ଦକ୍ଷିଣ କୋରିଆରେ ହଟିଲା ‘ଜରୁରୀକାଳୀନ ସାମରିକ ଆଇନ’: ବିଳମ୍ବିତ ରାତିରେ ରାଷ୍ଟ୍ରପତିଙ୍କ ଘୋଷଣା

ନୂଆଦିଲ୍ଲୀ: ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୂନ-ସୁକ-ୟୋଲ ମଙ୍ଗଳବାର ବିଳମ୍ବିତ ରାତିରେ ‘ଜରୁରୀକାଳୀନ ସାମରିକ ଆଇନ’ (ମାର୍ଶଲ ଲ’) ହଟାଇବାର ଘୋଷଣା କରିଛନ୍ତି । ରାଷ୍ଟ୍ରକୁ ସମ୍ବୋଧିତ କରି ରାଷ୍ଟ୍ରପତି ଏ ବାବଦରେ ସୂଚନା ଦେଇଛନ୍ତି । ତେବେ ସଂସଦରେ ପ୍ରବଳ ବିରୋଧ କରାଯିବା ପରେ ଏହାକୁ ଅମାନ୍ୟ ଘୋଷିତ କରାଯାଇଛି । ବିଳମ୍ବିତ ରାତିରେ କ୍ଷମତାସୀନ ଓ ବିରୋଧୀ ଦଳଙ୍କ ୩୦୦ ସାଂସଦଙ୍କ ମଧ୍ୟରୁ ୧୯୦ ଜଣ ମାର୍ଶଲ ଲ’କୁ ଅସ୍ୱୀକାର କରିବା ସପକ୍ଷରେ ମତଦାନ କରିଥିଲେ । ଫଳରେ ମାର୍ଶଲ ଲ’କୁ ହଟାଇବାକୁ ପଡ଼ିଥିଲା ।

୧୯୮୦ ମସିହାରେ ଛାତ୍ର ଓ ଶ୍ରମିକ ସଂଘର ନେତୃତ୍ୱରେ ଏକ ରାଷ୍ଟବ୍ୟାପୀ ବିଦ୍ରୋହ ପରେ ଶେଷ ଥର ପାଇଁ କୌଣସି ଦକ୍ଷିଣ କୋରିଆନ୍ ରାଷ୍ଟ୍ରପତି ମାର୍ଶଲ ଲ’ ଘୋଷଣା କରିଥିଲେ । ମାର୍ଶଲ ଲ’ ଲାଗୁ କରିବା ନେଇ ରାଷ୍ଟ୍ରପତିଙ୍କ ନିଷ୍ପତ୍ତିକୁ ବିରୋଧୀ ପାର୍ଟିଙ୍କ ସମେତ ଶାସକ ଦଳର ନେତାମାନେ ମଧ୍ୟ ବିରୋଧ କରୁଥିଲେ । ରାଷ୍ଟ୍ରପତି ୟୂନ-ସୁକ-ୟୋଲଙ୍କ ନିଷ୍ପତ୍ତି ପରେ ତାଙ୍କ ଦଳର ନେତା ହେନ ଡୋଙ୍ଗ-ହୁନ ମଧ୍ୟ କଡ଼ା ବିରୋଧ କରିଥିଲେ । ବିପକ୍ଷ ଦଳମାନେ ସରକାରକୁ ପଙ୍ଗୁ କରିବା, ଉତ୍ତର କୋରିଆ ପ୍ରତି ସହାନୁଭୂତି ରଖିବା ଓ ଦେଶର ସାମ୍ବିଧାନିକ ବ୍ୟବସ୍ଥାକୁ ଦୁର୍ବଳ କରିବାର ଅଭିଯୋଗ ଆଣି ରାଷ୍ଟ୍ରପତି ଦେଶରେ ‘ଏମର୍ଜେନ୍ସି ମାର୍ଶଲ ଲ’ର ଘୋଷଣା କରିଥିଲେ ।