fbpx
BSKY
BJD MC SKY
BJD YOUTH SKY

ଧର୍ମନାମରେ କିଛି ଲୋକ ଦେଶରେ ଅଶାନ୍ତି ଓ ଅରାଜକତା ସୃଷ୍ଟି କରୁଛନ୍ତି, NSA ଡୋଭାଲଙ୍କ ବଡ଼ ବୟାନ

ନୂଆଦିଲ୍ଲୀ: କିଛି ଲୋକ ଧର୍ମ, ବିଚାରଧାରା ନାମରେ ଦେଶର ଆଭ୍ୟନ୍ତରୀଣ ପରିସ୍ଥିତିକୁ ବିଗାଡ଼ୁଛନ୍ତି । ତେଣୁ ଜନସାଧାରଣଙ୍କୁ ଏଭଳି ଅଶାନ୍ତି ସୃଷ୍ଟି କରୁଥିବା ଦୁଷ୍ଟ ଶକ୍ତିଙ୍କ ପ୍ରତି ସତର୍କ ରହିବା ଜରୁରୀ । ଦିଲ୍ଲୀରେ ଅଖିଳ ଭାରତୀୟ ସୂଫୀ ସଜ୍ଜାଦନାଶିନ ପରିଷଦ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭାଗ ନେଇ ରାଷ୍ଟ୍ରୀୟ ପରାମର୍ଶଦାତା ଅଜିତ ଡୋଭାଲ ଏପରି ବୟାନ ଦେଇଛନ୍ତି । ଏଥିସହିତ ବିଭିନ୍ନ ଧାର୍ମିକ ଅନୁଷ୍ଠାନର ମୁଖ୍ୟମାନେ ଶାନ୍ତି ଓ ଏକତା ପାଇଁ ଆଗେଇ ଆସିବାକୁ ସେ ପ୍ରସ୍ତାବ ଦେଇଛନ୍ତି ।

ଡୋଭାଲ କହିଛନ୍ତି, ଦେଶରେ କିଛି ଶକ୍ତି ଏଭଳି ଖରାପ ପରିସ୍ଥିତି ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି । ଭାରତର ପ୍ରଗତିକୁ ବାଧା ଦେବା ସହ ବିଚାରଧାରା ନାମରେ ଲୋକଙ୍କ ମଧ୍ୟରେ କ୍ରୁରତା ସୃଷ୍ଟି କରୁଛନ୍ତି । ଏହି ଚିନ୍ତାଧାରା ସମଗ୍ର ଦେଶକୁ ପ୍ରଭାବିତ କରିବା ସହ ଦେଶ ବାହାରେ ମଧ୍ୟ ଏହା ବ୍ୟାପୁଥିବା ଦେଖିବାକୁ ମିଳୁଛି ।

ବିଜେପିରୁ ନିଲମ୍ବିତ ହୋଇଥିବା ପୂର୍ବତନ ରାଷ୍ଟ୍ରୀୟ ମୁଖପାତ୍ର ନୁପୂର ଶର୍ମାଙ୍କ ଦ୍ୱାରା ଟିଭି ଶୋ’ରେ ପୈଗମ୍ବର ମହମ୍ମଦଙ୍କ ଉପରେ ଦିଆଯାଇଥିବା ମନ୍ତବ୍ୟ ପରେ ଏଭଳି ସ୍ଥିତି ଦେଖିବାକୁ ପଡ଼ିଥିଲା । ନୁପୂରଙ୍କ ବୟାନକୁ ଗଲ୍ଫ ଦେଶଗୁଡ଼ିକ ନିନ୍ଦା କରିଥିଲେ । ଏଭଳି ଟିପ୍ପଣୀକୁ ବରଦାସ୍ତ କରାଯିବ ନାହିଁ ବୋଲି ଭାରତ ପକ୍ଷରୁ ଆଶ୍ୱାସନା ଦିଆଯାଇଥିଲା ।

ନୁପୂରଙ୍କ ସମର୍ଥନରେ ସୋସିଆଲ ମିଡ଼ିଆରେ ପୋଷ୍ଟ କରିବାରୁ ରାଜସ୍ଥାନର ଉଦୟପୁରରେ ଜଣେ ହିନ୍ଦୁ ଯୁବକଙ୍କୁ ଦୁଇଜଣ ମୁସଲମାନ ଯୁବକ କ୍ୟାମେରା ସାମ୍ନାରେ ହତ୍ୟା କରିଥିଲେ । ଏପରି ଘଟଣା ମହାରାଷ୍ଟ୍ରର ଅମରାବଦୀ ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଥିଲା ।

Get real time updates directly on you device, subscribe now.