତ୍ତନ ଯୋଗୁଁ ଦିନକୁ ଦିନ ସମୁଦ୍ର କୂଳ ଲଙ୍ଘିବାରେ ଲାଗିଛି । ଦୈନିକ ଜଳପତନ ବୃଦ୍ଧି ହେବା ସହ ସମୁଦ୍ରର ଉଚ୍ଚ ଜୁଆର ସ୍ଥଳଭାଗକୁ ମାଡିଆସୁଥିବାରୁ ଜଗତସିଂହପୁର ଜିଲ୍ଲାର ଅନେକ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ସମୁଦ୍ର ପାଣି ପଶିଯିବା ଫଳରେ ସମୁଦ୍ରକୂଳିଆ ପରିବାର ଭୟଭୀତ ହୋଇପଡିବା ସହ ନାନା ଆଶଙ୍କାରେ ରହିଛନ୍ତି । ଜଗତଲିଂହପୁର ଶିଆଳି ନିକଟବର୍ତ୍ତୀ ଗ୍ରାମରେ ସମୁଦ୍ର ଧୀରେ ଧୀରେ ସ୍ଥଳଭାଗ ଆଡ଼କୁ ମାଡ଼ିଆସୁଥିବା ଲକ୍ଷ୍ୟ କରାଯାଉଛି ।
ହଠାତ ସମୁଦ୍ର ମାଡ଼ି ଆସିବା ଯୋଗୁ ବେଳା ଭୂମିରେ ଥିବା ପର୍ଯ୍ୟଟକ ଓ ସ୍ଥାନୀୟ ବାସିନ୍ଦା ଭୟଭୀତ ହୋଇ ପଡ଼ିଥିଲେ । ଶିଆଳି ନିକଟରେ ଦୀର୍ଘ ବର୍ଷ ହେଲା ସମୂଦ୍ର କୂଳ ଲଙ୍ଘି ଚାଲିଥିବା ଯୋଗୁ ଏଠାରେ ଥିବା ଭିୟୁ ଟାୱାର ସମୁଦ୍ର ଗର୍ଭରେ ବର୍ଷେ ତଳେ ଲୀନ ହୋଇସାରିଛି । ଏହାସହ ବ୍ୟାପକ ଝାଉଁ ଜଙ୍ଗଲ ମଧ୍ୟ କ୍ଷତିଗସ୍ତ ହେବାରେ ଲାଗିଛି ।