fbpx

୫୦ ଟଙ୍କା ବଢିଲା LPG : ପୁରୁଣା ଟ୍ୱିଟକୁ ନେଇ ସୋସିଆଲ ମିଡିଆରେ ଟ୍ରୋଲ ହେଲେ ସ୍ମୃତି ଇରାନୀ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର କ୍ୟାବିନେଟ ମନ୍ତ୍ରୀ ରହିଥିବା ସ୍ମୃତି ଇରାନୀ ପୁଣି ଥରେ ଟ୍ରୋଲ ହୋଇଛନ୍ତି । ୧୦ ବର୍ଷ ପୂର୍ବରୁ କରିଥିବା ଏକ ଟ୍ୱିଟ ପାଇଁ ତାଙ୍କୁ ଟ୍ରୋଲ୍ କରାଯାଇଛି । ଶନିବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ରନ୍ଧନ ଗ୍ୟାସ୍ ମୂଲ୍ୟ ୫୦ ଟଙ୍କା ବଢାଇ ଦିଆଯାଇଥିଲା । ମହଙ୍ଗା ମାଡରେ ହନ୍ତସନ୍ତ ସାଧାରଣ ଜନତାଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଉ ଏକ ଝଟକା ମିଳିଥିଲା । ଏହି ଦରବୃଦ୍ଧି ପରେ ବର୍ତ୍ତମାନ ରନ୍ଧନ ଗ୍ୟାସର ମୂଲ୍ୟ ୯୯୯.୫୦ ଟଙ୍କାରେ ପହଞ୍ଚିଛି ।

ଏହି ମୂଲ୍ୟବୃଦ୍ଧି ପରେ ମହିଳା ଓ ଶିଶୁ ବିକାଶ ବିଭାଗର କ୍ୟାବିନେଟ ମନ୍ତ୍ରୀ ଟ୍ରୋଲ ହୋଇଛନ୍ତି । ୨୦୧୧ ମସିହାରେ କଂଗ୍ରେସ ସରକାର ସମୟରେ ଗ୍ୟାସ ମୂଲ୍ୟବୃଦ୍ଧିକୁ ନେଇ ସ୍ମୃତି ଇରାନୀ କଂଗ୍ରେସକୁ ସମାଲୋଚନା କରିଥିଲେ । ୨୪ ଜୁନ୍ ୨୦୧୧ରେ ଏହି ଟ୍ୱିଟ କରାଯାଇଥିଲା । ନିଜକୁ ସାଧାରଣ ଲୋକଙ୍କ ସରକାର କହୁଛ ଅଥଚ ଥରକରେ ୫୦ ଟଙ୍କା ଏଲପିଜି ଦର ବୃଦ୍ଧି କରୁଛ ଏହାଠାରୁ ବଳି ଲଜ୍ଜାକର କଥା କଣ ହୋଇପାରେ ବୋଲି ସ୍ମୃତି ଟ୍ୱିଟ୍ କରିଥିଲେ ।

ଶନିବାରର ମୂଲ୍ୟ ବୃଦ୍ଧି ପରେ ବିଭିନ୍ନ ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ସ୍ମୃତିଙ୍କୁ ଟ୍ରୋଲ କରିଛନ୍ତି । ବର୍ତ୍ତମାନର ଦର ବୃଦ୍ଧି କଣ ତୁମକୁ ଦେଖାଯାଉନି ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି ବ୍ୟବହାରକାରୀ । ପେଟ୍ରୋଲ ଦର ୬୦ ଟଙ୍କା ଥିବା ବେଳେ ରାସ୍ତାକୁ ଓହ୍ଲାଇଥିବା ସ୍ମୃତି ୧୨୦ ଟଙ୍କା ପେଟ୍ରୋଲ ଦର ବେଳେ କାହିଁକି ନୀରବ ଅଛନ୍ତି ବୋଲି ମଧ୍ୟ କିଛି ଲୋକ କହିଥିଲେ ।

Get real time updates directly on you device, subscribe now.