fbpx

ଚିକିତ୍ସା କ୍ଷେତ୍ରରେ ଆଉ ପାଦେ ଆଗେଇଲା ସ୍ପର୍ଶ ହସ୍ପିଟାଲ: ବିରଳ ଅସ୍ତ୍ରୋପଚାରରେ ମିଳିଲା ବିରାଟ ସଫଳତା

ଭୁବନେଶ୍ୱର: ଓଡ଼ିଶାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା ସ୍ପର୍ଶ ହସ୍ପିଟାଲ୍ ପୂର୍ନବାର ଏକ ବିରଳ ମେରୁଦଣ୍ଡ ଅସ୍ତ୍ରୋପଚାର କରି ସଫଳତା ହାସଲ କରିଛି । ଏହି ବିରଳ ମେରୁଦଣ୍ଡ ଅସ୍ତ୍ରୋପଚାର ଦ୍ୱାରା ଜଣେ ୪୭ ବର୍ଷୀୟ ରୋଗୀଙ୍କ ଜୀବନ ରକ୍ଷା କରିବାରେ ସଫଳ ହୋଇଛି ସ୍ପର୍ଶ ହସ୍ପିଟାଲ । ପୂର୍ବରୁ ମେ ମାସ ୨୦୨୨ରେ ସ୍ପର୍ଶ ହସ୍ପିଟାଲ୍ ଏହିଭଳି ଏକ ଅଭିନବ ମେରୁଦଣ୍ଡ ସର୍ଜରୀ କରି ଓଡ଼ିଶା ତଥା ବାହାର ରାଜ୍ୟରେ ନିଜର ପରିଚୟ ସୃଷ୍ଟି କରିଥିଲା । ଏହାପରେ ଆଜିର ଏହି ଅପରେସନ୍ ହସ୍ପିଟାଲର ପ୍ରତିଷ୍ଠାକୁ ଆଉ ଏକ ନୂଆ ପରିଚୟ ପ୍ରଦାନ କରିଛି ।

ସୂଚନା ଅନୁସାରେ, ରୋଗୀ ଜଣକ ଏକ ଭାରୀ ପଦାର୍ଥ ଉଠାଇବା ସମୟରେ ଟ୍ରାକ୍ଟରରୁ ଖସିପଡିଥିଲେ । ଫଳରେ ତାଙ୍କର ଦୁଇ ହାତରେ ଦୁର୍ବଳତା ଓ ବେକରେ ପ୍ରବଳ ଯନ୍ତ୍ରଣା ଅନୁଭବ କରିଥିଲେ । ସ୍ପର୍ଶ ହସ୍ପିଟାଲ୍ ସ୍ୱାସ୍ଥ୍ୟସେବା ଗ୍ରୃପର ଡ଼ା. ସନାତନ ଶତପଥୀ, ବରିଷ୍ଠ ସ୍ନାୟୁବିକ ଅସ୍ତ୍ରଚିକିତ୍ସକଙ୍କୁ ଯୋଗାଯୋଗ କରିଥିଲେ । ତେବେ ତାଙ୍କ ମେରୁଦଣ୍ଡର ଉ୬ ଏବଂ ଉ୭ ରେ ହାଡ ଭାଙ୍ଗି ଗୁରୁତର ଭାବେ ବିସ୍ଥାପିତ ହୋଇ ମେରୁଦଣ୍ଡରେ ସମସ୍ୟା ଥିବା ଜଣାପଡ଼ିଥିଲା । ତେଣୁ ତାଙ୍କର ସରକ୍ମଫେରେନ୍ସିଆଲ୍ ଫ୍ୟୁଜନ ସର୍ଜରୀ କରାଯିବା ନେଇ ଡ଼ା. ସନାତନ ଶତପଥୀ ପରାମର୍ଶ ଦେଇଥିଲେ । ତେବେ ଡା. ଶତପଥୀଙ୍କ ନେତୃତ୍ୱରେ ଏକ ୧୨ଜଣିଆ ଟିମ ଦୀର୍ଘ ୭ଘଣ୍ଟା ଧରି ଏହି ସର୍ଜରୀ କରିବା ପରେ ଏଥିରେ ସଫଳତା ପାଇଛନ୍ତି । ପ୍ରଥମେ ବେକର ପଛପଟରୁ ଅସ୍ତ୍ରୋପଚାର ଏବଂ ତାପରେ ରୋଗରୀ ଆଗପାଶ୍ୱର୍ରୁ ସର୍ଜରୀ କରାଯାଇଥିବା ଜାଣିବାକୁ ମିଳିଛି ।

ଏହି ସର୍ଜରୀକୁ ସରକ୍ମଫେରେନ୍ସିଆଲ୍ ଫ୍ୟୁଜନ ସର୍ଜରୀ ବା ୩୬୦ଡ଼ିଗ୍ରୀ ଫ୍ୟୁଜନ ସର୍ଜରୀ ବୋଲି କୁହାଯାଏ । ଏହି ଅସ୍ତ୍ରୋପଚାର ୨-୩ଟି ପର୍ଯ୍ୟାୟରେ କରାଯାଇଥାଏ । ପ୍ରଥମ ଭାଗରେ ରୋଗୀଙ୍କ ବେକ ପଛରୁ ସର୍ଜରୀ କରାଯାଏ ଏବଂ ପରେ ଦ୍ୱିତୀୟ ପର୍ଯ୍ୟାୟରେ ରୋଗୀଙ୍କ ସମ୍ମୁଖ ପଟରୁ ବେକ, ଟ୍ରାକିୟା, ଏସୋଫାଗସ୍ ପରି ଶରୀରର ମୁଖ୍ୟ ଅଂଶ ମଧ୍ୟ ଦେଇ ଏହି ସର୍ଜରୀ କରାଯାଇଥାଏ । ଏହି ଅସ୍ତ୍ରୋପଚାରରେ ପ୍ରବଳ ରକ୍ତସ୍ରାବ ହେବାର ସମ୍ଭାବନା ଥାଏ, ବାରମ୍ବାର ବେକ ଏପଟ ସେପଟ ହେଲେ ମେରୁଦଣ୍ଡ, ଟ୍ରାକିୟା, ଏସୋଫାଗସ୍, କରୋଟିଡିସରେ ଆଘାତ ହେବାର ସମ୍ଭାବନା ହେତୁ ଏହା ଏକ ବିରଳ ଏବଂ ଗୁରୁତର ଅସ୍ତ୍ରୋପଚାର ବୋଲି ସୂଚନା ଦେଇଛନ୍ତି ଡା. ଶତପଥୀ ।

ସ୍ପର୍ଶ ହସ୍ପିଟାଲର ବରିଷ୍ଠ ଡା. ସନାତନ ଶତପଥୀ ପ୍ରାୟ ୨୦୦୦ରୁ ଅଧିକ ମସ୍ତିଷ୍କ ଏବଂ ମେରୁଦଣ୍ଡ ସର୍ଜରୀ କରସାରିଛନ୍ତି । ତେବେ ଏହି ଅପରେସନ୍ ପରେ ହସ୍ପିଟାଲର ଜେନେରାଲ ମ୍ୟାନେଜର-ଆଡମିନିଷ୍ଟ୍ରେସନ୍ ଆଣ୍ଡ ବିଜିନେସ୍ ଡେଭଲପମେଣ୍ଟ ସୋମେନ୍ଦ୍ର ନାରାୟଣ ମିଶ୍ର ଏହି ସଫଳତା ପାଇଁ ଡ଼ାକ୍ତର ଏବଂ ସହକର୍ମୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ସ୍ପର୍ଶ ସ୍ୱାସ୍ଥ୍ୟ ଚିକିତ୍ସା ଗ୍ରୃପର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡା ଅନୁଜ ତିୱାରୀ କହିଛନ୍ତି ଯେ, ଏହି ଅସ୍ତ୍ରୋପଚାର ସ୍ୱାସ୍ଥ୍ୟ ଚିକିତ୍ସା କ୍ଷେତ୍ରରେ ଏକ ଚ୍ୟାଲେଞ୍ଜ । ଏହି ଅସ୍ତ୍ରୋପଚାରରେ ରୋଗୀର ଜୀବନ ପ୍ରତି ଅଧିକ ବିପଦ ଥାଏ । କିନ୍ତୁ ଡା. ଶତପଥୀ ଏବଂ ଟିମର ସଫଳ ଚିକିତ୍ସା ପାଇଁ ରୋଗୀ ଏବେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି । ସ୍ପର୍ଶ ହସ୍ପିଟାଲ୍ ପକ୍ଷରୁ ସମସ୍ତଙ୍କୁ ସେମାନଙ୍କର ସମ୍ପୂର୍ଣ୍ଣ ଅବଦାନ ପାଇଁ କୃତଜ୍ଞତା ଜଣାଇଛନ୍ତି

Get real time updates directly on you device, subscribe now.