fbpx

ଦୀପାବଳିକୁ ନେଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ସ୍ୱତନ୍ତ୍ର ଗାଇଡ଼ ଲାଇନ; ଏହି ସମୟରେ ଫୁଟାଇ ପାରିବେନି ବାଣ

Advertisement

ଓଡିଶା ଭାସ୍କର; ଦେଶର ରାଜଧାନୀ ଦିଲ୍ଲୀର ବାୟୁ ପ୍ରଦୂଷଣ ଏବେ ସମସ୍ତଙ୍କ ଚିନ୍ତା ବଢ଼ାଇଛି । ସେହିପରି ଅନ୍ୟ ରାଜ୍ୟମାନଙ୍କର ବିଭିନ୍ନ ସହରରେ ମଧ୍ୟ ବାୟୁ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି। ଯେଉଁଥି ପାଇଁ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ବିଷାକ୍ତ ବାୟୁକୁ ଶ୍ୱାସକ୍ରିୟାରେ ଗ୍ରହଣ କରିବା ଫଳରେ ଲୋକମାନେ ଅନେକ ଭୟଙ୍କର ରୋଗର ଶିକାର ହେଉଛନ୍ତି ।

ତେବେ ଏହାରି ଭିତରେ ଓଡ଼ିଶାର ୭ଟି ସହର ପ୍ରଦୂଷଣ ବଳରେ ରହିଛି । ବାୟୁ ପ୍ରଦୂଷଣର ମାନକ ଭୁବନେଶ୍ୱରରେ ୯୧, ରାଉରକେଲାରେ ୮୧, କଟକରେ ୬୦, ନୟାଗଡ଼ରେ ୫୧ ରହିଛି । ଆଗକୁ ଶୀତ ଆସୁଥିବା ବେଳେ ଏବେ ଠାରୁ ସଚେତନ ନହେଲେ ପ୍ରଦୂଷଣ ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଅନ୍ୟପଟେ ଆସନ୍ତା ୧୨ ତାରିଖରେ ଆଲୋକର ପର୍ବ ଦୀପାବଳି ପାଳନ ହେବ। ଏହି ଅବସରରେ ଆତସବାଜିରେ ସାରା ରାଜ୍ୟ କମ୍ପିବ। ଗୋଟେ ପଟେ ପ୍ରଦୂଷଣ ବୃଦ୍ଧି ପାଉଥିବା ବେଳେ ଏବେ ଦୀପାବଳିରେ ଆହୁରି ପ୍ରଚୁର ପ୍ରଦୂଷଣ ସୃଷ୍ଟି ହେବାକୁ ଯାଉଛି । ତେବେ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଦୀପାବଳି ପାଇଁ ସୋମବାର ଏକ ସ୍ୱତନ୍ତ୍ର ଗାଇଡ୍‌ ଲାଇନ ଜାରି କରାଯାଇଛି।

ଏଥିରେ ୧୨୫ ଡେସିବଲରୁ ଊର୍ଦ୍ଧ୍ୱ ଶବ୍ଦ ସୃଷ୍ଟି କରୁଥିବା ବାଣ ବ୍ୟବହାର ଉପରେ କଟକଣା ଜାରି କରାଯାଇଛି। ସେହିପରି ନିର୍ଦ୍ଧାରିତ ରାତି ୧୦ଟାରୁ ସକାଳ ୬ଟା ଯାଏ ବାଣ ଫୁଟାଇବା ଉପରେ କଟକଣା ଜାରି କରାଯାଇଛି। ଅନ୍ୟପଟେ ଡାକ୍ତରଖାନା, ଶିକ୍ଷାନୁଷ୍ଠାନ, ନ୍ୟାୟାଳୟ, ଧାର୍ମିକ ସ୍ଥଳର ୧୦୦ ମିଟର ମଧ୍ୟରେ କୌଣସି ପ୍ରକାର ଶବ୍ଦକୁ ବାରଣ କରାଯାଇଛି। ୧୨୫ ଡେସିବଲରୁ ଊର୍ଦ୍ଧ୍ୱ ଶବ୍ଦ ସୃଷ୍ଟି କରୁଥିବା ବାଣ ପ୍ରସ୍ତୁତି, ବିକ୍ରି ଓ ବ୍ୟବହାର ଉପରେ ସମ୍ପୂର୍ଣ୍ଣ କଟକଣା ଜାରି କରାଯାଇଛି। ଏଥିସହିତ ଅତି ଉଚ୍ଚ ଶବ୍ଦ କରୁଥିବା ଯନ୍ତ୍ରାଂଶ, ଡିଜେ ଆଦି ୬୫ ଡେସିବଲକୁ ଅତିକ୍ରମ ନ କରିବାକୁ ପରାମର୍ଶ ଦିଆଯାଇଛି। ଉପରୋକ୍ତ ଗାଇଡ୍‌ ଲାଇନ ଖିଲାପ କଲେ ଓଡ଼ିଶା (ଆତସବାଜି ଓ ଡାକବାଜି ଯନ୍ତ୍ର ପ୍ରବିଧାନ) ଆଇନ ୧୯୫୮ ଏବଂ ଶବ୍ଦ ପ୍ରଦୂଷଣ ନିୟନ୍ତ୍ରଣ ନିୟମ ୨୦୦୦ ଅନୁଯାୟୀ ଦଣ୍ଡ ବିଧାନ କରାଯିବ ବୋଲି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ କୁହାଯାଇଛି।

Get real time updates directly on you device, subscribe now.