(Video) ମଣିଷକୁ ସାପ କାମୁଡ଼ି ନିଜେ ମରିଗଲା ସାପ, ଡାକ୍ତର ଦେଖି ଆଶ୍ଚର୍ଯ୍ୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ବର୍ଷା ସିଜିନ୍ ଚାଲିଥିବା ବେଳେ ଏବେ ଚାରିଆଡ଼େ ସାପଙ୍କର ପ୍ରାଦୁର୍ଭାବ ଦେଖିବାକୁ ମିଳୁଛି । ସାପ କାମୁଡ଼ାରେ ଅନେକ ଲୋକ ମୃତ୍ୟୁବରଣ କରୁଥିବା ଦେଖାଯାଉଛି । ତେବେ ସାପ କାମୁଡ଼ାରେ ମଣିଷ ମରୁଥିବା ବେଳେ ନିକଟରେ ଦେଖିବାକୁ ମିଳିଛି ଏହାର ବ୍ୟତିକ୍ରମ । ଜଣେ ବ୍ୟକ୍ତିଙ୍କୁ ସାପ କାମୁଡ଼ିବା ଫଳରେ ଉକ୍ତ ବ୍ୟକ୍ତିଙ୍କର କିଛି ହୋଇନଥିବା ବେଳେ ସାପଟିର ମୃତ୍ୟୁ ଘଟିଥିଲା ।

ସୂଚନା ମୁତାବକ, କଟକ ଜିଲ୍ଲା ଆଠଗଡ଼ରୁ ଆସିଛି ଏଭଳି ଏକ ଆଶ୍ଚର୍ଯ୍ୟଜନକ ଖବର । ରିକ୍ସା ଟାଣି ନିଜର ଗୁଜୁରାଣ ମେଣ୍ଟାଉଥିବା ଦୁର୍ଯ୍ୟୋଧନ ମହାନ୍ତିଙ୍କୁ କାମୁଡ଼ିବାରେ ପରେ ଗୋଟିଏ ସାପର ମୃତ୍ୟୁ ଘଟିଛି । ଆଠଗଡ଼ ମୁଖ୍ୟ ଡାକଘର ନିକଟରେ ଏକ ଅବ୍ୟବହୃତ ଭଙ୍ଗା ଘରେ ଦୁର୍ଯ୍ୟୋଧନ ନିଜ ପରିବାର ସହିତ ରୁହନ୍ତି । ଗତ ୮ ତାରିଖ ସକାଳେ ଦୁର୍ଯ୍ୟୋଧନଙ୍କୁ ଗୋଟିଏ କଉଡ଼ିଆ ଚିତି ସାପ କାମୁଡ଼ି ଦେଇଥିଲା ।

ସାଧାରଣ ଭାବେ ଚିତି କାମୁଡ଼ିବା ପରେ ଲୋକଙ୍କ ମନରେ ଛନକା ପଶିଯାଇଥାଏ । ମାତ୍ର ଦୁର୍ଯ୍ୟୋଧନଙ୍କର କିଛି ହୋଇନଥିଲା । କାମୁଡ଼ିବା ପରେ ସାପଟି ସଙ୍ଗେସଙ୍ଗେ ମୃତ୍ୟୁବରଣ କରିଥିବା ବେଳେ ଦୁର୍ଯ୍ୟୋଧନ ମଲା ସାପକୁ ଧରି ଆଠଗଡ଼ ଡାକ୍ତରଖାନାରେ ପହଞ୍ଚିଥିଲେ । ସେଠାରେ ଡାକ୍ତର ଦୁର୍ଯ୍ୟୋଧନଙ୍କର ରକ୍ତ ନମୂନା ସଂଗ୍ରହ କରି ପରୀକ୍ଷା କରିବା ପରେ ତାଙ୍କ ଦେହରେ କୌଣସି ବିଷ ନଥିବା ଜଣପଡ଼ିଥିଲା । ତେବେ ଦୁର୍ଯ୍ୟୋଧନ ଅଧିକାଂଶ ସମୟରେ ନିଶାସକ୍ତ ଅବସ୍ଥାରେ ରହୁଥିବାରୁ ତା’ର ପ୍ରଭାବରେ ସାପଟିର ମୃତ୍ୟୁ ଘଟିଥିବା ସାଧାରଣରେ ଆଲୋଚନା ହେଉଛି ।