fbpx

ସୁକତେଲ ପ୍ରକଳ୍ପ ବିସ୍ଥାପିତଙ୍କ ଦୁଃଖ: ପ୍ରଭୁ ଜଗନ୍ନାଥଙ୍କୁ ସାଙ୍ଗରେ ନେଇ ଲୋକେ ଛାଡ଼ିଲେ ନିଜ ଭିଟାମାଟି, ଅସ୍ଥାୟୀ ଶିବିର ମଣ୍ଡପରେ ମହାପ୍ରଭୁ

ବଲାଙ୍ଗିର: ଜିଲ୍ଲାର ଜୀବନ ରେଖା କୁହାଯାଉଥିବା ସୁକତେଲ ପ୍ରକଳ୍ପ ବିସ୍ଥାପିତଙ୍କ ଦୁଃଖ ମଧ୍ୟ କହିଲେ ନସରେ । ଗଡଶଙ୍କର ଡୁଙ୍ଗୁରିପାଲି ଗ୍ରାମରୁ ବିସ୍ଥାପିତ ହେଲେ ମହାବାହୁ ଜଗନ୍ନାଥ । ପ୍ରଭୁ ଜଗନ୍ନାଥଙ୍କୁ ସାଙ୍ଗରେ
ନେଇ ସ୍ଥାନୀୟ ଲୋକେ ଛାଡ଼ିଲେ ନିଜ ଭିଟାମାଟି । ଅସ୍ଥାୟୀ ଶିବିର ମଣ୍ଡପ ଝାଙ୍କର ପାଲିକୁ ପ୍ରଭୁ ଜଗନ୍ନାଥ ଆସିଲେ । ରଥଯାତ୍ରା କି ବାହୁଡ଼ାର ଯାତ୍ରା ଦେଖିବା ଭଳିଆ ଦୃଶ୍ୟ ଦେଖିବାକୁ ମିଳିଥିଲା ହେଲେ ଆଖିରେ ଆଖିଏ ଲୁହ, ତଥାପି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ କରାଯାଇଛି ସ୍ଥାନାନ୍ତର । ଆଉ ସମସ୍ତଙ୍କ ଆଖିରୁ ବହି ଯାଉଛି ଲୁହର ଧାର । ଠାକୁରଙ୍କୁ ନେଇ ଯାଉଥିବାରୁ କାନ୍ଦୁଛନ୍ତି ଗ୍ରାମବାସୀ । ଘଣ୍ଟ ଘଣ୍ଟା ନାଦରେ କମ୍ପି ଉଠିଛି ପରିବେଶ । କୀର୍ତ୍ତନ ବି କରାଯାଉଛି । ଆଉ ଭକ୍ତିମୟ ପରିବେଶରେ ପ୍ରଭୁ ଜଗନ୍ନାଥଙ୍କୁ କରାଯାଉଛି ସ୍ଥାନାନ୍ତର ।

ପ୍ରକୃତରେ ଏହା ହେଉଛି ବଲାଙ୍ଗିର ଜିଲ୍ଲା ଲୋୟର ସୁକତେଲ ପ୍ରକଳ୍ପର ବୁଡ଼ି ଅଞ୍ଚଳ ଗଡ଼ଶଙ୍କର ଡୁଙ୍ଗୁରିପାଲି ଗ୍ରମାର ଚିତ୍ର । ସୁକତେଲ ନଦୀ ପାଣିରେ ଗାଁ ବୁଡ଼ିବ, ଗାଁକୁ ଡ୍ୟାମ୍ ପାଣି ଛୁଇଁ ସାରିଲାଣି । ସୁକତେଲ ପ୍ରକଳ୍ପ ପାଇଁ ଗାଁ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଛି । ଲୋକମାନେ ଗାଁ ଛାଡ଼ିବା ପୂର୍ବରୁ ପ୍ରଥମେ ଗାଁର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅନ୍ୟତ୍ର ନିଆଯାଉଛି । ଏମିତି ଦୁଃଖଦ ପରିସ୍ଥିତିରେ କିନ୍ତୁ ନିଜ ଭାବବେଗର ଠାକୁରଙ୍କୁ ବର୍ଷ ବର୍ଷ ଧରି ଇଷ୍ଟଦେବତା ଭାବେ ଗାଁରେ ପୂଜା ପାଉଥିବା କାଳିଆ ଠାକୁର ଗାଁ ଛାଡ଼ି ଚାଲି ଯାଉଥିବାରୁ କାନ୍ଦି କାନ୍ଦି ଲୋଟି ପଡୁଛନ୍ତି ଗାଁ ଲୋକେ ।

ଲୋକଙ୍କ ମନରେ କୋହ ରହିଥିଲା ସତ କିନ୍ତୁ ନିଜେ ବିସ୍ଥାପିତ ହେବେ ଏମିତିରେ ନିଜ ଠାକୁରଙ୍କୁ କେମିତି ଛାଡ଼ି ଚାଲିଯିବେ । ଲୋକଙ୍କ ମୁହଁରେ ଗୋଟିଏ କଥା । ଜଗନ୍ନାଥ ଗାଁର ମୁରବୀ । ମୁରବୀ ଚାଲିଯାଉଛନ୍ତି, ତାଙ୍କ ସୁଖଦୁଃଖ କିଏ ବୁଝିବେ । ସୁକତେଲ ପ୍ରକଳ୍ପ ପାଇଁ ବିସ୍ଥାପିତ ହେବାକୁ ଥିବା ଗଡ଼ଶଙ୍କର ଡୁଙ୍ଗୁରିପାଲୀ ଗାଁର ଲୋକମାନଙ୍କୁ ପ୍ରଶାସନ ପକ୍ଷରୁ ନିର୍ମାଣ କରାଯାଇଥିବା ଅସ୍ଥାୟୀ ଶିବିର ଝାଙ୍କରପାଲୀକୁ ନିଆଯାଉଛି । ତା ପୂର୍ବରୁ ଲୋକଙ୍କ ଭଳି ମନ୍ଦିରରେ ପୂଜା ପାଉଥିବା ଗାଁର ଠାକୁରଙ୍କୁ ମଧ୍‌ଯ ସେହି ଅସ୍ଥାୟୀ ଶିବିରକୁ ନିଆଯାଇଛି । ଲୋକଙ୍କ ପାଇଁ ଥିବା ଝାଙ୍କରପାଲି ଅସ୍ଥାୟୀ ଶିବିରରେ ମନ୍ଦିର ନିର୍ମାଣ କରି ଠାକୁରଙ୍କୁ ପ୍ରତିଷ୍ଠା କରଯାଇଛି ।

Get real time updates directly on you device, subscribe now.