ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କ ଉପରେ ଆକ୍ରମଣ: ବବି ଦାସଙ୍କ ସମର୍ଥକ ଆକ୍ରମଣ କରିଥିବା ନେଇ ଆସିଲା ଅଭିଯୋଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସିଛି ଏକ ବଡ଼ ଖବର । ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କ ଉପରେ ଆକ୍ରମଣ ହୋଇଛି । ଯାଜପୁର ଠାରେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସମର୍ଥକମାନେ ତାଙ୍କ ଉପରେ ଆକ୍ରମଣ କରିଥିବା ନେଇ ହିମାଂଶୁ ଅଭିଯୋଗ କରିଛନ୍ତି । ଯାଜପୁର ଟାଉନ ଥାନା ବୁଢ଼ାଘାଟରେ ଆକ୍ରମଣ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ୧୫ରୁ ୨୦ ଜଣ ଯୁବକ ମାରଣାସ୍ତ୍ର ଧରି ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି । ଏହି ଆକ୍ରମଣ ସମୟରେ ଆକ୍ରମଣକାରୀମାନେ ସୁନାଚେନ ଲୁଟି ନେଇଥିବା ବିଧାୟକ ହିମାଂଶୁ ଅଭିଯୋଗ କରିଛନ୍ତି । ତେବେ ଏହି ଘଟଣାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି ।

ବିଧାୟକ ଅଭିଯୋଗ କରିଛନ୍ତି ଯେ, ଆକ୍ରମଣକାରୀମାନେ ତାଙ୍କ ଗାଡ଼ିକୁ ରଡ, ଠେଙ୍ଗାରେ ପିଟିଥିଲେ । ଯାଜପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ବୁଢ଼ା ବ୍ରିଜ ନିକଟରେ ବିରଜା ହାଟ ଘଟଣାରେ ଶତାଧିକ ସମର୍ଥନକାରୀ ରାସ୍ତା ଅବରୋଧ କରିଥିଲେ । ସେହି ସମୟରେ ବିଧାୟକ କୌଣସି କାର୍ଯ୍ୟରେ ଯାଜପୁର ଟାଉନ ଯିବା ସମୟରେ ତାଙ୍କ ଗାଡ଼ିକୁ ଅଟକାଇ ଆକ୍ରମଣ କରାଯାଇଥିଲା । ବିଧାୟକଙ୍କୁ ପିଟିବା ସହ ତାଙ୍କର ଚେନ୍ ଛିଡ଼ାଇ ନେଇଥିଲେ । ବିଧାୟକଙ୍କୁ ଗାଡ଼ିରେ ଦେଖି ଆକ୍ରମଣକାରୀମାନେ ତାଙ୍କ ଆଡ଼କୁ ମାଡ଼ି ଯାଇଥିଲେ ବୋଲି ହିମାଂଶୁ ଅଭିଯୋଗ କରିଛନ୍ତି ।