fbpx

ରାଜ୍ୟସଭାରେ ଏସପିଜି ସଂଶୋଧନ ବିଲ୍ ପାସ୍

ନୂଆଦିଲ୍ଲୀ,୩ ।୧୨: ଆଜି ରାଜ୍ୟସଭାରେ ସ୍ପେଶାଲ ପ୍ରୋଟେକସନ୍ ଗ୍ରୁପ୍ ବା ଏସପିଜି ସଂଶୋଧନ ବିଲ୍-୨୦୧୯ ପାସ୍ ହୋଇଛି । ଏହି ବିଲ୍ ପୂର୍ବରୁ ଲୋକସଭାରେ ପାସ୍ ହୋଇସାରିଛି । ରାଜ୍ୟସଭାରେ ଏହି ବିଲ ଉପରେ ଚର୍ଚ୍ଚା ହେଉଥିବା ବେଳେ ଗାନ୍ଧୀ ପରିବାରକୁ ଟାର୍ଗେଟ କରିଥିଲେ ଗୃହମନ୍ତ୍ରୀ ଅମିତ ଶାହା । ସେ କହିଥିଲେ ଯେ, ‘ଆମେ ଗାନ୍ଧୀ ପରିବାରକୁ ଧ୍ୟାନରେ ରଖି ବିଲକୁ ସଂଶୋଧନ କରିନାହୁଁ । ବିଲ ସହ ଗାନ୍ଧୀ ପରିବାରର କୌଣସି ସମ୍ପର୍କ ନାହିଁ । ବିଲ୍ ଆଣିବା ପୂର୍ବରୁ ଗାନ୍ଧି ପରିବାର ସଦସ୍ୟଙ୍କ ସୁରକ୍ଷା ବ୍ୟବସ୍ଥାକୁ ତର୍ଜମା କରାଯାଇଥିଲା। ଏହାପରେ ଯାଇ ସେମାନଙ୍କ ଏସପିଜି ସୁରକ୍ଷା ବ୍ୟବସ୍ଥାକୁ ପ୍ରତ୍ୟାହାର କରାଯାଇଥିଲା ।’ ଗୃହରେ କଂଗ୍ରେସ ସାଂସଦମାନେ ଏସପିଜି ସଂଶୋଧନ ବିଲକୁ ବିରୋଧ କରି କକ୍ଷତ୍ୟାଗ କରିଥିଲେ ।

ତେବେ ବିଲକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅନୁମୋଦନ ପାଇଁ ପଠାଯିବ। ଗାନ୍ଧି ପରିବାର ସଦସ୍ୟଙ୍କ ଏସପିଜି ସୁରକ୍ଷା ବ୍ୟବସ୍ଥାକୁ ପ୍ରତ୍ୟାହାର କରିବା ପାଇଁ କେନ୍ଦ୍ର ସରକାର ଏଭଳି ବିଲ ଆଣିଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଥିଲା । ହେଲେ ସଂସଦ ଏହାକୁ ଆଇନରେ ପରିଣତ କରିବାକୁ ଆଜି ଅନୁମତି ଦେଇଛି ।

ନୂଆ ଏସପିଜି ବିଲ ଅନୁଯାୟୀ, ଏଣିକି କେବଳ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ନିକଟତମ ପରିବାର ସଦସ୍ୟଙ୍କୁ ଏସପିଜି ସୁରକ୍ଷା ମିଳିବ । ସେହିପରି ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ନିକଟତମ ପରିବାର ସଦସ୍ୟଙ୍କୁ ଅଫିସ ଛାଡ଼ିବାର ୫ ବର୍ଷ ଯାଏ ଏସପିଜି ସୁରକ୍ଷା ମିଳିବ ।

Get real time updates directly on you device, subscribe now.