fbpx
BJD
BJD SKY
BJD SKY

FIFA Women’s World Cup Final: ପ୍ରଥମ ଥର ପାଇଁ ସ୍ପେନ ଚାମ୍ପିୟନ, ଇଂଲଣ୍ଡକୁ ହରାଇ ରଚିଲା ଇତିହାସ

ନୂଆଦିଲ୍ଲୀ: ଇତିହାସ ରଚିଛି ସ୍ପେନ । ଫିଫା ମହିଳା ବିଶ୍ୱ କପ ୨୦୨୩ର ଚାମ୍ପିୟନ ହୋଇଛି ସ୍ପେନ । ସିଡନୀର ଅଲିମ୍ପିକ୍ସ ଗ୍ରାଉଣ୍ଡରେ ଆଜି ଖେଳାଯାଇଥିବା ଫାଇନାଲ ମ୍ୟାଚରେ ସ୍ପେନ ପ୍ରତିପକ୍ଷ ଇଂଲଣ୍ଡକୁ ୧-୦ ଗୋଲରେ ପରାସ୍ତ କରିଛି । ମ୍ୟାଚର ୨୯ତମ ମିନିଟରେ ସ୍ପେନ ପକ୍ଷରୁ ଅଧିନାୟିକା ଓଲଗା କାର୍ମୋନା ବିଜୟୀ ଗୋଲ ସ୍କୋର କରିଥିଲେ । ପ୍ରଥମ ଥର ପାଇଁ ସ୍ପେନ ଏହି ବିଶ୍ୱ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି ।

ଅନ୍ୟପକ୍ଷରେ ଇଂଲଣ୍ଡର ମଧ୍ୟ ପ୍ରଥମ ଥର ବିଶ୍ୱ ଚାମ୍ପିୟନ ହେବାର ସ୍ୱପ୍ନ ଧୂଳିସାତ ହୋଇଯାଇଛି । ଦୁଇ ଟିମ୍ ପ୍ରଥମ ଥର ପାଇଁ ଏହି ମେଗା ଇଭେଣ୍ଟର ଫାଇନାଲରେ ପହଞ୍ଚିଥିଲେ । ଫାଇନାଲ ମୁକାବିଲାରେ ସ୍ପେନ ମିଡଫିଲ୍ଡକୁ ଇଂଲଣ୍ଡ ତୁଳନାରେ ଅଧିକ ନିୟନ୍ତ୍ରଣରେ ରଖିଥିଲା । ଫଳରେ ଇଂଲଣ୍ଡର ଖେଳାଳିମାନେ କୌଣସି ଗୋଲ ସ୍କୋର କରିବାକୁ ସୁଯୋଗ ପାଇନଥିଲେ । ମ୍ୟାଚ ଅଧାରେ ସ୍ପେନ ଗୋଟିଏ ପେନାଲଟି ମିସ୍ କରିଥିଲା । ୬୯ତମ ମିନିଟରେ ଇଂଲଣ୍ଡର ଗୋଲ କିପର ମୌରୀ ଇୟରପ୍ସ ଏକ ଶାନଦାର ଗୋଲକୁ ରୋକିଦେଇଥିଲେ ।

ସରୀନା ବିଗମ୍ୟାନ ଦଳର କୋଚ ଦାୟିତ୍ୱ ନେବା ପରେ ଇଂଲଣ୍ଡ ପ୍ରଥମ ଥର ପାଇଁ ପରାଜୟ ବରଣ କରିଛି । ଏହି ଫାଇନାଲ ମୁକାବିଲା ପୂର୍ବରୁ ଇଂଲଣ୍ଡ ୨୫ଟି ମ୍ୟାଚରେ ବିଜୟୀ ହୋଇଥିବା ବେଳେ ୪ଟି ମ୍ୟାଚରେ ଡ୍ର ରଖିଥିଲା । ବିଶ୍ୱର ପଞ୍ଚମ ଦେଶ ଭାବେ ସ୍ପେନ ଫିଫା ମହିଳା ବିଶ୍ୱକପ ଜିତିବାକୁ ସକ୍ଷମ ହୋଇପାରିଛି । ଏହା ପୂର୍ବରୁ ଯୁକ୍ତରାଷ୍ଟ୍ର ଆମେରିକା, ନରୱେ, ଜାପାନ ଓ ଜର୍ମାନୀ ଟିମ୍ ବିଶ୍ୱ ଚାମ୍ପିୟନ ହୋଇଥିଲେ । ସ୍ପେନ ସ୍ୱିଡେନକୁ ଓ ଇଂଲଣ୍ଡ ଅଷ୍ଟ୍ରେଲିଆକୁ ହରାଇ ଚଳିତ ଇଭେଣ୍ଟରେ ଫାଇନାଲ ଟିକେଟ ହାସଲ କରିଥିଲେ ।

Get real time updates directly on you device, subscribe now.