ନୂଆଦିଲ୍ଳୀ: ନେଲ ପଲିଶ ଏମିତି ଏକ ପ୍ରସାଧନ ସାମଗ୍ରୀ ଯାହା ସମସ୍ତ ମହିଳାଙ୍କ ଏକ ଶୃଙ୍ଗାର ସାମଗ୍ରୀ । ମହିଳା ମାନେ ନିଜକୁ ସଜାଇବା ପାଇଁ ନେଲ ପଲିଶର ବ୍ୟବହାର କରୁଥିବା ବେଳେ ଏହାର ଏକାଧିକ ପାଶ୍ୱର୍ ପ୍ରତିକ୍ରିୟା ରହିଛି । ଏହାର ମାତ୍ରାଧିକ ବ୍ୟବହାର କ୍ଷତିକାରକ ସାବ୍ୟସ୍ତ ହୋଇପାରେ । ନେଲପେଣ୍ଟର ଔଜ୍ଜଲ୍ୟ ଧୀରେ ଧୀରେ ହ୍ରାସ ପାଉଥିବା ବେଳେ ଆସନ୍ତୁ ଜାଣି ନେବା ଏହା ଶରୀରକୁ କିଭଳି କ୍ଷତି ପହଞ୍ଚାଇଥାଏ ।
ନେଲ ପଲିଶରେ ଟ୍ରାଇଫନେଲ ଫସଫେଟ ନାମକ ଏକ ବିଷାକ୍ତ ରାସାୟନିକ ପଦାର୍ଥ ରହିଥାଏ । ନେଲ ପଲିଶରେ ଟୋଲ୍ୟୁନ ନାମକ ଅନ୍ୟ ଏକ ରାସାୟନିକ ପଦାର୍ଥ ମଧ୍ୟ ରହିଥାଏ । ଏହି ଦୁଇଟି ପଦାର୍ଥ ଦ୍ୱାରା ନଖର ସେଲ ଗୁଡିକ ଦୁର୍ବଳ ହୋଇ ଯାଇଥାନ୍ତି । ଏହା ସହିତ ଶରୀରର ଅନ୍ୟ ସମସ୍ତ କୋଷିକା ମଧ୍ୟ ପ୍ରଭାବିତ ହେବା ସହିତ ଏହା ଆମର ନର୍ଭସ ସିଷ୍ଟମକୁ ପ୍ରଭାବିତ କରିଥାଏ ।
ନେଲ ପେଣ୍ଟ ପ୍ରସ୍ତୁତିରେ ସ୍ପିରିଟ ବ୍ୟବହାର କରାଯାଇଥାଏ । ଏହା ଆମର ଫୁସଫୁସକୁ ଗଭୀର ଭାବରେ ପ୍ରଭାବିତ କରିଥାଏ ।
ଏହା ବ୍ୟତିତ ନେଲ ପେଣ୍ଟରେ ଫର୍ମାଲ ଡିହାଇଡ ରହିଥାଏ । ଏହାକୁ ଶବ ଓ ମାଛକୁ ସଂରକ୍ଷିତ ରଖିବା ପାଇଁ ବ୍ୟବହାର କରାଯାଏ । ଚର୍ମ ସଂସ୍ପର୍ଶରେ ଆସିବା ଦ୍ୱାରା ଚର୍ମ କୁଣ୍ଡେଇ ହେବା ସହିତ ଚିହ୍ନ ମଧ୍ୟ ସୃଷ୍ଟି ହୋଇଥାଏ । ତେଣୁ ନେଲ ପଲିଶର ମାତ୍ରାଧିକ ବ୍ୟବହାର ପୂର୍ବରୁ ସତର୍କ ରୁହନ୍ତୁ ।