fbpx

ଆମ ପିଲାମାନଙ୍କୁ ଦୟାକରି ଫେରାଇ ଆଣନ୍ତୁ: ୟୁକ୍ରେନରେ ଫସିଛନ୍ତି ୧୬୦୦ରୁ ଅଧିକ ଓଡ଼ିଆ ଛାତ୍ରଛାତ୍ରୀ, ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ ଜଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରୁଷ୍-ୟୁକ୍ରେନ ଯୁଦ୍ଧ ପାଇଁ ଭାରତ ଆଜି ଭୟଙ୍କର ସମସ୍ୟା ଦେଇ ଗତି କରୁଛି । ୟୁକ୍ରେନ ରାଜଧାନୀ କିଭ୍ ଏୟାରପୋର୍ଟ ବନ୍ଦ ହୋଇଯିବା ଯୋଗୁଁ ଦେଶର ବିଭିନ୍ନ ପ୍ରାନ୍ତରୁ ୨୦ ହଜାର ନାଗରିକ ସେଠାରେ ଫସି ରହିଛନ୍ତି । ସେମାନଙ୍କୁ ଉଦ୍ଧାର କରିବାକୁ ଏହାର ଇଣ୍ଡିଆର ବିମାନ ଦିଲ୍ଲୀରୁ ୟୁକ୍ରେନକୁ ଯାତ୍ରା କରିଥିଲା । ମାତ୍ର ହଠାତ୍ ରୁଷର ମିସାଇଲ ଆକ୍ରମଣ ଯୋଗୁଁ ବିମାନ ଫେରି ଆସିଥିଲା । ଏହାପୂର୍ବରୁ ଦୁଇଟି ବିମାନରେ ଦେଶକୁ ୪୨୪ ଜଣ ଛାତ୍ରଛାତ୍ରୀ ଫେରିଥିଲେ ।

ତେବେ ଜଣାପଡ଼ିଛି ଯେ, ଓଡ଼ିଶାର ୧୬୦୦ରୁ ଅଧିକ ଛାତ୍ରଛାତ୍ରୀ ୟୁକ୍ରେନରେ ସଙ୍କଟ ମଧ୍ୟରେ ଫସି ରହିଛନ୍ତି । ଯୁଦ୍ଧର ବିଭୀଷିକ ବଢ଼ୁଥିବା ବେଳେ ଏଭଳି ସ୍ଥଳେ ପିଲାମାନଙ୍କର ପିତାମାତା ଧୈର୍ଯ୍ୟହରା ହୋଇପଡ଼ିଛନ୍ତି । ରାଜ୍ୟର ବିଭିନ୍ନ ଜିଲ୍ଲାର ଶହ ଶହ ଛାତ୍ରଛାତ୍ରୀଙ୍କ ଜୀବନ ଏବେ ଅନିଶ୍ଚିତତା ଭିତରେ ରହିଛି । ଜଣାପଡ଼ିଛି ଯେ, ଏକ ଏଜେନ୍ସି ଜରିଆରେ ରାଜ୍ୟର ୧୩୦୦ ଛାତ୍ରଛାତ୍ରୀ ଏମବିବିଏସରେ ନାମ ଲେଖାଇଥିଲେ । ସେମାନଙ୍କର ମଧ୍ୟରେ ଝାରସୁଗୁଡ଼ାର ୨୧ ଜଣ, ରାଉରକେଲାର ୧୫ ଜଣ, ଭୁବନେଶ୍ୱରର ୧୮୦ ଜଣ, ବ୍ରହ୍ମପୁରର ୧୦ ଜଣ, ଢେଙ୍କାନାଳର ୧୫ ଜଣ, ସମ୍ବଲପୁରର ୫ ଜଣ, କଟକର ୩ ଜଣ, ମୟୁରଭଞ୍ଜ, ଅନୁଗୁଳ ଓ ଟିଟିଲାଗଡ଼ର ୨ ଜଣ ଲେଖାଏଁ, କେନ୍ଦ୍ରାପଡ଼ା, ଡେରାବିଶ, କୋରେଇ, ଗୁଣୁପୁର, ତେନ୍ତୁଳିଖୁଣ୍ଟି, ବଲାଙ୍ଗିର, ସୋରର ଜଣେ ଲେଖାଏଁ ରହିଥିବା ଜଣାପଡ଼ିଛି ।

ଅନେକ ଛାତ୍ରଛାତ୍ରୀଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରୁନଥିବା ବେଳେ ଆଉ କିଛି ବଙ୍କରରେ ଆଶ୍ରୟ ନେଇଥିବା ଜଣାପଡ଼ିଛି । କିଛି ଛାତ୍ରଛାତ୍ରୀ ସୋସିଆଲ୍ ମିଡ଼ିଆରେ ସେମାନଙ୍କର ପରିବାର ସହ ଯୋଗାଯୋଗ ରକ୍ଷା କରି ସେମାନଙ୍କର ପରିସ୍ଥିତି ସମ୍ପର୍କରେ ସୂଚନା ଦେଉଛନ୍ତି । କିଏ ଏଟିଏମରୁ ପଇସା ଉଠାଇ ପାରୁନାହିଁ ତ ଆଉ କାହା ପାଖାରେ ପିଇବାକୁ ନାହିଁ ପାଣି, ଖାଇବାକୁ ନାହିଁ ଖାଦ୍ୟ । ତେବେ ଏଭଳି ସ୍ଥିତିରେ ପିଲାମାନଙ୍କୁ ଫେରାଇ ଆଣିବା ପାଇଁ ସେମାନଙ୍କର ଅଭିଭାବକମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୋହଭରା କଣ୍ଠରେ ଆକୁଳ ନିବେଦନ କରିଛନ୍ତି ।

Get real time updates directly on you device, subscribe now.